କାମର ଲୋଭ ଦେଖାଇ ଯୁବତୀମାନଙ୍କୁ ବିହାରକୁ ଚାଲାଣ : ଥାନାରେ ଅଭିଯୋଗ ରଖିଲାନି ପୁଲିସ୍, ଚିନ୍ତାରେ ପରିବାର 

ରାଜନଗର: କାମର ଲୋଭ ଦେଖାଇ ଯୁବତୀଙ୍କୁ ବାହାର ରାଜ୍ୟକୁ ଚାଲାଣ କରିବା ଘଟଣା ପଦାକୁ ଆସିଛି । ଭୁବନେଶ୍ୱରରେ ଥିବା ବିସ୍କୁଟ ଫ୍ୟାକ୍ଟ୍ରିରେ କାମ କରିବାକୁ କହି ଯୁବତୀଙ୍କୁ ନେଇ ବିହାର ପଠାଇଥିବା ସଙ୍ଗୀନ ଅଭିଯୋଗ ହୋଇଛି । ରାଜନଗର ବ୍ଲକ ସାନବଡଗୋପାଳପୁର ପଞ୍ଚାୟତ ଭାଟପଡା ଗ୍ରାମର ଶରତ ଚନ୍ଦ୍ର ଦାସ କରିଥିବା ଅଭିଯୋଗ ଅନୁଯାୟୀ , ତାଙ୍କ ଝିଅ ବିଣାପାଣୀ ଦାସ(୧୯) ଓ ଝିଆରୀ ପଦ୍ମାବତୀ ଦାସ(୧୯)ଙ୍କୁ ନିଶ୍ଚିନ୍ତକୋଇଲି ଅଞ୍ଚଳର ଶଙ୍କର ନାମକ ବ୍ୟକ୍ତି ତାଙ୍କୁ ସାଥିରେ ଚାରିମାସ ପୂର୍ବେ ନେଇଥିଲେ । ଭୁବନେଶ୍ୱର ବିସ୍କୁଟ ଫ୍ୟାକ୍ଟ୍ରିରେ ତିନିଦିନ କାମ କରିଥିଲେ । ପରେ କମ୍ପାନୀର ନୂଆ ଫ୍ୟାକ୍ଟ୍ରିରେ କାମ କରିବାକୁ କହି ବିହାରକୁ ନେଇଯାଇଥିଲେ ସେଠାରେ ସଂଜୟ ଭବନ ନାମକ ବ୍ୟକ୍ତିଙ୍କ ନିକଟରେ ଛାଡି ଦେଇ ଚାଲି ଆସିଥିଲା । ସେଠାରେ ସେମାନଙ୍କୁ ଅର୍କେଷ୍ଟାରେ ନିୟୋଜିତ କଲେ । ଯୁବତୀଦ୍ୱୟ ଏହାକୁ ବିରୋଧ କରିବାରୁ ସେମାନଙ୍କୁ ଶାରିରୀକ ଓ ମାନସିକ ଯନ୍ତ୍ରଣା ଦେଇ ଅର୍କେଷ୍ଟାରେ ନିୟୋଜିତ କଲେ । 
ଏସମ୍ପର୍କରେ ସେମାନେ ଶଙ୍କରଙ୍କୁ ଜଣାଇଥିଲେ ମଧ୍ୟ ସେ କୌଣସି କଥା ବୁଝିଲେ ନାହିଁ । ସେମାନେ ବାଧ୍ୟ ହୋଇ ସେଠାରେ କାମ କଲେ । କୌଶଳକ୍ରମେ ଗାଁକୁ ବିଣାପାଣୀ ଖସି ପଳାଇ ଆସିଲା । ଝିଆରୀ ପଦ୍ମାବତୀଙ୍କ ସହ ସାଲେପୁର ଅଂଚଳର ଅନ୍ୟ ତିନିଜଣ ଯୁବତୀ ମଧ୍ୟ ସେଠାରେ ପଣବନ୍ଦୀ ଅବସ୍ଥାରେ ଅଛନ୍ତି । ଅର୍କେଷ୍ଟାରେ କାମ ନକଲେ ସେମାନଙ୍କୁ ନିର୍ଯ୍ୟାତନା ଦିଆଯାଉଥିବା ବିଣାପାଣୀ କହିଛନ୍ତି ଏନେଇ ବିଣାପାଣୀଙ୍କ ପିତା ଶରତ ରାଜନଗର ଥାନାରେ ଅଭିଯୋଗ କରିବାକୁ ଯାଇଥିଲେ । ମାତ୍ର ପୋଲିସ ତାଙ୍କ ଅଭିଯୋଗକୁ ଗ୍ରହଣ ନକରି ଫେରାଇ ଦେଇଥିଲା । ଶରତ ଜଣେ ଗରୀବ ଦଳିତ ସଂପ୍ରଦାୟର ଲୋକ ହୋଇଥିବାରୁ ଝିଆରୀକୁ ଫେରାଇ ଆଣିବା ପାଇଁ କୌଣସି ବାଟ ପାଉନାହିଁ । ପଦ୍ମାବତୀ ସମେତ ଅନ୍ୟ ତିନିଜଣ ଯୁବତୀଙ୍କୁ ଉଦ୍ଧାର କରିବାକୁ ପ୍ରଶାସନ ନିକଟରେ ଶରତ ନିବେଦନ କରିଛନ୍ତି । ଏନେଇ ଏଏସ୍ଆଇ ବୈ÷କୁଣ୍ଠ ପାଢିଙ୍କୁ ପଚାରିବାରୁ ଘଟଣା ବିହାରରେ ଘଟିଥିବାରୁ ମୁଁ ତାଙ୍କ ଅଭିଯୋଗ ଗ୍ରହଣ କରିନାହିଁ ବୋଲି କହି କଥାକୁ ଏଡାଇ ଯାଇଥିଲେ ।