ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସମୂହ ଛୁଟିରେ ରାଜସ୍ୱ ଅମଲା
ନବରଙ୍ଗପୁର: ବହୁ ପ୍ରତୀକ୍ଷିତ ଦଶ ଦଫା ଦାବି ପୂରଣ କରିବାରେ ରାଜ୍ୟ ସରକାରଙ୍କ ସହ ଆଲୋଚନା ବିଫଳ ହେବା ପରେ ସଂଘର ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତି ପ୍ରକାରେ ଅଗଷ୍ଟ ୧୧ ତାରିଖରୁ ନବରଙ୍ଗପୁର ଜିଲ୍ଲାର ସମସ୍ତ ରାଜସ୍ୱ ଅମଲା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସାମୂହିକ ଛୁଟିରେ ରହିଛନ୍ତି । ପ୍ରକାଶ ଯେ, ଗତ ୮ ତାରିଖ ଦିନ ରାଜସ୍ୱ ଅମଲାମାନେ ନିଜ ନିଜ ଅଧିକାରୀଙ୍କୁ ସମୂହ ଛୁଟି ଦରଖାସ୍ତ ପ୍ରଦାନ କରିଥିଲେ । ଯେତେ ଦିନ ପର୍ଯ୍ୟନ୍ତ ରାଜ୍ୟ ସରକାର ଦାବୀ ପୂରଣ କରି ବିଜ୍ଞପ୍ତି ପ୍ରକାଶ କରିବେ ନାହିଁ । ସେତେ ଦିନ ପର୍ଯ୍ୟନ୍ତ ଆନେ୍ଦାଳନ ଜାରି ରହିବ ବୋଲି ଦାକ୍ଷିଣାଞ୍ଚଳ ଜୋନ୍ର ସଭାପତି କୈଳାଶ ଚନ୍ଦ୍ର ଦାସ, ରାଜ୍ୟ ଉପସଭାପତି ଏସ୍. ଜଗଦୀଶ, ନବରଙ୍ଗପୁର ଜିଲ୍ଲା ସଭାପତି ଆଶୁତୋଷ ମହାନ୍ତି ପ୍ରକାଶ କରିଛନ୍ତି । ଏହି ଆନେ୍ଦାଳନ ସମୟରେ ଜନ ସାଧାରଣଙ୍କ ଯାହା ଅସୁବିଧାର ସମ୍ମୁଖୀନ ହେବେ, ସେଥିପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଦାୟୀ ରହିବେ ବୋଲି ସଂଘର କର୍ମକର୍ତ୍ତା ଚେତାବନୀ ଦେଇଛନ୍ତି ।
ରାଜ୍ୟ ସଭାପତି ତ୍ରିପତି ବାଲାଜୀ ସାହୁ ପ୍ରକାଶ କରିଛନ୍ତି ଯେ, ଜିଲ୍ଲାସ୍ତରରେ କାର୍ଯ୍ୟରତ ରାଜସ୍ୱ ଅମଲାମାନଙ୍କର ୧୦ ଦଫା ଦାବି ପୂରଣ କରିବା ନିମିତ୍ତ ରାଜ୍ୟ ସରକାରଙ୍କୁ ବାରମ୍ବାର ନିବେଦନ କରିବା ପରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଗତ ଜୁଲାଇ ୯ ତାରିଖରେ ପ୍ରାୟ ଅଢେଇ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ପର୍ଯ୍ୟନ୍ତ ରାଜସ୍ୱ ଅମଲା ସଂଘର ଶୀର୍ଷ ନେତୃବୃନ୍ଦଙ୍କ ସହିତ ଆଲୋଚନା କରି ଅତିଶୀଘ୍ର ଅର୍ଥାତ୍ ୭ରୁ ୧୫ ଦିନ ଭିତରେ ଦାବିଗୁଡିକୁ ପୂରଣ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଫଳ ସ୍ୱରୂପ ୧୪ ଜୁଲାଇକୁ ହେବାକୁ ଥିବା ରାଜସ୍ୱ ଅମଲାମାନଙ୍କ ତରଫରୁ ରାଜ୍ୟବ୍ୟାପୀ ପ୍ରସ୍ତାବିତ ଆନେ୍ଦାଳନ ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିବା ପାଇଁ ରାଜ୍ୟ ସଂଘ ନିଷ୍ପତ୍ତି ନେଇଥିଲା । କିନ୍ତୁ ଅଗଷ୍ଟ ୧୦ ତାରିଖ ସୁଦ୍ଧା ରାଜ୍ୟ ସରକାର ରାଜସ୍ୱ ଅମଲାମାନଙ୍କର ଦାବିଗୁଡିକୁ ପୂରଣ କରିବା ତ ଦୂରର କଥା, ସେମାନଙ୍କ ପ୍ରତି ବୈମାତୃକ ମନୋଭାବ ପୋଷଣ କରିବା ସହ ସେମାନଙ୍କୁ ପ୍ରବଳ ଆଘାତ ଦେବା ଭଳି ରାଜସ୍ୱ ସେବା ପଦ୍ଧତିରେ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବା ପଦୋନ୍ନତିକୁ ୪୦% ରୁ ୩୩% କରିବା ସହ ଲେବେଲ-୯ ରେ ଜଣେ ଜିଲ୍ଲାସ୍ତରୀୟ ରାଜସ୍ୱ କର୍ମଚାରୀ ୬ ବର୍ଷ ଦରମା ପାଇଲେ ଯୋଗ୍ୟ ହେବ ବୋଲି ନିଦେ୍ର୍ଦଶାନାମା ଜାରି କରିଥିଲେ । ଯାହାଫଳରେ ସମସ୍ତ ରାଜସ୍ୱ ଅମଲାମାନଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଥିଲା । ତେବେ ସେମାନଙ୍କର ଦାବି ଗୁଡିକ ମଧ୍ୟରେ ପ୍ରମୁଖ ଦାବି ଗୁଡିକ ହେଲା, ଜିଲ୍ଲାସ୍ତରୀୟ କାର୍ଯ୍ୟରତ ରାଜସ୍ୱ ଅମଲାମାନଙ୍କ ମୂଳ ଦରମା ଲେବେଲ୍- ୯କୁ ବୃଦ୍ଧି କରାଇବା, ରାଜ୍ୟରେ କାର୍ଯ୍ୟରତ ସମସ୍ତ ସରକାରୀ କର୍ମଚାରୀଙ୍କୁ ବାର୍ଷିକ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ଲାଗୁ କରାଯିବା, ସରକାରୀ କର୍ମଚାରୀଙ୍କୁ ପୁରାତନ ପେନସନ୍ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବା ଇତ୍ୟାଦି ରହିଛି ।