୪ ମାଓବାଦୀଙ୍କ ଆତ୍ମସମର୍ପଣ
ମାଲକାନଗିରି: ଆଣ୍ଟି ନକ୍ସଲ ଅପରେସନରେ ଛତିଶଗଡ ପୁଲିସକୁ ମିଳିଲା ବଡ ସଫଳତା । କୋଣ୍ଡାଗାଓ ଜିଲ୍ଲାରେ ୨୨ ଲକ୍ଷ ଇନାମୀ ମାଓ ଦମ୍ପତିଙ୍କ ସହ ୪ ଜଣ ହାଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡରେ ଦିନକୁ ଦିନ ଆଣ୍ଟି ନକ୍ସଲ ଅପରେସନକୁ ଜୋରଦାର କରାଯାଇଥିବାବେଳେ ଏହା ପ୍ରଭାବରେ ଅନେକ ମାଓବାଦୀ ମାଓ ସଂଗଠନ ଛାଡି ଆତ୍ମସମର୍ପଣ କରୁଛନ୍ତି । ଏହିକ୍ରମରେ କୋଣ୍ଡାଗାଓ ଜିଲ୍ଲାରେ ୨୨ ଲକ୍ଷ ଇନାମୀ ମାଓ ଦମ୍ପତିଙ୍କ ସହ ୪ଜଣ ହାଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା ଦୁଇ ମାଓବାଦୀ ଲକ୍ଷ୍ମଣ କୋରାମ ଓରଫ ଜୁନୁ ଓ ସଖରମଙ୍କ ନାମରେ ଛତିଶଗଡ ସରକାର ପୁର୍ବରୁ ଆଠ ଆଠ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ । ସେଇଭଳି ଲକ୍ଷଣଙ୍କ ପନôୀ ମାଦୋ ଓରଫ୍ ଜରିନା ନାମରେ ୫ ଲକ୍ଷ ଓ ପାଣ୍ଡୁରାମ ଉପରେ ୧ ଲକ୍ଷ ଟଙ୍କା ଇନାମ ଘୋଷଣା କରାଯାଇଥିଲା । ସମସ୍ତ ମାଓବାଦୀ ବସ୍ତର, କୋଣ୍ଡାଗାଁ, କାଂକେର, ଦନ୍ତେୱାଡା ଓ ମାନପୁର ଅଞ୍ଚଳରେ ଅନେକ ମାଓ ହିଂସାରେ ସାମିଲ ଥିଲେ । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଅର୍ଥ ପ୍ରଦାନ କରାଯାଇଥିବାବେଳେ ଛତିଶଗଡ଼ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ନୂଆ ଆତ୍ମସମର୍ପଣ ନୀତି ଅନୁସାରେ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି କୋଣ୍ଡାଗାଁ ଏସପି ୱାଇ ଅକ୍ଷୟ କୁମାର ପ୍ରକାଶ କରିଛନ୍ତି ।