୩ ମାସ ବଢ଼ିଲା ଇ-କେୱାଇସି ଅବଧି : ଦାଖଲ କରିନାହାନ୍ତି ୯୬ହଜାର ହିତାଧିକାରୀ 

ନବରଙ୍ଗପୁର : ରାସନକାର୍ଡ ହାତେଇ ଇ-କେୱାଇସିୟ ଦେଇନଥିବା ହିତାଧିକାରୀଙ୍କୁ ଆଉ ୩ ମାସର କଣ୍ଟ ଦେଇଛନ୍ତି ମନ୍ତ୍ରୀ । ଧାର୍ଯ୍ୟ ସମୟ ମଧ୍ୟରେ ତଥ୍ୟ ନ ଆସିଲେ ଭୂତକାର୍ଡ ଘୋଷଣା କରି ନୂତନ ହିତାଧିକାରୀଙ୍କୁ ପ୍ରଦାନ କରାଯିବ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ନବରଙ୍ଗପୁର ଗସ୍ତରେ ଆସି ମନ୍ତ୍ରୀ କହିଛନ୍ତି, ନିର୍ବାଚନ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିବାରେ ମୋହନ ସରକାର ସମର୍ଥ ହୋଇଛି । ମହିଳାଙ୍କୁ ସୁଭଦ୍ରା ଯୋଜନାରେ ବର୍ଷକୁ ୧୦ହଜାର ପ୍ରଦାନ ସହ ଶ୍ରୀକ୍ଷେତ୍ରର ଚାରିଦ୍ୱାର ଖୋଲିଲୁ । ଗତ ବର୍ଷ ଧାନର ଏମ୍ଏସପି ୨୧୦୦ରୁ ୨୩୦୦କୁ ବୃଦ୍ଧି ସହ ବାବଦରେ ସରକାର ୮୦୦ ଟଙ୍କା ବୋନସ୍ ପ୍ରଦାନ କରିଛନ୍ତି । ନବରଙ୍ଗପୁର ଜିଲ୍ଲାରେ ୩ଲକ୍ଷ ୫୦ହଜାର ମେଟ୍ରିକ ଟନ୍ କିଣାଯାଇଛି । ଜିଲ୍ଲାରେ ଏସ୍ଏସପି ବାବଦକୁ ୫୭୪କୋଟି ଓ ଇନପୁଟ ସହାୟତା ବାବାଦରେ ୨୦୦କୋଟି ମୋଟ ୭୭୪କୋଟି ଟଙ୍କା ଚାଷୀଙ୍କୁ ଦିଆଯାଇଛି । ଅନ୍ୟପକ୍ଷରେ ନବରଙ୍ଗପୁର ଜିଲ୍ଲାରେ ୩ଲକ୍ଷ ୬୬ହଜାର ରାସନ କାର୍ଡଧାରୀ ରହିଛନ୍ତି । ଯେଉଁ ଗରିବ ହିତାଧିକାରୀ ରାସନ୍ କାର୍ଡ ପାଇ ନାହାନ୍ତି, ସେମାନେ ପୁଣି ଥରେ ଅନଲାଇନ୍ ପୋର୍ଟାଲରେ ଆବେଦନ କରିବାକୁ ମନ୍ତ୍ରୀ କହିଥିଲେ । ଖରିଫ ମଣ୍ଡି ପଞ୍ଜିକରଣ ଜୁଲାଇ ୧୯ରୁ ଆରମ୍ଭ ହୋଇ ଅଗଷ୍ଟ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ । କୌଣସି ଚାଷୀଙ୍କୁ ବାଦ୍ ଦିଆଯିବ ନାହିଁ ବୋଲି ମତପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ, ଝରିଗାଁ ବିଧାୟକ ନରସିଂହ ଭତରା, ଜିଲ୍ଲା ବିଜେପି ସଭାପତି କୁଞ୍ଜ ବିହାରି ଦାଶ, ପୂର୍ବତନ ସଭାପତି ଜଗଦୀଶ ଚନ୍ଦ୍ର ବିଷୋୟୀ ପ୍ରମୁଖ ଉପସ୍ଥିତ ଥିଲେ ।