ଲକ୍ଷ୍ମୀସାଗର ଅଞ୍ଚଳରେ ଘର କରିବାକୁ ହେଲେ ଦେବାକୁ ପଡୁଛି ଦାଦାବଟି

ଭୁବନେଶ୍ୱର: କମିଶନରେଟ୍ ପୁଲିସରେ ଦାଦାବଟିକୁ ନାଁ । ହେଲେ ରାଜଧାନୀରେ ଚାଲିଛି ଖୁଲମଖୁଲା ଦାଦାବଟି ଆଦାୟ । ଜିଏ ଯେମିତି ପାରିଲା ଦାଦାବଟି ଆଦାୟ କଲା । ଯାହାଫଳରେ ନିରିହ ଲୋକଟି ଲୋକାଲ ଦାଦାଙ୍କ ଶିକାର ହୋଇ ରାଜଧାନୀରେ ଜାଗା ଖଣ୍ଡେ କିଣି ଘର କରିବା ଅସମ୍ଭବ ହୋଇପଡ଼ୁଛି । ଏହି ଭଳି ଏକ ଘଟଣା ଦେଖାଯାଇଛି ଲକ୍ଷ୍ମୀସାଗର ଅଞ୍ଚଳରେ । ଲକ୍ଷ୍ମୀସାଗର ଅଞ୍ଚଳରେ ଘର କଲେ ଦେବାକୁ ପଡିବ ଲକ୍ଷାଧିକ ଟଙ୍କା ଦାଦାବଟି । ନ ହେଲେ ଘର କାମ ବନ୍ଦ ସହିତ ଖାଇବାକୁ ହେବ ମାଡ । ଏଭଳି ଏକ ଘଟଣା ଘଟିବା ପରେ ଜଣେ ଲୋକାଲ ଦାଦାକୁ ଗିରଫ କରିଛି ଲକ୍ଷ୍ମୀସାଗର ଥାନା ପୁଲିସ । ଅଭିଯୁକ୍ତ ଜଣକ ତାର ସହଯୋଗୀ ମାନଙ୍କ ସହ ମିଶି ଜଣେ ଘର ତିଆରି କରୁଥିବା ମାଲିକଙ୍କୁ ମାଗିଥିଲେ ୧ ଲକ୍ଷ ହେଲେ ନେଇଛନ୍ତି ୩୦ ହଜାର ଟଙ୍କା । ପରେ ଟଙ୍କା ନ ଦେବାରୁ ତାଙ୍କୁ ଖାଇବାକୁ ପଡ଼ିଥିଲା ମାଡ । ଏଭଳି ଅଭିଯୋଗ ପରେ ଆଜି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ । ଗିରଫ ଅଭିଯୁକ୍ତ ହେଲା, ଲକ୍ଷ୍ମୀସାଗର ମଣ୍ଡପ ସାହିର କୁଳମଣୀ ନାୟକ । ବାକି ସହଯୋଗୀଙ୍କୁ ଧରିବା ପାଇଁ ପୁଲିସ ଚଢ଼ାଉ ଜାରି ରଖିଛି ।
ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ସତ୍ୟନାରାୟଣ ଦଳବେହେରାଙ୍କ ଭିଣୋଇ ଘର କରିବା ଲାଗି ସନ୍ତୋଷି ବିଲ୍ଡରଙ୍କ ନିକଟରୁ ମେହେରପଲ୍ଲୀ ଅଞ୍ଚଳରେ ଏକ ଜମି କିଣିଥିଲେ । ସେ ଓଡ଼ିଶା ବାହାରେ ରହୁଥିବାରୁ ଅଭିଯୋଗକାରୀଙ୍କୁ ଘର ନିର୍ମାଣ ଦାଇତ୍ୱ ଦେଇଥିଲେ । ଗତ ୨୮.୦୫.୨୦୨୨ରେ ଅଭିଯୋଗକାରୀ ନିର୍ମାଣ ଉପଯୋଗୀ ସାମଗ୍ରୀ ଉକ୍ତ ପ୍ଲଟକୁ ପରିବହନ କରିବା ସମୟରେ ଲକ୍ଷ୍ମୀସାଗର ଅଞ୍ଚଳର ୩ ଜଣ ଅସମାଜିକ ବ୍ୟକ୍ତି ଜିତୁନା ନାୟକ, ଯଦୁମଣି ନାୟକ ଓରଫ ମଙ୍ଗୁଳି ଏବଂ ନିରଞ୍ଜନ ନାୟକ ଏକାଠି ହୋଇ ତାଙ୍କୁ ଗାଳିଗୁଲଜ କରିବା ସହ ଘର କରିବାକୁ ହେଲେ ୧ ଲକ୍ଷ ଟଙ୍କା ଦାଦାବଟି ଦେବାକୁ କହିଥିଲେ । ହେଲେ ଅଭିଯୋଗକାରୀ ଭୟରେ ସେମାନଙ୍କୁ ୩ ଥରରେ ୩୦ ହଜାର ଟଙ୍କା ଦେଇଥିଲେ । ପରେ ଆଉ ଟଙ୍କା ଦେବାକୁ ମନା କରିଥିଲେ । ଏହି ସମୟରେ ପୁଣି ଏମାନେ ତାଙ୍କୁ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ । ଏନେଇ ଅଭିଯୋଗକାରୀ ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁକରି ଅଭିଯୁକ୍ତ କୁଳମଣିକୁ ଗିରଫ କରିଛି ।