ବାବୁ ପଢ଼ାଇଲେ ବିଜୁଙ୍କ ପାଠ


 ଭୁବନେଶ୍ୱର: ବିଜୁଙ୍କ ଦଶାହ ପରେପରେ ବିଜୁବାବୁଙ୍କ ଅନେକ ବର୍ଷର ସହଯୋଗୀଙ୍କୁ ବିଦା କରିଦେଲେ । ବିଜୁଙ୍କ ପ୍ରିୟ ମାଛ ପୋଖରୀକୁ ପୋତିଦେଲେ  । ଜୀବଦ୍ଦଶାରେ ବିଜୁବାବୁ ତାଙ୍କୁ ଅଯୋଗ୍ୟ ବୋଲି ଭାବୁଥିଲେ  । ବିଜୁବାବୁଙ୍କ ଚିତା ଜଳୁଥିବାବେଳେ ପୁଅମାନେ ହୋଟେଲରେ ଅଭଡ଼ା ନଖାଇ ଆମିଷ ଖାଇଥିଲେ  । ଆଜି ବିଧାନସଭାରେ ଏମିତି ମରମ ଭେଦୀ କଥା କହିଛନ୍ତି ଏକାମ୍ର ବିଧାୟକ ବାବୁ ସିଂ  । 
ଏକାମ୍ର ବିଧାୟକ ବାବୁ ସିଂ ଆଜି ବିଜେଡ଼ିକୁ ବିଜୁଙ୍କ ପାଠ ପଢ଼ାଇଛନ୍ତି  । ବିଜୁବାବୁଙ୍କୁ ଆମେ କେବେ ଅସମ୍ମାନ କରୁନାହୁଁ  । ତାଙ୍କୁ ସବୁବେଳେ ସମ୍ମାନ ଦେଇଆସୁଛୁ  । ବିଜୁବାବୁ ଭାରତର ଶ୍ରେଷ୍ଠ ନେତୃତ୍ୱ ଥିଲେ  । ଏବେ ବିଜେଡ଼ିର ଯେଉଁ ବିଧାୟକ ଅଛନ୍ତି ସେମାନଙ୍କ ମଧ୍ୟରୁ ମାତ୍ର ଦୁଇ ତିନି ଜଣ ନେତା ଅଛନ୍ତି  । ଯେଉଁମାନେ ବିଜୁବାବୁଙ୍କୁ ଜୀବଦ୍ଦଶାରେ ବିରୋଧ କରୁଥିଲେ ସେମାନେ ଏବେ ଜୋରରେ ଟେବୁଲ୍ ବାଡ଼ାଉଛନ୍ତି । ନବୀନ ନିବାସରେ ୪ ଜଣ ବିଜୁବାବୁଙ୍କ କଥା ବୁଝୁଥିଲେ  । ସେମାନେ ହେଲେ ଖଇରାତି, ବୀର ମଉସା, ପ୍ରଫୁଲ୍ଲ ଡ୍ରାଇଭର ଓ କାଳିଆ  । କିନ୍ତୁ ବିଜୁବାବୁଙ୍କ ଦଶାହ ପରେ ଆପଣଙ୍କ ବିଜେଡ଼ି ସଭାପତି ଏହି ୪ ଜଣଙ୍କୁ ନବୀନ ନିବାସରୁ ତଡ଼ିଦେଲେ  । 
ବିଜୁବାବୁ ନବୀନ ନିବାସରେ ଏକ ପୋଖରୀ କରିଥିଲେ  । ସେହି ପୋଖରୀରେ ବିଜୁବାବୁ ସକାଳ ଟିଫିନରୁ ଯାହା ବଳେ ମାଛକୁ ଦିଅନ୍ତି  । କିନ୍ତୁ ନବୀନ ବାବୁ ଏକଥା ଜାଣିବା ପରେ ପୋଖରୀ ପୋତିଦେଲେ  । ବିଜୁବାବୁଙ୍କ ମାଛକୁ ଆଗ ମାରିବାକୁ ସେ ଆଗ ନିଦେ୍ର୍ଦଶ ଦେଲେ  । ମୋ କଥା ଅସତ୍ୟ ହୋଇଥିଲେ ମୁଁ ରାଜା ଭାଇଙ୍କ ଚପଲ ଧରିବାକୁ ପ୍ରସ୍ତୁତ ବୋଲି ବାବୁ କହିଥିଲେ  । ଏହି ସମୟରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ହସୁଥିବା ଦେଖିବାକୁ ମିଳିଥିଲା  ।
ବିଜୁଙ୍କୁ ଭଲ ପାଉଥିଲେ ନା କ୍ଷମତା ପାଇଁ ଫଟୋ ଲଗାଉଥିଲେ ତାହା ସ୍ପଷ୍ଟ କରିବା ଦରକାର । ବିଜୁଙ୍କ ନାଁ ବିକ୍ରି କରି କ୍ଷମତାକୁ ଆସିବା ପାଇଁ ଚାହୁଁଥିଲେ  । ଆପଣଙ୍କ ନେତା ବିଜୁବାବୁଙ୍କୁ ଭଲ ପାଉନଥିଲେ  । ଜୀବଦ୍ଦଶାରେ ତାଙ୍କୁ ଦେଖା କରିବାକୁ ବିଜୁବାବୁ ମନା କରିଦେଉଥିଲେ  । ବିଜୁବାବୁ ତାଙ୍କ ପୁଅକୁ ଅଯୋଗ୍ୟ ଭାବିଥିବାରୁ ରାଜନୀତିକୁ ଆଣିନଥିଲେ  । ଯେଉଁମାନେ ଯୋଗ୍ୟ ଭାବି ତାଙ୍କୁ ରାଜନୀତିକୁ ଆଣିଥିଲେ ପ୍ରଥମେ ସେଇମାନଙ୍କୁ ରାଜନୀତିକ ହତ୍ୟା କରିଥିଲେ  । ବିଜୟ ମହାପାତ୍ର, ନଳିନୀ ମହାନ୍ତି, ଦିଲ୍ଲୀପ ରାୟଙ୍କ ଭଳି ନେତାଙ୍କୁ ରାଜନୀତିକ ହତ୍ୟା କରିବାକୁ ପଛାଇନଥିଲେ  । ବିନା ଦୋଷରେ ପ୍ରଭାତ ଭାଇଙ୍କୁ ନିଲମ୍ବନ କରିଥିଲେ  । ବିଜୁବାବୁ ନାଁ ରହିବ ନାହିଁ ବୋଲି ବିଜେଡ଼ି ସଭାପତି ଚାହୁଁଥିଲେ  । ବିଜୁବାବୁଙ୍କ ଅସ୍ଥି ବିଜୟ ମହାପାତ୍ରଙ୍କ ଘରେ ତିନି ବର୍ଷ ରହିଥିଲା  । ଅସ୍ଥିକୁ ବି ନବୀନ ବାବୁ ବିସର୍ଜନ କରିନଥିଲେ  । ବିଜୁଙ୍କ ଶବ ଜଳୁଥିବାବେଳେ ହୋଟେଲରେ ବିଜେଡ଼ି ସଭାପତି ଓ ତାଙ୍କ ଭାଇ ଥିଲେ  । ଅଭଡ଼ା ନଖାଇ ସେମାନେ ଆମିଷ ଖାଇଥିଲେ  । ବିଜୁବାବୁଙ୍କୁ ପ୍ରଧାନମନ୍ତ୍ରୀ ନକରାଇଦେବା ପାଇଁ ୧୩ ଜନତା ବିଧାୟକ ଲେଖିକି ଦେଇଥିଲେ  । ବିଜୁଙ୍କ ଜନ୍ମଦିନକୁ ଛୁଟି କରାଗଲାନାହିଁ ବୋଲି ଆଜି ବିଜେଡ଼ି ପ୍ରତିବାଦ କରୁଛି  । ହେଲେ ୨୪ ବର୍ଷରେ ଆଉ କେତେ ବରପୁତ୍ରଙ୍କ ଜନ୍ମଦିନରେ ଛୁଟି କରିଥିଲେ  । ବିଜୁ ଜୟନ୍ତୀ ଦିନ ବିଧାନସଭା କି ଜୟଦେବ ଭବନ ଆସିବାକୁ ନବୀନ ଉଚିତ୍ ମନେ କରିନଥିଲେ ବାବୁ ସିଂ କହିଛନ୍ତି  ।