ଅନନ୍ୟ କଥାକାର ଅଖିଳମୋହନ 

ଓଡ଼ିଆ ପ୍ରବନ୍ଧ ସାହିତ୍ୟରେ ଖବରକାଗଜ ଏକ ଅନବଦ୍ୟ ସୃଷ୍ଟି । ଏଥିରେ ପ୍ରାବନ୍ଧିକ ଲେଖିଛନ୍ତି କାଗଜରୁ ଅନେକ କଥା ହୁଏ । ମାତ୍ର, କାଗଜର ବଡ଼ ସାର୍ଥକତା ହେଉଛି, ଖବରକାଗଜ ହେବାରେ । ଖବରକାଗଜ ଖଣ୍ଡେ କିଣି ହାତରେ ମୋଡ଼ି ଧରିବା ଦରକାର । ନହେଲେ ବିପଦର ସମ୍ମୁଖୀନ ହେବାକୁ ପଡ଼େ । ଖବରକାଗଜ ମାଗିନେଇ ପଢ଼ିବା ଲୋକର ବି ଅଭାବ ନାହିଁ । କ୍ଷମା କରିବେ, କହି କାଗଜ ଖଣ୍ଡ ମାଗି ପଢ଼ନ୍ତି । ଏହି ପ୍ରବନ୍ଧରେ ସେ ଆହୁରି ମଧ୍ୟ ଲେଖିଛନ୍ତି, ଖବରକାଗଜରେ କିଛି ବାହାରିଥିଲେ, ରକ୍ଷା ନାହିଁ । ସେ ବିଷୟରେ ଚର୍ଚ୍ଚା ଆରମ୍ଭ ହୋଇଯାଏ । ଉଠିପଳାଇବାର ଉପାୟ ନଥାଏ । ସ୍ଥାନଟି ବକ୍ତୃତା ମଞ୍ଚରେ ପରିଣତ ହେବାର ଆଶଙ୍କା ଥାଏ । ଅନେକ ବକ୍ତୃତା ଦେବା ପାଇଁ ଖବରକାଗଜ ପଢ଼ନ୍ତି । ତେବେ, ସମୟ ଥିବା ଦରକାର । ପୁଣି ଲେଖିଛନ୍ତି, ପ୍ରୌଢ଼ ଓ ବେକାରମାନେ ହିଁ ଖବରକାଗଜର ମୁଖ୍ୟ ପାଠକ । ପ୍ରବନ୍ଧଟି ଲେଖିଥିଲେ ଗାଳ୍ପିକ ଅଖିଳମୋହନ ପଟ୍ଟନାୟକ । ସେ ଥିଲେ ସୃଷ୍ଟିଧର୍ମୀ ସାହିତି୍ୟକ । ଗଳ୍ପ, ଲଳିତ ନିବନ୍ଧ, ଭ୍ରମଣ ବୃତ୍ତାନ୍ତ ଆଦି ସାହିତ୍ୟର ବିଭିନ୍ନ ବିଭାଗରେ ଲେଖନୀ ଚାଳନା କରିଥିବା ସ୍ରଷ୍ଟା । ସେ ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ଗଳ୍ପ ଆକାଶର ଏକ ଉଜ୍ଜ୍ୱଳ ନକ୍ଷତ୍ର । ସେ ଥିଲେ ବାସ୍ତବବାଦୀ କଥାକାର । ମୁଁ କାହିଁକି ଲେଖେ ଶୀର୍ଷକରେ ସ୍ପଷ୍ଟ କହିଛନ୍ତି ଜୀବନରେ କୌଣସି ବାସ୍ତବ ଅନୁଭୂତି ଧାରଣ ନ କରିବା ପର୍ଯ୍ୟନ୍ତ ମୁଁ ଗଳ୍ପ ଲେଖିବାରେ ମନୋନିବେଶ କରେନାହିଁ । ତାଙ୍କର ଅଧିକାଂଶ ଗପ ଅନୁଭୂତିସିନ୍ଧ ।
