୩ ଲକ୍ଷରୁ ଅଧିକ ଭୂତ ରାସନ କାର୍ଡଧାରୀ ଖାଉଛନ୍ତି ରାସନ ଚାଉଳ

୩ ଲକ୍ଷରୁ ଅଧିକ ଭୂତ ରାସନ କାର୍ଡଧାରୀ ଖାଉଛନ୍ତି ରାସନ ଚାଉଳ

ଭୁବନେଶ୍ୱର: ରାଜ୍ୟରେ ୩ ଲକ୍ଷରୁ ଅଧିକ ଭୂତ ରାଶନାକାର୍ଡଧାରୀ ଅଛନ୍ତି  । ଅର୍ଥାତ୍‌ ୩ ଲକ୍ଷରୁ ଅଧିକ ମୃତ ବ୍ୟକ୍ତିଙ୍କ ନାଁରେ ରହିଛି ରାଶନ କାର୍ଡ  । ଏହାକୁ ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବିଧାନସଭାରେ ଉତ୍ତର ରଖିଛନ୍ତି  ।
ବିଜେଡି ବିଧାୟକ ଗଣେଶ୍ୱର ବେହେରାଙ୍କ ପ୍ରଶ୍ନର ଉତ୍ତରରେ ବିଭାଗୀୟ ମନ୍ତ୍ରୀ ଏଭଳି ଉତ୍ତର ଦେଇଛନ୍ତି । ରାଜ୍ୟରେ ୩ ଲକ୍ଷ ୨୮ ହଜାର ୯୩୨ମୃତ ବ୍ୟକ୍ତିଙ୍କ ନାମରେ ରାସନ ଚାଉଳ ନିଆଯାଉଥିଲା ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି  । କେନ୍ଦୁଝରରେ ସର୍ବାଧିକ ୩୫ ହଜାର ୫୫୦ଜଣ ମୃତ ରାସନ କାର୍ଡଧାରୀ ଥିଲେ  । ସେହିପରି ଗଞ୍ଜାମରେ ୨୫ ହଜାର ୭୮୯, ମୟୂରଭଞ୍ଜରେ ୨୩ହଜାର ୭୯୯, ରାୟଗଡାରେ ୨୨ ହଜାର ୪୧୧ଜଣ ମୃତ ବ୍ୟକ୍ତି ରାସନ ଚାଉଳ ଉଠାଉଥିବା ମନ୍ତ୍ରୀ କହିଛନ୍ତି ।

ଆଜି ପର୍ଯ୍ୟନ୍ତ କେତେ ଜଣ ହିତାଧିକାରୀ ଇ-କେୱାଇସି କରିଛନ୍ତି, ବିଜେଡି ବିଧାୟକ ଗଣେଶ୍ୱର ବେହେରା ବିଧାନସଭାରେ ତାର ରିପୋର୍ଟ ମାଗିଥିଲେ  । ଯାହାର ଉତ୍ତରରେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨ କୋଟି ୯୯ ଲକ୍ଷ ୫୦ ହଜାର ୮୨୦ ଜଣ ହିତାଧିକାରୀ ଇ-କେୱାଇସି କରିଛନ୍ତି ବୋଲି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଥିଲେ  । ସେମାନଙ୍କ ମଧ୍ୟରୁ ୨ କୋଟି ୯୮ ଲକ୍ଷ ୧୪ ହଜାର ୯୨୧ ହିତାଧିକାରୀ ଓଡ଼ିଶା ଭିତରେ ଥାଇ ଏବଂ ୧ ଲକ୍ଷ ୩୫ ହଜାର ୮୯୯ ପିଡିଏସ୍‌ ହିତାଧିକାରୀ ଓଡ଼ିଶା ବାହାରେ ଥାଇ ନିଜ ଇ-କେୱାଇସି କରାଇଛନ୍ତି  । ତେବେ ଯାଞ୍ଚ ପ୍ରକ୍ରିୟାରେ ବର୍ତ୍ତମାନ ସୁଦ୍ଧା ୩ ଲକ୍ଷ ୨୮ ହଜାର ୯୩୨ ଜଣ ମୃତ ବ୍ୟକ୍ତିଙ୍କ ନାମ ରାସନ କାର୍ଡ ତଥ୍ୟାବଳୀରେ ରହିଥିବା ଚିହ୍ନଟ କରାଯାଇଛି । ରାଜ୍ୟରେ ଇ-କେୱାଇସି ଯାଞ୍ଚ ସମୟରେ, ୧୬ ହଜାର ୧୮୪ ଜଣ ଅଯୋଗ୍ୟ ପରିବାର ରାସନ କାର୍ଡ ନେଇଥିବା ଜଣାପଡିଛି ବୋଲି ଯୋଗାଣ ମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି ।