ଅଞ୍ଚଳ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଲେ ସାମ୍ବାଦିକ
ବେତନଟୀ: ବହୁ ଦିନ ଧରି ବେତନଟୀ ଅଞ୍ଚଳର ବିଭିନ୍ନ ସମସ୍ୟା ରହିଥିବାବେଳେ ଏହାର ସମାଧାନ ଲାଗି ଅଣ୍ଟା ଭିଡିଛି ବେତନଟୀ ବ୍ଲକ ମିଡ଼ିଆ ଆସୋସିଏସନ । ଏ ନେଇ ସଂଘର କର୍ମକର୍ତ୍ତା ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟଙ୍କୁ ସାକ୍ଷାତ କରି ସମସ୍ତ ସମସ୍ୟା ବାବଦରେ ଆଲୋଚନା କରିଛନ୍ତି । ଜିଲ୍ଲାପାଳ ମଧ୍ୟ ପ୍ରତ୍ୟେକ ସମସ୍ୟାକୁ ଶୁଣିବା ପରେ ତାର କିଭଳି ସମାଧାନ ହୋଇପାରିବ ଓ ପରବର୍ତ୍ତୀ ସମୟରେ କିପରି ଉନ୍ନତିକରଣ ହୋଇପାରିବ ସେଥିପାଇଁ ଚେଷ୍ଟା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ପ୍ରକାଶ ଯେ, ବେତନଟୀ ବ୍ଲକରେ ତିନି ବର୍ଷ ମଧ୍ୟରେ ପାଞ୍ଚ ବିଡ଼ିଓଙ୍କ ବଦଳି ହୋଇଥିବା ବେଳେ ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ ତିନି ବର୍ଷ ପୂରଣ ହୋଇଥିଲେ ମଧ୍ୟ ତାଙ୍କର ବଦଳି ଆଦେଶ ହୋଇନଥିବାରୁ ବଦଳି ପାଇଁ ଦାବି କରାଯାଇଛି । ଏହି ଯନ୍ତ୍ରୀଙ୍କ ନାମରେ ୨୪ ପଞ୍ଚାୟତର ବିଭିନ୍ନ ଅଭିଯୋଗ ଥିବା ସହିତ ଗଡ଼ଦେଉଳିଆ ପଞ୍ଚାୟତରେ କାମ କରାନଯାଇ ବିଲ କରାଯାଇଥିବାର ଘଟଣାରେ ଟଙ୍କା ଫେରସ୍ତ ପାଇଁ ସହକାରୀ ଯନ୍ତ୍ରୀଙ୍କୁ ଆଦେଶ ହୋଇଛି । ଏହି ଘଟଣାରେ ଉପରିସ୍ଥ ଅଧିକାରୀଙ୍କ ଆଦେଶକୁ ଅବମାନନା କରାଯାଇ ଏହି ଟଙ୍କା ଫେରସ୍ତ କରିନଥିବା ଅଭିଯୋଗ ରହିଛି । ସେହିଭଳି ବ୍ଲକର ୨୪ ପଞ୍ଚାୟତରେ ବିଭିନ୍ନ ସ୍ଥାନରେ ପାନୀୟଜଳ ପାଇଁ ସ୍ଥାନୀୟ ଲୋକଙ୍କ ଡହଳ ବିକଳର ସମସ୍ୟା ରହିଥିବା ବେଳେ ବେତନଟୀ ପଞ୍ଚାୟତ, ସଠିଲୋ ପଞ୍ଚାୟତ ତଥା ବେତନଟୀ ବ୍ଲକ ହେଡ଼ କ୍ୱାଟରରେ ମହୁଲିଆ ଗ୍ରାମ, ଆମ୍ଭଯୋଡ଼ା, ଭୁଡୁରୁ ବଣି, ଗରୁଡ଼ବସା ଗ୍ରାମରେ ପାନୀୟଜଳ ସମସ୍ୟା ଲାଗି ରହିଛି । ଏଠାରେ ନିର୍ମାଣଧୀନ ନୂତନ ପ୍ରକଳ୍ପ ନିର୍ମାଣ ସାରିବା ପରେ ଠିକାଦାରଙ୍କ ଦ୍ୱାରା ପଞ୍ଚାୟତକୁ ହସ୍ତାନ୍ତର ସରିଛି । ହସ୍ତାନ୍ତର ସରିବାର ୧୦ମାସ ବିତିଯାଇଥିଲେ ମଧ୍ୟ ପ୍ରକଳ୍ପରୁ ପାଣି ବାହାରୁ ନଥିବାର ଗ୍ରାମବାସୀଙ୍କ ଅଭିଯୋଗ ରହିଛି । ଏ ନେଇ ମିଡ଼ିଆ ଆସୋସିଏସନ ପକ୍ଷରୁ ଗ୍ରାମପଞ୍ଚାୟତ ଅଧିକାରୀ କନିଷ୍ଠ ଯନ୍ତ୍ରୀ ଓ ବିଡ଼ିଓକୁ ଅଭିଯୋଗ କରିବା ପରେ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଛନ୍ତି । ଅନ୍ୟ ପକ୍ଷରେ ବେତନଟୀ ବ୍ଲକର ବୁଢାବଳଙ୍ଗ ଓ ବାଉଁଶ ନଦୀର ପ୍ରତିବର୍ଷ ପର୍ଯ୍ୟାପ୍ତ ବାଲି ରହୁଥିବାବେଳେ ଚୋରି ରୋକିବା ପାଇଁ ନିଲାମ ଘାଟ ସଂଖ୍ୟା ବଢାଇବା ଓ ଯେଉଁ ସମୟରେ ନିଲାମ ବାଲି ଖାଦାନ ବନ୍ଦ ରହୁଛି, ସେହି ସମୟରେ ବେତନଟୀ ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସଗୃହ ଓ ବ୍ୟକ୍ତିଗତ ଭାବେ ନିଜସ୍ୱ ଗୃହ ନିର୍ମାଣ ଲାଗି ବାଲି ଉଠାଣ ପାଇଁ ପ୍ରଶାସନ ବିକଳ୍ପ ରାସ୍ତା ଆଣିବା ପାଇଁ ଜିଲ୍ଲାପାଳଙ୍କ ଠାରେ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଅନ୍ୟପକ୍ଷରେ ଏହି ବ୍ଲକ ଅଧୀନ ପାଟୁଳିପୁରା ପଞ୍ଚାୟତରେ ଅନୁମତି ନ ଥିବା ପାଞ୍ଚଟି ନାଲି ଇଟା ଭାଟି ଚାଲିଥିବାର ସ୍ଥାନୀୟ ବସ୍ତି ବାସିନ୍ଦାଙ୍କ ଅଭିଯୋଗ ରହିଛି । ଏହି ଇଟାଭାଟି ଗୁଡିକ ଜନବସତି ନିକଟବର୍ତ୍ତୀ ଓ ରାସ୍ତା ପାର୍ଶ୍ୱରେ ଥିବାରୁ ପରିବେଶକୁ ପ୍ରଦୂଷଣ କରୁଥିବାରୁ ଏହାର ନିରାକରଣ ସମ୍ପର୍କରେ ଜିଲ୍ଲାପାଳଙ୍କ ଦୃଷ୍ଟିକୁ ଅଣାଯାଇଥିଲା । ସେହିଭଳି ବେତନଟୀ ବ୍ଲକର ଧାନ ମଣ୍ଡି ଗୁଡିକରେ ଧାନର ମାନ ଠିକ ନଥିବା ଦର୍ଶାଇ କ୍ୱିଣ୍ଟାଲ ପ୍ରତି ୫କିଲୋରୁ ୧୫କିଲୋ ପର୍ଯ୍ୟନ୍ତ ଧାନ କଟାଯାଇଥିବାରୁ ଚାଷୀଙ୍କ ଅସନ୍ତୋଷ ରହିଛି । ଏହି ଚାଷୀମାନଙ୍କୁ ମଣ୍ଡିରେ ଥିବା ବିଭିନ୍ନ କର୍ମଚାରୀ ଓ ଦଲାଲମାନେ ଭୟଭୀତ କରାଇ ଧାନ କାଟୁଥିବାର ଜଣାପଡିଛି । ତେଣୁ ଏହାର ବିଧିବଦ୍ଧ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବେତନଟୀ ବ୍ଲକ ମେଡିଆ ଆସୋସିଏସନ ଦାବି ଉପସ୍ଥାପନା କରିଛି । ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ ସମୟରେ ବେତନଟୀ ମିଡ଼ିଆ ଏସୋସିଏସନର ସାମ୍ବାଦିକ ଧରଣୀଧର ମହାନ୍ତି, ରାଜେଶ ଖଣ୍ଡେଲୱାଲ, ଭବାନୀ ଶଙ୍କର ପରିଡା, ମନୋରଞ୍ଜନ ବେହେରା, ହରିଶଚନ୍ଦ୍ର ସାମଲ, ଉଦିତ କୁମାର ପରିଡା ପ୍ରମୁଖ ଉପସ୍ଥିତ ରହିଥିଲେ ।