୩ ହଜାର କୋଟି ଋଣ ଠକେଇ : ଅଡୁଆରେ ଅନୀଲ ଅମ୍ବାନୀ ଇଡି ପରେ ସିବିଆଇର ଚଢାଉ
ମୁମ୍ବାଇ: ବିଶିଷ୍ଟ ଶିଳ୍ପପତି ଅନୀଲ ଅମ୍ବାନୀଙ୍କ ଅଡୁଆ ବଢ଼ିବାରେ ଲାଗିଛି । ଇଡି ପରେ ଏବେ ତାଙ୍କ ସଂପତ୍ତି ଉପରେ ସିବିଆଇ ଚଢାଉ କରିବା ଆରମ୍ଭ କରିଛି । ସିବିଆଇ ୩ ହଜାର ୭୩କୋଟି ଟଙ୍କାର ବ୍ୟାଙ୍କ ଋଣ ଠକେଇ ମାମଲାରେ ଅନୀଲ ଅମ୍ବାନୀଙ୍କ ସହ ଜଡିତ ସ୍ଥାନ ଖୋଜୁଛି । ସକାଳ ୭ଟାରୁ ଅନୀଲ ଅମ୍ବାନୀଙ୍କ ଘରେ ସିବିଆଇ ଚଢାଉ କରୁଛି । ୭ ରୁ ୮ ଜଣ ସିବିଆଇ ଅଧିକାରୀ ଏହି ତଲାସୀ ଅଭିଯାନ ଚଳାଇଛନ୍ତି ।
ଅନୀଲ ଅମ୍ବାନୀ ତାଙ୍କ ବାସଭବନରେ ଥିବା ବେଳେ ସିବିଆଇ ଅଧିକାରୀମାନେ କଫ ପରେଡ୍ ସିୱିଣ୍ଡ ସ୍ଥିତ ତାଙ୍କ ବାସଭବନରେ ସକାଳ ୭ଟାରୁ ସର୍ଚ୍ଚ ଅପରେସନ ଜାରି ରଖିଛି । ଏହା ପୂର୍ବରୁ ଅନୀଲ ଅମ୍ବାନୀଙ୍କୁ ଇଡି ମଧ୍ୟ ଜେରା କରିଥିଲା । ଇଡି ଓ ଏବେ ସିବିଆଇର ଚଢାଉ ପରେ କୁହାଯାଉଛି କି, ଅନୀଲ ଅମ୍ବାନୀଙ୍କ ପାଇଁ ସମସ୍ୟା ବଢିବାରେ ଲାଗିଛି । ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଦ୍ୱାରା ଅଭିଯୋଗ ଆଧାରରେ ସିବିଆଇ ଅନୀଲ ଅମ୍ବାନୀ, ତାଙ୍କ ବ୍ୟବସାୟିକ ସଂସ୍ଥା ଓ ଅନ୍ୟମାନଙ୍କ ବିରୁଦ୍ଧରେ ଏକ ନୂଆ ଏଫଆଇଆର ଦିଲ୍ଲୀରେ ଦାୟର କରିଛି । ସିବିଆଇ ଏହାର ଅଭିଯୋଗରେ ଅନୀଲ ଅମ୍ବାନୀଙ୍କ ରିଲାଏନ୍ସ କମୁ୍ୟନିକେସନ୍ସ ଲିମିଟେଡ୍ (ଆରକମ) ଦ୍ୱାରା ମୋଟ ୩,୦୭୩ କୋଟି ଟଙ୍କାର ଠକେଇ ହୋଇଥିବା ଅଭିଯୋଗ କରିଛି । ବ୍ୟାଙ୍କ ପୂର୍ବରୁ ୨୦୨୦ ନଭେମ୍ବର ୧୦ ତାରିଖରେ ଆକାଉଣ୍ଟ ଓ ପ୍ରମୋଟରମାନଙ୍କୁ ବର୍ଗୀକୃତ କରିଥିଲା । ଯେଉଁଥିରେ ଅନୀଲ ଡି ଅମ୍ବାନୀଙ୍କୁ ଠକ ଦର୍ଶାଇଥିଲା । ୨୦୨୧ ଜାନୁଆରି ୫ ତାରିଖରେ ଏନେଇ ସିବିଆଇରେ ଅଭିଯୋଗ ଦାଖଲ କରିଥିଲା । କିନ୍ତୁ, ୨୦୨୧ ଜାନୁଆରି ୬ ତାରିଖରେ ଦିଲ୍ଲୀ ହାଇକୋର୍ଟ ଦ୍ୱାରା ଜାରି ହୋଇଥିବା "ସ୍ଥିତାବସ୍ଥା’ ନିଦେ୍ର୍ଦଶ ଯୋଗୁଁ ଅଭିଯୋଗକୁ ଫେରସ୍ତ କରି ନେଇଥିଲା ବ୍ୟାଙ୍କ । ଏସବିଆଇ ଏବେ ଆନୁଷ୍ଠାନିକ ଭାବରେ ରିଲାଏନ୍ସ କମୁ୍ୟନିକେସନ୍ସ ଲିମିଟେଡ୍ (ଆରକମ) ଓ ଏହାର ପ୍ରମୋଟର ନିଦେ୍ର୍ଦଶକ ଅନୀଲ ଡି ଅମ୍ବାନୀଙ୍କୁ "ଠକ’ ଭାବରେ ବର୍ଗୀକୃତ କରିଛି, ଅର୍ଥ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଶୁକ୍ରବାର ଲୋକସଭାକୁ ଏହି ସୂଚନା ଦେଇଛନ୍ତି ।