ଅଧ୍ୟାପକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା
ବଡ଼ସାହି : ସ୍ଥାନୀୟ ବଡ଼ସାହି ପଞ୍ଚାୟତ ସମିତି ମହାବିଦ୍ୟାଳୟରେ ବିଗତ ୧୯୯୨ ମସିହାରେ ଉଦ୍ଭିଦ ବିଜ୍ଞାନର ଅଧ୍ୟାପିକା ଭାବେ ଚାକିରି ଜୀବନ ଆରମ୍ଭ କରିଥିବା ନିବେଦିତା ବେହେରା ଅବସର ଗ୍ରହଣ କରିଛନ୍ତି । ଉକ୍ତ କଲେଜରେ ସେ ନିରବିଚ୍ଛିନ୍ନ ଭାବେ ଶିକ୍ଷାଦାନ କରିବା ସହ ବିଭିନ୍ନ କ୍ଷେତ୍ରରେ ସଂଶ୍ଳିଷ୍ଟ ରହି ଛାତ୍ରଛାତ୍ରୀଙ୍କ ସେବାରେ ନିଜକୁ ନିୟୋଜିତ କରି ନିଜେ ଆତ୍ମ ସନ୍ତୋଷ ପାଇବା ସହ ସମସ୍ତଙ୍କର ପ୍ରିୟ ଭାଜନ ହୋଇ ପାରିଥିଲେ । କଲେଜ ଅଧ୍ୟକ୍ଷ ପ୍ରଫେସର କୃପାସିନ୍ଧୁ ମହାକୁଡଙ୍କ ଅଧ୍ୟକ୍ଷତାରେ ବିଦାୟୀ ପ୍ରାଧ୍ୟାପିକାଙ୍କ ଉଦେ୍ଦଶ୍ୟରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ତାଙ୍କୁ ମାନପତ୍ର ଓ ଉପଢ଼ୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାଧ୍ୟାପକ ଫକୀର ଚରଣ ସାହୁ, ଡ.ଜୀବନ କୁମାର ପଣ୍ଡିତ, ରମେଶ କୁମାର ବେହେରା, ସଞ୍ଜୟ କୁମାର ଜେନା, ପାର୍ଥ ସାରଥି ବିଶ୍ୱାଳ, ଅନ୍ତର୍ଯ୍ୟାମୀ ବେହେରା, ରିତୁଲତା ବିଶ୍ୱାଳ ପ୍ରମୁଖ ଭାବପୂର୍ଣ୍ଣ ବକ୍ତବ୍ୟ ରଖିଥିଲେ । ଅଧ୍ୟାପକ ବିନୋଦ କୁମାର ପରିଡ଼ା କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ହେଡ କ୍ଲାର୍କ ସୁବାଷ ଚନ୍ଦ୍ର ବେହେରା ଧନ୍ୟବାଦ ଦେଇଥିଲେ ।