୨୭ରେ ମୋଦିଙ୍କ ଗସ୍ତ ନେଇ ଆହୁଜାଙ୍କ ପ୍ରସ୍ତୁତି ବୈଠକ
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀଙ୍କ ଝାରସୁଗୁଡା ଗସ୍ତ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଆଜି ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ବ୍ରହ୍ମପୁରରେ ହେବାକୁ ଥିବା ବେଳେ ପାଣିପାଗ ବିଭାଗ ତରଫରୁ ବର୍ଷା ହେବା ସଂପର୍କରେ ପୂର୍ବାନୁମାନ ଯୋଗୁଁ ପରବର୍ତ୍ତୀ ସମୟରେ ଏହି କାର୍ଯ୍ୟକ୍ରମ ଝାରସୁଗୁଡାରେ ଅନୁଷ୍ଠିତ ହେବା ନେଇ ପରିବର୍ତ୍ତନ କରାଯାଇଛି ।
ଆସନ୍ତା ୨୭ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଝାରସୁଗୁଡ଼ା ଗସ୍ତ କାର୍ଯ୍ୟକ୍ରମକୁ ସୁଚାରୁରୂପେ ଅନୁଷ୍ଠିତ ହେବା ନେଇ ଆଜି ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା, ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ଏବଂ ଉଚ୍ଚÿ ଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଝାରସୁଗୁଡା ଗସ୍ତ କରି କ୍ଷେତ୍ର ପରିଦର୍ଶନ ସହିତ ସେଠାରେ ଏକ ବୈଠକରେ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଥିଲେ । ପରେ ପରେ ଆଜି ସଂଧ୍ୟାରେ ମୁଖ୍ୟ ଶାସନ ସଚିବ ଲୋକସେବା ଭବନରେ ଆୟୋଜିତ ଏକ ବୈଠକରେ ରାଜ୍ୟ ପ୍ରଶାସନର ସଂପୃକ୍ତ ବିଭିନ୍ନ ବିଭାଗର ସଚିବ ଏବଂ ପୁଲିସ ପ୍ରଶାସନର ବରିଷ୍ଠ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ । ପ୍ରାପ୍ତ ସଦ୍ୟ ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ୨୭ ତାରିଖ ସକାଳ ୯ଘ. ୨୦ ମି ସମୟରୁ ନୂଆଦିଲ୍ଲୀ ବିମାନ ବନ୍ଦରରୁ ସ୍ୱତନ୍ତ୍ର ବାୟୁସେବା ବିମାନ ଯୋଗେ ବାହାରି ଝାରସୁଗୁଡା ବିମାନବନ୍ଦରରେ ପୂର୍ବାହ୍ନ ୧୧ ଘ. ୧୦ ମି.ରେ ପହଞ୍ଚିବେ । ସେଠାରୁ ସଡ଼କ ପଥରେ ଯାଇ ପୂର୍ବାହ୍ଣ ୧୧ ଘ.୨୫ମି. ସମୟରେ ଅମଲିପାଲି ସ୍ଥିତ ପଡିଆରେ ପହଁଚି ଆୟୋଜିତ କାର୍ଯ୍ୟକ୍ରମ ସ୍ଥଳରେ ଯୋଗଦେବେ । କାର୍ଯ୍ୟକ୍ରମ ସାରି ଅପରାହ୍ଣ ୧୨ଘ.୪୫ମି. ରେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି ।
ଝାରସୁଗୁଡା ଜିଲ୍ଲାପାଳଙ୍କୁ ପ୍ରସ୍ତୁତି ନେଇ ସମନ୍ୱୟ ନିମନ୍ତେ ସାମଗ୍ରିକ ଭାବେ ଦାୟିତ୍ୱ ଦିଆଯାଇଛି । ଏଥି ପାଇଁ ପୂର୍ବଭଳି ରାଜ୍ୟ ମୁଖ୍ୟାଳୟ ଗୃହ ବିଭାଗରେ ମଧ୍ୟ ଏକ କଣ୍ଟ୍ରୋଲ ରୁମ କାର୍ଯ୍ୟ କରିବ । ମୁଖ୍ୟ ଶାସନ ସଚିବ ଉପଯୁକ୍ତ ଯୋଜନା କରି ଜନଗହଳି ପରିଚାଳନା, ପାର୍କିଂ ବ୍ୟବସ୍ଥା ଓ ସମସ୍ତ କାର୍ଯ୍ୟ ପାଇଁ ଶୃଙ୍ଖଳିତ ବ୍ୟବସ୍ଥା ପ୍ରତି ଗୁରୁତ୍ୱ ଦେଇଛନ୍ତି । କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଯେଉଁ ଯେଉଁ ବିଭାଗ ଓ ସଂପୃକ୍ତ ସଂସ୍ଥାର କାର୍ଯ୍ୟ ରହିଛି, ସେମାନେ ତାହାକୁ ଉପଯୁକ୍ତ ଦୃଷ୍ଟି ଦେଇ ସୁଚାରୁରୂପେ ନିର୍ବାହ କରିବାକୁ ମୁଖ୍ୟ ଶାସନ ସଚିବ ଆବଶ୍ୟକ ନିଦେ୍ର୍ଦଶ ପରାମର୍ଶ ଦେଇଛନ୍ତି ।