ପୁଲିସକୁ ସୋସିଆଲ ମିଡ଼ିଆ ଚିନ୍ତା : ଗୁଜବ ପ୍ରଚାର କଲେ କାର୍ଯ୍ୟାନୁଷ୍ଠାନ : ସିପି
କଟକ : ସୋସିଆଲ ମିଡ଼ିଆରେ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ପୋଲିସ କମିଶନର କଡ଼ା ଚେତାବନୀ ଦେଇଛନ୍ତି । ଗୁଜବ ପ୍ରଚାର କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିଶନର କହିଛନ୍ତି । କଟକରେ ଶାନ୍ତି ଫେରୁଥିବାବେଳେ କିଛି ଉଦଭ୍ରାନ୍ତ ବ୍ୟକ୍ତି ବିଭ୍ରାନ୍ତକର ପୋଷ୍ଟ କରୁଥିବାରୁ ସେ ଏଭଳି ଚେତାବନୀ ଦେଇଛନ୍ତି । କଟକ ଦରଘାବଜାର ଓ କଦମ ରସୁଲ ଅଞ୍ଚଳରେ ଆଜି ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯାଇଛି । କଟକ ସହରସାରା ପୋଲିସ ମୁତୟନ ଅଛନ୍ତି । ସହରର ସ୍ଥିତି ସ୍ୱାଭାବିକ ରହିଛି । ତଥାପି କିଛି ଲୋକ ସୋସିଆଲ ମିଡ଼ିଆରେ ବିଭ୍ରାନ୍ତ ତଥ୍ୟ ରଖୁଛନ୍ତି ଓ ଭାଇରାଲ ମଧ୍ୟ କରୁଛନ୍ତି । ଏଥିରୁ କ୍ଷାନ୍ତ ରୁହନ୍ତୁ ନଚେତ ଗୁଜବ ସୃଷ୍ଟିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କମିଶନର ଏସ ଦେବଦତ୍ତ ସିଂ ଚେତାବନୀ ଦେଇଛନ୍ତି । ସେ କହିଥିଲେଯେ, କଟକ ସହରରେ ଆଜି କୌଣସି ପ୍ରକାରର ଶୋଭାଯାତ୍ରା ହେଉନାହିଁ । ତେଣୁ କୌଣସି ପ୍ରକାର ଗୁଜବକୁ ନେଇ ବିଶ୍ୱାସ ନକରିବାକୁ କମିଶନର ପରାମର୍ଶ ଦେଇଥିଲେ ।