କ୍ରିପ୍ଟୋ ଇନଭେଷ୍ଟମେଣ୍ଟ ଠକେଇ ମାମଲା : ମୁଖ୍ୟ ଅଭିଯୁକ୍ତକୁ ୭ ବର୍ଷ ସଜ୍ଜା
ଭୁବନେଶ୍ୱର : ଓପିଆଇଡି କୋର୍ଟ ବାଲେଶ୍ୱର ଗୁରୁବାର କ୍ରିପ୍ଟୋ ଇନଭେଷ୍ଟମେଣ୍ଟରେ ଠକେଇ କରିଥିବା ମୁଖ୍ୟ ଅଭିଯୁକ୍ତକୁ ୭ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥିସହ ଅଭିଯୁକ୍ତ ନିଲେଶ କୁମାର କରଙ୍କୁ ୨ଲକ୍ଷ ୩୫ ହଜାର ଟଙ୍କା ଜମା କରିବାକୁ କୋର୍ଟ ତାଙ୍କ ଅର୍ଡର କପିରେ ଉଲ୍ଲେଖ କରିଛନ୍ତି । ଟଙ୍କା ଜମା ନକଲେ ଅଭିଯୁକ୍ତ ଅଧିକ ୨ ବର୍ଷ ଜେଲରେ ରହିବେ ବୋଲି ବିଚାରପତି ତାଙ୍କ ରାୟରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି ।
ଏହି ଠକେଇ ହୋଇଥିବା ନେଇ ବାଲେଶ୍ୱର ସହଦେବଖୁଣ୍ଟା ଅଞ୍ଚଳର ମାହାମନୟ ଜେନା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଶାଖାରେ ୨୦୨୩ ମସିହାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଇଓଡବ୍ଲୁ୍ୟ ପକ୍ଷରୁ ମାମଲାର ବିଚାର କରାଯାଇ ସେହିବର୍ଷ ଏପ୍ରିଲ ୪ ତାରିଖରେ ଅଭିଯୁକ୍ତକୁ ଗିରଫ କରିଥିଲା । ଏହି ମାମଲାରେ ଗିରଫ ଅଭିଯୁକ୍ତ ଅଭିଯୋଗକାରୀଙ୍କୁ କ୍ରିପ୍ଟୋ ଆପ୍ରେ ଟଙ୍କା ନିବେଶ କରିବାକୁ ପ୍ରବର୍ତ୍ତାଇଥିଲା । ପରେ ଅଭିଯୋଗକାରୀ ୨ ଲକ୍ଷ ୧୩ ହଜାର ୩୫ ଟଙ୍କା ନିବେଶ କରିଥିଲେ । ଏହି ଟଙ୍କାକୁ ଅଭିଯୋଗକାରୀ ଜାନୁୟାରୀରୁ ମାର୍ଚ୍ଚ ମାସ ମଧ୍ୟରେ ଜମା କରିଥିଲେ । ପରବର୍ତ୍ତୀ ସମୟରେ ଟଙ୍କା ଫେରସ୍ତ ହେବ କ’ଣ ଉକ୍ତ ଆପଟି ବନ୍ଦ ହୋଇଯାଇଥିଲା । ପରେ ଏନେଇ ଅଭିଯୋଗ ହେବା ପରେ ଇଓଡବ୍ଲୁ୍ୟ ଅଧିକାରୀମାନେ ତଦନ୍ତ ବେଳେ ଜାଣିବାକୁ ପାଇଥିଲେ ଯେ, ଅଭିଯୁକ୍ତ ନିଲେଶ ଏହିପରି ସମାନ ଢ଼ଙ୍ଗରେ ରାଜ୍ୟର ଏକାଧିକ ବ୍ୟକ୍ତିଙ୍କ ଠାରୁ ୧ କୋଟି ୧୩ ଲକ୍ଷ ଟଙ୍କା ଠକେଇ କରିଥିଲା । ଏହି ମାମଲାକୁ ଓପିଆଇଡି କୋର୍ଟର ସ୍ପେଶାଲ ପିପି ପ୍ରଣବ କୁମାର ପଣ୍ଡା ପରିଚାଳନା କରୁଥିବା ବେଳେ ମାମଲାକୁ ଇଓଡବ୍ଲୁ୍ୟ ପକ୍ଷରୁ ଇନ୍ସପେକ୍ଟର ତାପସ ରଞ୍ଜନ ସାହୁ ତଦନ୍ତ କରି ଠିକ ସମୟରେ ଚାର୍ଜସିଟ ଦାଖଲ କରିଥିଲେ ।