୪ ବାଲି ବୋଝେଇ ଗାଡି ଜବତ
ସୋର : ସୋର ତହସିଲ ପକ୍ଷରୁ ୧୬ ନମ୍ବର ଜାତୀୟ ରାଜପଥ କଲେଜ ଛକ ନିକଟରେ ଚଢ଼ାଉ କରାଯାଇ ଚାରୋଟି ବେଆଇନ ବାଲି ବୋଝେଇ ଗାଡି ଜବତ କରାଯାଇଥିବା ବେଳେ ଖଣି ବିଭାଗ ପକ୍ଷରୁ କୌଣସି ସହଯୋଗ ମିଳିନଥିବା ଜଣାପଡିଛି । ସୋର ତହସିଲଦାର ଦୈତାରି ମଲ୍ଲିକ ସଦଳବଳେ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥରେ ବାଲିଗାଡି ଗୁଡିକର କାଗଜପତ୍ର ଯାଞ୍ଚ କରୁଥିବାବେଳେ ଚାରୋଟି ବାଲିଗାଡି ବେଆଇନ ଭାବେ ଚୋରା ଚାଲାଣ କରୁଥିବା ଜାଣିବାକୁ ପାଇ ଗାଡିଗୁଡିକୁ ଜବତ କରିଥିଲେ । ଏହି ସମୟରେ ଖବର ପାଇ ଅନେକ ଗାଡି ଅଧରାସ୍ତାରେ ଅଟକି ଥିବାବେଳେ କେତକ ଗାଡି ରାସ୍ତା କଡରେ ବାଲି ଢାଳି ଫେରାର ହୋଇଯାଇଥିଲେ । ଜବତ ଗାଡି ଗୁଡିକର ଚାଳକ ଫେରାର ହୋଇଯାଇଥିବା ବେଳେ ଗାଡିଗୁଡିକୁ ଖଣି ବିଭାଗକୁ ହସ୍ତାନ୍ତର କରାଯାଇଛି । ଏହି ସମୟରେ ଖଣି ବିଭାଗ ଓ ପୁଲିସର ଅସହଯୋଗତା ଦେଖିବାକୁ ମିଳିଥିଲା । ଚୋରା ବାଲି ଚାଲାଣ ଉପରେ ତହସିଲ ପକ୍ଷରୁ ଚଢ଼ାଉ ଜାରି ରହିଥିବାବେଳେ ପୁଲିସ କିମ୍ବା ଖଣି ବିଭାଗର ନୀରବତା ସେମାନଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।