୪୩ତମ ଚଞ୍ଚଳା ଟ୍ରଫି : ଜୁଭେନାଇଲକୁ ହରାଇ ମୁକ୍ତେଶ୍ୱର ବିଜୟୀ
ରାଜନଗର: ରାଜନଗର ବ୍ଲକ କୋଇଲିପୁର ପଞ୍ଚାୟତ ବଡପଲୀସ୍ଥିତ ଚଞ୍ଚଳା ମିନିଷ୍ଟାଡିୟମରେ ରାଜ୍ୟସ୍ତରୀୟ ଚଞ୍ଚଳା ଟ୍ରଫିର ଚତୁର୍ଥ ଲିଗମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଏହି ମ୍ୟାଚରେ ମୁକ୍ତେଶ୍ୱର କ୍ରିକେଟ କ୍ଲବ ଭୁବନେଶ୍ୱର ବନାମ ଜୁଭେନାଇଲ କଟକ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।
ଟସ୍ ଜିତି ପ୍ରଥମେ ମୁକ୍ତେଶ୍ୱର ବ୍ୟାଟିଂ ନିଷ୍ପତି ନେଇ ପଡିଆକୁ ଓହ୍ଲାଇଥିଲା । ନିର୍ଦ୍ଧାରିତ ୨୨ଓଭରରେ ୮ ୱିକେଟ ହରାଇ ଦଳ ୧୭୬ ରନ୍ କରିଥିଲା । ଦଳର ବ୍ୟାଟସମ୍ୟାନ ଶ୍ରେୟାଂଶୁ ପଟ୍ଟନାୟକ ୨୬ବଲ୍ ଖେଳି ୨ଟି ଛକା ଓ ୨ଟି ଚୌକା ସହାୟତାରେ ୨୬ରନ ସଂଗ୍ରହ କରିଥିଲେ । ଅନ୍ୟତମ ବ୍ୟଟସ୍ମ୍ୟାନ ରୋନକ ବନ୍ନା ୨୮ବଲ୍ ଖେଳି ୨ଟି ଛକା ଓ ୪ଟି ଚୌକା ସହାୟତାରେ ୪୩ରନ୍ ସଂଗ୍ରହ କରିଥିଲେ । ଜବାବରେ ୧୭୭ ରନର ଲକ୍ଷ୍ୟ ନେଇ ଜୁଭେନାଇଲ୨୨ ଓଭର ଖେଳି ୯ ୱିକେଟ ହରାଇ ୧୭୨ରନ କରି ପରାଜୟବରଣ କରିଥିଲା । ଜୁଭେନାଇଲର ବ୍ୟାଟସ୍ମ୍ୟାନ ରାମଚନ୍ଦ୍ର ବେହେରା ୩୧ ବଲ ଖେଳି ୨ଟି ଛକା ଓ ୨ଟି ଚୌକା ସହାୟତାରେ ୩୩ ରନ ସଂଗ୍ରହ କରିଥିଲେ । ଅନ୍ୟତମ ବ୍ୟାଟସ୍ମ୍ୟାନ ସୋହିଲ ଖାନ୍ ୪୧ବଲ ଖେଳି ୩ଟି ଛକା ଓ ୫ଟି ଚୌକା ସହାୟତାରେ ୫୮ ରନ ସଂଗ୍ରହ କରିଥିଲେ । ମୁକ୍ତେଶ୍ୱର ବୋଲର ସତ୍ୟଜିତ ୫ ଓଭର ଖେଳି ୩୭ରନ ବିନିମୟରେ ୩ଟି ୱିକେଟ ଅକ୍ତିଆର କରିଥିଲେ । ଅନ୍ୟତମ ବୋଲର ବିଗୁଲ ୪ ଓଭର ଖେଳି ୨୪ରନ ବିନିମୟରେ ୫ ୱିକେଟ ହାସଲ କରି ମ୍ୟାନ ଅଫ୍ ଦି ମ୍ୟାଚ ଘୋଷିତ ହୋଇଥିଲେ । ଖେଳର ପରିଚାଳକ ଭାବରେ ବଂଶୀଧର ସ୍ୱାଇଁ ଓ ନିରୋଦ ବଳ ଦାୟିତ୍ୱ ନିର୍ବାହ କରିଥିଲେ । ସ୍କୋରର ଭାବେ ତାପସ ରଥ ଓ ଉମେଶ ବଳ । ଭାଷ୍ୟକର ଭାବେ ବିଜୟ ବଳ ଓ ଶଶଧର ରାଉତ ଖେଳର ଧାରାବିବରଣୀ ପ୍ରଦାନ କରିଥିଲେ । ବିଜେତା ଦଳକୁ ସଭାପତି ତପନ ପରିଡା ଓ ସମ୍ପାଦକ ଅଭିମନୁ୍ୟ ପ୍ରତିହାରୀଙ୍କ ନେତୃତ୍ୱରେ ମୁଖ୍ୟଅତିଥି ଭାବେ ଅଧ୍ୟାପିକା ଭଗବତୀ ରାଉତ ଓ ମୁଖ୍ୟବକ୍ତା ଭାବେ ଶିକ୍ଷାବିତ ମହେଶ୍ୱର ବଳ ଅତିଥି ଭାବେ ପୁରସ୍କାର ବିତରଣ କରିଥିଲେ । ଚଞ୍ଚଳା ମିନି ଷ୍ଟାଡିୟମରେ ଉଦ୍ଘାଟନୀ ମ୍ୟାଚ୍ ଦେଖିବା ପାଇଁ ବହୁ ସଂଖ୍ୟାରେ ଦର୍ଶକ ଭିଡ଼ ଜମାଇଥିଲେ ।