୯ ଜିଲ୍ଲାରେ ନିଅଣ୍ଟିଆ ବର୍ଷା


 ଭୁବନେଶ୍ୱର:

ଗତ କିଛିଦିନ ଧରି ବର୍ଷା ପରିମାଣ କମିଯିବାରୁ ନିଅଣ୍ଟିଆ ବର୍ଷା ଜିଲ୍ଲା ସଂଖ୍ୟା ବୃଦ୍ଧିପାଇଛି  । ଅଗଷ୍ଟ ୧୦ ସୁଦ୍ଧା ୯ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ତଥ୍ୟରୁ ଜଣାପଡ଼ିଛି  । ଯଦି ଆଗାମୀ ସପ୍ତାହରେ ଭଲବର୍ଷା ନହୁଏ ତେବେ ଏହି ତାଲିକାରେ ଆଉ କିଛି ଜିଲ୍ଲା ଯୋଡ଼ିହେବାର ସମ୍ଭାବନା ରହିଛି  । 
ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ, ଏବେ ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ା, କଳାହାଣ୍ଡି, ନବରଙ୍ଗପୁର, ନୂଆପଡ଼ା ଓ ବଲାଙ୍ଗୀରରେ ନିଅଣ୍ଟିଆ ବର୍ଷା ହୋଇଛି  । ସ୍ୱାଭାବିକ ଠାରୁ ୨୦%ରୁ କମ୍ ବର୍ଷା ହେଲେ ନିଅଣ୍ଟିଆ ବର୍ଷା ବୋଲି କୁହାଯାଏ  । ଯଦି ଏହାକୁ ହିସାବକୁ ନେବା ଆଗାମୀ ଦିନରେ ଭଲ ବର୍ଷା ନହେଲେ ପୁଣି କିଛି ଜିଲ୍ଲା ନିଅଣ୍ଟିଆ ତାଲିକାରେ ଯୋଡ଼ିହେବାର ଆଶଙ୍କା ରହିଛି  । ନୟାଗଡ଼ରେ ୧୮%, ଯାଜପୁରରେ ୧୯%, କନ୍ଧମାଳରେ ୧୬% କମ୍ ବର୍ଷା ହୋଇଛି  । ଭଲ ବର୍ଷା ନହେଲେ ଏହି ଜିଲ୍ଲାବି ନିଅଣ୍ଟିଆ ତାଲିକାକୁ ଆସିଯିବ  ।
ଅପରପକ୍ଷରେ ଆସନ୍ତା ୧୬ ଯାଏଁ ବର୍ଷା ନେଇ ଆଇଏମଡ଼ି ପକ୍ଷରୁ ଆକଳନ କରାଯାଇଛି  ।  ଆସନ୍ତାକାଲି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, ବଲାଙ୍ଗୀର, ନବରଙ୍ଗପୁର, କୋରାପୁଟ, ମାଲକାନାଗିରି, ରାୟଗଡ଼ା, କେନ୍ଦୁଝର, ସୁନ୍ଦରଗଡ଼, ନୂଆପଡ଼ା ଓ କଳାହାଣ୍ଡିରେ  ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଣ୍ଟାପ୍ରତି ଝଟକା ପବନର ବେଗ ୩୦ରୁ ୪୦ କିମି ବେଗରେ ପବନ ବହିବା ସହ ବଜ୍ରପାତର ସମ୍ଭାବନା ରହିଛି  । ସେହିପରି ରାଜ୍ୟର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଅଛି  । ଏହାଛଡ଼ା ଆସନ୍ତା ୧୩ ଓ ୧୪ରେ କୋରପୁଟ ଓ ମାଲକାନାଗିରିରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି  ।