ଗଞ୍ଜା ଲଢେଇ ରାକେଟ୍, ୬୪ ଗିରଫ  ୩ଠ ଲକ୍ଷ ଟଙ୍କା, ୫୫ କାର୍, ୮୬ ଗଞ୍ଜା ଓ ୪୬ ଛୁରି ଜବତ

 ହାଇଦ୍ରାବାଦ: ତେଲେଙ୍ଗାନା ପୁଲିସ୍କୁ ମିଳିଛି ବଡ଼ ସଫଳତା । ତେଲେଙ୍ଗାନାର ରାଙ୍ଗାରେଡ୍ଡି ଜିଲ୍ଲା ମୋଇନାବାଦ୍ରେ ଚାଲିଥିବା ଏକ ବେଆଇନ ଗଞ୍ଜା ଲଢ଼େଇ ଆଡ୍ଡାରେ ଚଢ଼ଉ କରି ପୁଲିସ୍ ୬୪ ଜଣଙ୍କୁ ଗିରଫ କରିଛି । ଘଟଣାସ୍ଥଳରୁ ୩୦ ଲକ୍ଷ ଟଙ୍କା, ୫୫ଟି ଦାମୀ କାର୍, ୮୬ଟି ଗଞ୍ଜା, ୪୬ଟି ଛୁରୀ ସମେତ କୁକୁଡ଼ା ଲଢ଼େଇରେ ବ୍ୟବହୃତ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି । ରାଜେନ୍ଦ୍ରନଗର ଏବଂ ମୋଇନାବାଦ ପୁଲିସ୍କୁ ନେଇ ଗଠିତ ସ୍ପେଶାଲ୍ ଅପରେସନ୍ ଟିମ୍ (ଏସ୍ଓଟି) ଏହି ଚଢ଼ଉ କରି ୬୪ ଜଣଙ୍କୁ ଗିରଫ କରିଛି । ଗିରଫ ୬୪ ଜଣଙ୍କ ମଧ୍ୟରୁ ୧୦ ଜଣ ତେଲେଙ୍ଗାନାର ହୋଇଥିବା ବେଳେ ଅନ୍ୟ ୫୪ ଜଣ ଆନ୍ଧ୍ରପ୍ରଦେଶର ବୋଲି ଏସ୍ଓଟି ପକ୍ଷରୁ ସୂଚନା ଦିଆଯାଇଛି । ଏହି କୁକୁଡ଼ା ଲଢ଼େଇ ପାଇଁ ଏକ ରାକେଟ୍ କାମ କରୁଥିବା ବେଳେ ଏହାର କିଙ୍ଗ୍ପିନ୍କୁ ଧରିବା ପାଇଁ ଏସ୍ଓଟି ବିଭିନ୍ନସ୍ଥାନରେ ଚଢ଼ଉ ଜାରି ରଖିଛି । ପଶୁମାନଙ୍କ ପ୍ରତି ନିଷ୍ଠୁର ବ୍ୟବହାର ଓ ବେଆଇନ ଗଞ୍ଜା ଲଢ଼େଇକୁ ଭିତ୍ତି କରି ପୁଲିସ୍ ଏକ ମାମଲା ରୁଜୁ କରି ଘଟଣାର ଖୋଳତାଡ଼ କରୁଛି ।
ସୂଚନାଯୋଗ୍ୟ ପ୍ରତି ସଂକ୍ରାନ୍ତିରେ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାର ବିଭିନ୍ନସ୍ଥାନରେ ବେଆଇନ କୁକୁଡ଼ା ଲଢ଼େଇ ହୋଇଥାଏ । ଏହି କୁକୁଡ଼ା ଲଢ଼େଇରେ କୋଟି କୋଟି ଟଙ୍କାର ବେଟିଂ ଲାଗୁଥିବା ବେଳେ ୨୦୧୬ରେ ଆନ୍ଧ୍ରପ୍ରଦେଶ ହାଇକୋର୍ଟରେ ଏନେଇ ମାମଲା ରୁଜୁ ହୋଇଥିଲା । ସେହି ସମୟରେ  ରାଜ୍ୟସରକାରଙ୍କୁ ଏ ମାମଲାର ତଦାରଖ ନିଦେ୍ର୍ଦଶ ଦେଇଥିଲେ ହାଇକୋର୍ଟ । ପୁନଃ ୨୦୧୮ରେ ହାଇକୋର୍ଟ ଏହାର ଶୁଣାଣି କରି କୋର୍ଟଙ୍କ ରାୟକୁ ଲାଗୁ କରିବାକୁ ରାଜ୍ୟ ସରକାରଙ୍କୁ ନିଦେ୍ର୍ଦଶ ଦେଇଥିଲେ ଏବଂ ଏହି ଗଞ୍ଜା ଲଢ଼େଇକୁ ବେଆଇନ ଘୋଷଣା କରିବା ସହ ଏହା ଉପରେ ରୋକ ଲଗାଇବାକୁ ପୁଲିସ୍କୁ ନିଦେ୍ର୍ଦଶ ଦେଇଥିଲେ କୋର୍ଟ । ସେହିପରି କୁକୁଡ଼ା ଲଢ଼େଇ ଏକ ପାରମ୍ପରିକ ପଦ୍ଧତି ହୋଇଥିଲେ ସୁଦ୍ଧା କୁକୁଡ଼ା ଖେଳାଇବାକୁ ମନା ନାହିଁ । କିନ୍ତୁ କୁକୁଡ଼ାଙ୍କ ଗୋଡ଼ରେ ଛୁରୀ ଲଗାଇ ସେମାନଙ୍କ ପ୍ରତି ହେଉଥିବା ଅମାନବୀୟ ବ୍ୟବହାରକୁ ସୁପ୍ରିମକୋର୍ଟ କଡ଼ା ବିରୋଧ କରିଥିଲେ । ଏହାସହ ଏହି ଗଞ୍ଜା ଲଢ଼େଇକୁ ବେଆଇନ ଘୋଷଣା କରିଥିଲେ ।