୪ ଲେନ୍ ହେବ ମାଓଲିଙ୍ଗଖୁଙ୍ଗ-ପଞ୍ଚଗ୍ରାମ ଏନ୍ଏଚ

 ନୂଆଦିଲ୍ଲୀ : ମେଘାଳୟର ମାଓଲିଙ୍ଗଖୁଙ୍ଗ (ଶିଲଙ୍ଗ ନିକଟ) ଠାରୁ ଆସାମର ପଞ୍ଚଗ୍ରାମ (ସିଲଚର ନିକଟରେ) ପର୍ଯ୍ୟନ୍ତ ୪ ଲେନ୍ ବିଶିଷ୍ଟ ଗ୍ରୀନଫିଲ୍ଡ ଆକ୍ସେସ୍ ନିୟନ୍ତ୍ରିତ ୧୬୬.୮୦ କିଲୋମିଟର ଜାତୀୟ ରାଜପଥର ବିକାଶ, ରକ୍ଷଣାବେକ୍ଷଣ ଏବଂ ପରିଚାଳନା ପ୍ରସ୍ତାବକୁ ଆଜି ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ମଞ୍ଜୁରୀ ମିଳିଛି । ପ୍ରକଳ୍ପର ଦୈର୍ଘ୍ୟ ୧୬୬.୮୦ କିଲୋମିଟର ମେଘାଳୟ (୧୪୪.୮୦ କିମି) ଏବଂ ଆସାମ (୨୨.୦୦ କିମି)ରେ ରହିଛି । ଆଜି ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ମୋଟ ୨୨୮୬୪ କୋଟି ଟଙ୍କା ପୁଞ୍ଜି ବ୍ୟୟରେ ଆକସେସ୍ ନିୟନ୍ତ୍ରିତ ଗ୍ରୀନଫିଲ୍ଡ ହାଇ-ସ୍ପିଡ୍ କରିଡର ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଇଛି ।
ପ୍ରସ୍ତାବିତ ଗ୍ରୀନଫିଲ୍ଡ ହାଇସ୍ପିଡ୍ କରିଡର ଗୁଆହାଟୀରୁ ସିଲଚରକୁ ଯାଉଥିବା ଟ୍ରାଫିକ ପାଇଁ ସେବାସ୍ତରରେ ଉନ୍ନତି ଆଣିବ । ଏହି କରିଡରର ବିକାଶ ଦ୍ୱାରା ତ୍ରିପୁରା, ମିଜୋରାମ, ମଣିପୁର ଏବଂ ଆସାମର ବରାକ ଉପତ୍ୟକା ଅଞ୍ଚଳକୁ ମୁଖ୍ୟଭୂମି ଏବଂ ଗୌହାଟୀରୁ ଯୋଗାଯୋଗରେ ଉନ୍ନତି ଆସିବ ଏବଂ ଯାତ୍ରା ଦୂରତା ଓ ସମୟ ଯଥେଷ୍ଟ ହ୍ରାସ ପାଇବ । ଏହା ଫଳରେ ଦେଶର ଲଜିଷ୍ଟିକ୍ ଦକ୍ଷତା ବୃଦ୍ଧିରେ ସହାୟକ ହେବ ବୋଲି ମତ ପ୍ରକାଶ ପାଇଛି । ଏହି ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପ ରି ଭୋଇ, ପୂର୍ବ ଖାସି ପାହାଡ଼, ପଶ୍ଚିମ ଜୟନ୍ତିଆ ପାହାଡ଼, ମେଘାଳୟର ପୂର୍ବ ଜୟନ୍ତିଆ ପାହାଡ଼ ଏବଂ ଆସାମର କାଚର ଜିଲ୍ଲା ଦେଇ ଗୁଆହାଟୀ, ଶିଲଙ୍ଗ ଏବଂ ସିଲଚର ମଧ୍ୟରେ ଆନ୍ତଃ-ସହର ଯୋଗାଯୋଗରେ ଉନ୍ନତି ଆଣିବ । ଏହି ପ୍ରକଳ୍ପ ଆଲାଇନମେଣ୍ଟ ଏନ୍ଏଚ ୨୭, ଏନ୍ଏଚ ୧୦୬, ଏନ୍ଏଚ ୨୦୬, ଏନ୍ଏଚ ୩୭ ସମେତ ପ୍ରମୁଖ ପରିବହନ କରିଡର ସହିତ ସମନ୍ୱିତ ହୋଇ ଗୌହାଟୀ, ଶିଲଂ, ସିଲଚର, ଡିଙ୍ଗପାସୋହ, ଉମ୍ମୁଲଙ୍ଗ, ଫ୍ରାମେର, ଖଲିୟରିଆଟ, ରାତାଚେରା, ଉମକିଆଙ୍ଗ, କାଲାଇନକୁ ନିରବଚ୍ଛିନ୍ନ ଯୋଗାଯୋଗ ପ୍ରଦାନ କରିବ ।