ନାଗିଆପଶି ସରପଞ୍ଚଙ୍କ ବିରୁଦ୍ଧରେ ଅନାସ୍ଥା ଭୋଟ: ହାଇକୋର୍ଟଙ୍କ ନିଦେ୍ର୍ଦଶ ପରେ ପ୍ରକାଶ ପାଇବ ଫଳାଫଳ
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ନାଗିଆପଶି ପଞ୍ଚାୟତ ସରପଞ୍ଚ କୃଷ୍ଣଚନ୍ଦ୍ର ବେହେରାଙ୍କ ବିରୁଦ୍ଧରେ ଅନାସ୍ଥା ଭୋଟ ପଞ୍ଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି । ଏହି ମାମଲାରେ ହାଇକୋର୍ଟ ରହିତାଦେଶ ଜାରି କରିଥିବାରୁ ଫଳାଫଳ ପ୍ରକାଶ ପାଇନାହିଁ । ହାଇକୋର୍ଟଙ୍କ ନିଦେ୍ର୍ଦଶ ପରେ ଫଳାଫଳା ପ୍ରକାଶ କରାଯିବ । ନାଗିଆପଶି ପଞ୍ଚାୟତରେ ୧୧ଜଣ ୱାର୍ଡ ସଭ୍ୟ ରହିଥିବାବେଳେ ସରପଞ୍ଚ କୃଷ୍ଣଚନ୍ଦ୍ର ବେହେରାଙ୍କ ବିରୁଦ୍ଧରେ ଗତ ୩ ତାରିଖରେ ୯ ଜଣ ୱାର୍ଡ ସଭ୍ୟ ଅନାସ୍ଥା ପ୍ରସ୍ତାବ ଆଣିଥିଲେ । ତାହାକୁ କେନ୍ଦ୍ରକରି ଗତ ମାର୍ଚ୍ଚ ୨୦ ତାରିଖରେ ଅନାସ୍ଥା ବିରୁଦ୍ଧରେ ନାଗିଆପଶି ପଞ୍ଚାୟତ କାର୍ଯ୍ୟାଳୟରେ ଭୋଟିଂ ପାଇଁ ସ୍ଥିର ହୋଇଥିଲା । ଏହି ଆନାସ୍ଥା ବିରୁଦ୍ଧରେ ସରପଞ୍ଚ ଗତ ୧୭ ତାରିଖରେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଏପ୍ରିଲ ୨ତାରିଖ ପର୍ଯ୍ୟନ୍ତ ହାଇକୋର୍ଟ ଏହା ଉପରେ ରହିତାଦେଶ ଜାରି କରାଯାଇଥିବା ସୂଚନା ଦିଆଯିବା ପରେ ଆନାସ୍ଥା ପ୍ରସ୍ତାବକୁ ହାଇକୋର୍ଟଙ୍କ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା । ରିପିଟିସନ ୭୭୮୭/୨୦୨୫ ଅନୁଯାୟୀ ଗତକାଲି ପଞ୍ଚାୟତ କାର୍ଯ୍ୟାଳୟରେ ଭୋଟିଂ ଥିଲା । ଢେଙ୍କାନାଳ ତହସିଲଦାର ସ୍ୱାଧୀନ କୁମାର ବେହେରା, ଏବିଡିଓ କିଶୋର ଚନ୍ଦ୍ର ସାହୁଙ୍କ ସମେତ ବିଭିନ୍ନ ପଦାଧିକାରୀ ସେଠାରେ ପହଞ୍ଚôଥିଲେ । ତେବେ ଏହି ଅନାସ୍ତା ପ୍ରସ୍ତାବକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଥିବାରୁ ସମଗ୍ର ପଞ୍ଚାୟତ କାର୍ଯ୍ୟାଳୟ ଅଞ୍ଚଳକୁ ପୁଲିସ୍ ଛାଉଣି କରି ଦିଆଯାଇଥିଲା । ନିର୍ଦ୍ଧାରିତ ସମୟରେ ଭୋଟିଂ କାର୍ଯ୍ୟକ୍ରମ ହୋଇଥିଲା । ସରପଞ୍ଚଙ୍କ ସମେତ ୯ଜଣ ସଭ୍ୟ ଭୋଟ ଦେଇଥିଲେ । ହାଇକୋର୍ଟ ରହିତାଦେଶ ରହିଥିବାରୁ ଭୋଟ ଗଣତି କିମ୍ବା ଫଳାଫଳ ଘୋଷଣା ହୋଇ ନାହିଁ । ଉଚ୍ଚ ନ୍ୟାୟାଳୟଙ୍କ ନିଦେ୍ର୍ଦଶ ପରେ ଫଳାଫଳ ଘୋଷଣା କରାଯିବ ବୋଲି ତହସିଲଦାର ଶ୍ରୀ ବେହେରା ପ୍ରକାଶ କରିଛନ୍ତି ।