ବଢ଼ିଲା ବର୍ଷା, ଉଛୁଳିଲା ନଦୀ : ବିପଦସଂକେତ ଟପିଲା ବୈତରଣୀ
ଭୁବନେଶ୍ୱର/ଭଣ୍ଡାରିପୋଖରୀ: ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଅନେକ ନଦୀ ବିପଦ ସଂକେତ ପାଖାପାଖି ପହଁଚିଥିବାବେଳେ ବୈତରଣୀ କେତେକ ସ୍ଥାନରେ ବିପଦ ସଂକେତ ଟପିଯାଇଛି । ଜଳସମ୍ପଦ ବିଭାଗର ରିପୋର୍ଟ ଅନୁଯାୟୀ, ମହାନଦୀର ଜଳସ୍ତର ଖଇରମାଳ ଓ ନରାଜ ନିକଟରେ ବୃଦ୍ଧି ପାଇବାରେ ଲାଗିଛି । ସେହିପରି ଦେବୀ ନଦୀ ଆଳିପିଙ୍ଗଳ ଠାରେ ବଢୁଥିବାବେଳେ ବ୍ରାହ୍ମଣୀ ନଦୀ ପାନପୋଷ, ତାଳଚେର ଓ ଜେନାପୁର ଠାରେ ବଢୁଥିବା ଲକ୍ଷ୍ୟ କରାଯାଉଛି ।
ଅପରପକ୍ଷରେ ବୈତରଣୀ ନଦୀର ଜଳସ୍ତର ଚମ୍ପୁଆ, ସ୍ୱମପାଟଣା ଓ ଆଖୁଆପଦା ଠାରେ ବଢିବାରେ ଲାଗିଛି । ଆଖୁଆପଦା ଠାରେ ଏହା ବିପଦ ସଂକେତ ଟପି ସାରିଥିବାବେଳେ ଆନନ୍ଦପୁର ଠାରେ ତାହା ପୂରା ବିପଦସଂକେତ ନିକଟରେ ରହିଛି । ଶନିବାର ବୈତରଣୀ ନଦୀର ଜଳସ୍ତର ଅପରାହ୍ନ ୪ଟାରେ ଆଖୁଆପଦା ଠାରେ ବିପଦସଙ୍କେତସ୍ତର ୧୮.୩୩ ମିଟର ଅତିକ୍ରମ କରିଛି । ନଦୀର ଜଳସ୍ତର ଘଣ୍ଟାପ୍ରତି ୫ମି.ମି. ବେଗରେ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ନଦୀର ଉପରମୁଣ୍ଡ ଚମ୍ପୁଆରେ ୬୩.୬୬ମି.ମି., ସ୍ୱାମପାଟଣାରେ ୧୯.୮ମି.ମି., ଆନନ୍ଦପୁରରେ ୬୮.୨ମି.ମି. ଓ ଆଖୁଆପଦାରେ ୩୮.୧୨ମି.ମି. ବର୍ଷା ରେକର୍ଡ କରାଯାଇଛି । ସନ୍ଧ୍ୟା ୬ଟା ସୁଦ୍ଧା ନଦୀ ୧୮.୪୩ମିଟରରେ ପ୍ରବାହିତ ହେଉଛି । ଏହି ବନ୍ୟା ମଧ୍ୟମ ଧରଣର ହେବ ଓ ବନ୍ୟାଜଳ ସର୍ବାଧିକ ୧୮.୯୦ମିଟର ହୋଇପାରେ ବୋଲି ଆଖୁଆପଦା ଜଳସମ୍ପଦ କାର୍ଯ୍ୟାଳୟ ବନ୍ୟା ନିୟନ୍ତ୍ରଣ କକ୍ଷ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ବୁଢ଼ାବଳଙ୍ଗ ନଦୀର ଜଳସ୍ତର ଚନ୍ଦନପୁର, ବାରିପଦା ଓ ଏନଏଚ ଗୋବିନ୍ଦପୁର ଠାରେ ବୃଦ୍ଧି ପାଇବାରେ ଲାଗିଛି । ଯେତେବେଳେକି ସୁବର୍ଣ୍ଣରେଖା ନଦୀର ଜଳସ୍ତର ଜାମସେଦପୁର, ଜାମଶୋଳାଘାଟ ଓ ରାଜଘାଟ ଠାରେ ବୃଦ୍ଧି ପାଉଥିବାବେଳେ ବଂଶଧାରା ନଦୀର ଜଳସ୍ତର ଗୁଡାରି ଓ ଗୁଣୁପୁର ଠାରେ ବୃଦ୍ଧିପାଉଛି । ଆସନ୍ତା ୨୫ ସୁଦ୍ଧା ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳର ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ନୂଆ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ସେହିପରି ଆସନ୍ତା ୩୦ ପର୍ଯ୍ୟନ୍ତ ବର୍ଷା ହେବାର ଥିବାବେଳେ ୨୮ ଯାଏଁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତାକାଲି ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ଥିବାବେଳେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିର ଗୋଟିଏ ଦୁଇଟି ସ୍ଥାନରେ ଝଟକା ପବନ ସହ ବଜ୍ରପାତର ସମ୍ଭାବନା ରହିଛି । ଏହିସବୁ ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରିହୋଇଛି ।