ମାଦକ ଦ୍ରବ୍ୟକୁ ନା କହିବା ଦେଶପ୍ରେମ : ରାଜ୍ୟପାଳ

ମାଦକ ଦ୍ରବ୍ୟକୁ ନା କହିବା ଦେଶପ୍ରେମ : ରାଜ୍ୟପାଳ

ଭୁବନେଶ୍ୱର : ମାଦକ ଦ୍ରବ୍ୟକୁ ନା କହିବା ଏକ ସ୍ଳୋଗାନ ନୁହେଁ ବରଂ ଏହା ଦେଶପ୍ରେମ ବୋଲି  ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପାଟି କହିଛନ୍ତି । ଚଳିତ ନଭେମ୍ବର ୩ ତାରିଖ ସୋମବାର ଅପରାହ୍ନରେ ରାଜଭବନର ନିଉ ଅଭିଷେକ ହଲରେ ନିଶା ମୁକ୍ତ ଭାରତ ଅଭିଯାନ ଉପରେ ଅନୁଷ୍ଠିତ ସଭାରେ ଉଦବୋଧନ ଦେଇ ରାଜ୍ୟପାଳ ଏହା କହିଛନ୍ତି । ହାଇବ୍ରିଡ ମୋଡରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟପାଳ କହିଛନ୍ତି ଯେ ମାଦକ ଦ୍ରବ୍ୟକୁ ପ୍ରତ୍ୟାଖ୍ୟାନ କରିବା ବ୍ୟକ୍ତିଗତ କଲ୍ୟାଣଠାରୁ ଅଧିକ ଏବଂ ଦେଶ ପ୍ରତି ଏକ ଗଭୀର କର୍ତ୍ତବ୍ୟବୋଧକୁ ପ୍ରତିଫଳିତ କରେ । ଏକ ଦେଶର ଶକ୍ତି ଏହାର ସୁସ୍ଥ ଏବଂ ଶୃଙ୍ଖଳିତ ନାଗରିକଙ୍କଠାରେ ରହିଛି । ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତି ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ବ୍ୟକ୍ତିଗତଭାବେ ଉପସ୍ଥିତରହି ଏବଂ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବୈଠକରେ ଅଂଶଗ୍ରହଣ କରିଥିଲେ ।

    ରାଜ୍ୟପାଳ କହିଥିଲେ ଯେ ଭାରତ ୨୦୪୭ ସୁଦ୍ଧା ଏକ ବିକଶିତ ରାଷ୍ଟ୍ର ହେବାକୁ ଆକାଂକ୍ଷା କରେ  ଏବଂ ସେହି ଲକ୍ଷ୍ୟକୁ ସାକାର କରିବାରେ ଯୁବପିଢ଼ିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ନିଶା ବିରୋଧୀ ଅଭିଯାନକୁ ତୀବ୍ର କରିବା ପାଇଁ  ପଥପ୍ରାନ୍ତ ନାଟକ, ପୋଷ୍ଟର ତିଆରି ପ୍ରତିଯୋଗିତା, ପଦଯାତ୍ରା ଏବଂ ଅନ୍ୟାନ୍ୟ ସୃଜନଶୀଳ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ ।  ପୁଲିସ ମହାନିର୍ଦ୍ଦେଶକ ୱାଇ.ବି. ଖୁରାନିଆ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା କମିଶନର ତଥା ଶାସନ ସଚିବ ଭୂପେନ୍ଦ୍ର ସିଂହ ପୁନିଆ, ଏବଂ ଏସସିବି ମେଡିକାଲ କଲେଜର ମନସ୍ତତ୍ତ୍ୱ ବିଭାଗର ପ୍ରଫେସର ଡକ୍ଟର ସାରଦା ପ୍ରସାଦ ସ୍ୱାଇଁ ମଧ୍ୟ ସମାବେଶକୁ ସମ୍ବୋଧିତ କରିଥିଲେ ।