ହାଟରୁ ଦରପୋଡ଼ା ଶବ ଉଦ୍ଧାର ଘଟଣା: ସାମାନ୍ୟ ଟଙ୍କା ପାଇଁ ପୋଡ଼ିଦେଲେ

 ବାରିପଦା: ମୟୂରଭଞ୍ଜ ଜିଲ୍ଲା କେନ୍ଦୁଜୁଆଣି ସାପ୍ତାହିକ ହାଟରୁ ଜବତ ହୋଇଥିବା ଦରପୋଡ଼ା ଶବର ପରିଚୟ ଠାବ କରିଛି ପୁଲିସ୍ । ଆଉ ଏ କାଣ୍ଡ ନେଇ ଯେଉଁ ତଥ୍ୟ ସାମ୍ନାକୁ ଆସିଛି ତାହାକୁ ନେଇ ଚକ୍କିତ ହୋଇଛନ୍ତି ଜିଲ୍ଲାବାସୀ । ସାମାନ୍ୟ ଟଙ୍କା କେତେଟାକୁ କେନ୍ଦ୍ର କରି ସମ୍ପୃକ୍ତ ବ୍ୟକ୍ତିଙ୍କୁ ପୋଡ଼ି ମାରିଦେଇଛନ୍ତି ଦୁଇ ଦୋକାନୀ । ପ୍ରମାଣ ନଷ୍ଟ ଉଦେ୍ଦଶ୍ୟରେ ଦୁଇଜଣ ଦୋକାନୀ ଏଭଳି କାଣ୍ଡ ଭିଆଇଥିବା ତଦନ୍ତରୁ ସ୍ପଷ୍ଟ ହୋଇଛି । ମୃତବ୍ୟକ୍ତି ଜଣକ ଜଡ଼ବିଲ ଗାଁର କନ୍ଦା ମହାନ୍ତ  ହୋଇଥିବା ବେଳେ ଅଭିଯୁକ୍ତ ଦୋକାନୀ ଦୁଇଜଣ ହେଉଛନ୍ତି ସେହି ଗାଁର ରଞ୍ଜିତ ମହାନ୍ତ ଏବଂ ଘନ ଜାମୁଡ଼ା । କରଞ୍ଜିଆ ଉପଖଣ୍ଡ ପୁଲିସ୍ ପକ୍ଷରୁ ଆଜି ଏହି ସୂଚନା ଦିଆଯାଇଛି ।
ଘଟଣା ଅନୁସାରେ ଗତ ୧୬ତାରିଖରେ କନ୍ଦା ମହାନ୍ତ କେନ୍ଦୁଜୁଆଣି ହାଟକୁ ଆସି ରଞ୍ଜିତ ଓ ଘନଙ୍କ ଦୋକାନରୁ ପତ୍ରପୋଡା ମାଂସ ଓ ଚଣା କିଣି ଖାଇଥିଲେ । କିନ୍ତୁ ଟଙ୍କା ଦେଇ ନ ଥିଲେ । ଏ ଘଟଣାକୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ପ୍ରଥମେ ବଚସା ହୋଇଥିଲା ଏବଂ ପରେ ପରେ ଉଭୟଙ୍କ ମଧ୍ୟରେ ମାରପିଟ ହୋଇଥିଲା । ଫଳରେ ଉତ୍ତ୍ୟକ୍ତ ଦୁଇ ଦୋକାନୀ କନ୍ଦାଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲେ । ଏହାପରେ ସେମାନେ ଭୟଭୀତ ହୋଇ ପ୍ରମାଣ ନଷ୍ଟ ନିମନ୍ତେ ନଡ଼ା ସାହାଯ୍ୟରେ ଶବ ପୋଡିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ । ଶବଟି ଦରପୋଡ଼ା ଲିଭିଯିବାରୁ ସେମାନେ ସେଠାରୁ ଚମ୍ପଟ ମାରିଥିଲେ । ପରଦିନ ସକାଳୁ ପୁଲିସ ଶବ ଜବତ କରି ଘଟଣାର ତଦନ୍ତ ଚଳାଇଥିବା ବେଳେ ଆଜି ଏହାର ସମ୍ପୂର୍ଣ୍ଣ ଘଟଣାବଳୀ ଉପରୁ ପରଦା ଉଠାଇଛି । ତଦନ୍ତ ପରେ ରଞ୍ଜିତ ଓ ଘନ ହତ୍ୟାକାରୀ ବୋଲି ପୁଲିସ୍ ଜାଣିବାକୁ ପାଇଥିଲା । ସେମାନଙ୍କୁ ଗିରଫ କରି ଜେରା କରିବା ପରେ ସେମାନେ ସତକଥା ମାନିଥିଲେ । ଗୁରୁବାର ପୁଲିସ୍ ସେମାନଙ୍କୁ ଘଟଣାସ୍ଥଳକୁ ନେଇ କ୍ରାଇମ ସିନ୍ ରିକ୍ରିଏସନ କରିବା ସହ ଉଭୟଙ୍କୁ କୋର୍ଟଚାଲାଣ କରିଛି ।