    ପେସାରେ ଅଖିଳ ମୋହନ ଥିଲେ ଆଇନଜୀବୀ । ଆଉ ଗଳ୍ପ ଲେଖିବା ଥିଲା ନିଶା । କର୍ମମୟ ଜୀବନରେ ସେ ଆଇନ ବ୍ୟବସାୟକୁ କେତେ ସମୟ ଦେଇଥିଲେ ଏବଂ ଗଳ୍ପକୁ କେତେ ସମୟ ଅଜଣା । ତେବେ, ଏହା ସତ୍ୟ ଯେ, ମହକିଲଙ୍କୁ ଉପେକ୍ଷା କରୁ ନଥିଲେ । ଉଭୟ ଆଇନ ଓ ସାହିତ୍ୟ ସହ ତାଙ୍କର ସଂପର୍କ ଥିଲା । ସାହିତ୍ୟ ଥିଲା ଟିକିଏ ଅଧିକ ନିଜର । ତେଣୁ, କେହି କେହି କହନ୍ତି ଆଇନ ତାଙ୍କର ପତ୍ନୀ ଭଳି ସହାୟିକା ଏବଂ ଗଳ୍ପ ତାଙ୍କର ପ୍ରିୟତମା ପ୍ରେମିକା । ସେ ଥିଲେ ବିଚକ୍ଷଣ ଫୌଜଦାରୀ ଓକିଲ । ଆଇନ ବ୍ୟବସାୟରୁ ରୋଜଗାରକୁ ସେ ଏତେଟା ଗୁରୁତ୍ୱ ଦେଉନଥିଲେ । ସିଧା ଭାଷାରେ କହିଲେ, ଯାହା ମିଳିଲା ସେଥିରେ ସନ୍ତୁଷ୍ଟ ହେଉଥିଲେ । ଉଚ୍ଚଶିକ୍ଷା ଲାଭ ପରେ ଅଖିଳ ମୋହନ ଚାକିରି ନକରି ସ୍ୱାଧୀନ ଭାବେ ଜୀବିକା ଅର୍ଜନ କରିବାକୁ ନିଷ୍ପତ୍ତି ନେଇ, ପ୍ରଥମେ ସାଜିଥିଲେ ଠିକାଦାର । ତାହାପରେ ଓକିଲ । ଓଡ଼ିଶା ଗସ୍ତରେ ଆସିଥିବା ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଟେକା ପଥର ଫୋପାଡି ଲହୁ ଲୁହାଣ କରିଥିବା କଟକର ଅଭିଯୁକ୍ତ ଯୁବକମାନଙ୍କ ପକ୍ଷରୁ ସେ ଅଦାଲତରେ ମାମଲା ଲଢ଼ି, ସମସ୍ତଙ୍କୁ ଦୋଷମୁକ୍ତ କରାଇଥିଲେ । ପିଲାଦିନେ ଅଖିଳ ମୋହନ ଥିଲେ ଚପଳ ଯୌବନରେ ଥଟ୍ଟା ପରିହାସ ପ୍ରିୟ ସାଙ୍ଗକୁ ବାମପନ୍ଥୀ ଛାତ୍ରନେତା । ୧୯୮୨ ନଭେମ୍ବର ଆଜିର ଦିନରେ ଏକ ଦୁରାରୋଗ୍ୟ ବ୍ୟାଧିର ଅସ୍ତ୍ରୋପଚାର ପାଇଁ ନିଜେ କାର ଚଳାଇ ଏକ ଘରୋଇ ହସ୍ପିଟାଲକୁ ଯାଇଥିଲେ । ଛୁରୀ କତୁରି ଧରିଥିବା ଡାକ୍ତର ଓ ସେବିକାମାନଙ୍କୁ ଅଭିବାଦନ ଜଣାଇ ଅପରେସନ ଟେବୁଲରେ ଶୋଇଥିଲେ । ଘରେ କହିଯାଇଥିଲେ ପାଞ୍ଚ ଦିନ ପରେ ଫେରିବେ । ହେଲେ ସେହି ଟେବୁଲ୍ ଉପରେ ହିଁ ହୃଦ୍ଘାତରେ ପରଲୋକ ହୋଇଥିଲା ।
ଡ.ଅରୁନ୍ଧତୀ ଦେବୀ,ମୋ: ୯୯୩୭୧୭୨୮୧୦