ଅନ୍ତିମ ପର୍ଯ୍ୟାୟରେ ପଟିଦିଅଁ ପ୍ରସ୍ତୁତି
ପୁରୀ: ସ୍ନାନ ପୂର୍ଣ୍ଣମୀରେ ୧୦୮ଗଡ଼ୁ ସୁଶୀତଳ ଓ ସୁବାସିତ ଜଳରେ ସ୍ନାନ କରିବା ପରେ ଜ୍ୱରାକ୍ରାନ୍ତ ହୋଇ ଅଣସର ପିଣ୍ଡିରେ ଅବସ୍ଥାନ କରିବେ ଚତୁର୍ଦ୍ଧାମୂର୍ତ୍ତି । ଅଣସର ସମୟରେ ପୂଜା ପାଇବେ ପଟି ଦିଅଁ । ଅଣସର ଘରେ ପତିମହାପାତ୍ର ଓ ଦଇତାପତିମାନଙ୍କ ଦ୍ୱାରା ବିଭିନ୍ନ ଗୁପ୍ତ ନୀତି ଓ ଉପଚାର କରାଯିବ । ପଟିଦିଅଁରେ ପ୍ରଭୁ ବଳଭଦ୍ର ଅନନ୍ତ ବାସୁଦେବ, ଶ୍ରୀ ଜଗନ୍ନାଥ ଅନନ୍ତ ନାରାୟଣ, ଦେବୀ ସୁଭଦ୍ରା ମା’ ଭୁବନେଶ୍ୱରୀ ଓ ଶ୍ରୀ ସୁଦର୍ଶନ ପତିତପାବନ ରୂପରେ ପୂଜା ପାଇଥାନ୍ତି । ପଟିଦିଅଁଙ୍କ ସମ୍ମୁଖରେ ଖଟ ଉପରେ ବିଜେ କରିଥାନ୍ତି ମଦନମୋହନ, ଦୋଳଗୋବିନ୍ଦ, ରାମକୃଷ୍ଣ , ନୃସିଂହ, ଭୂଦେବୀ ଓ ଶ୍ରୀଦେବୀ । ପରମ୍ପରା ଅନୁଯାୟୀ ଶୀତଳଷଷ୍ଠୀ ଠାରୁ ପଟିଦିଅଁ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଛି । ହବିଷ୍ୟ କରି ଶାଢୀ ବନ୍ଧା ଚିତ୍ରକାରମାନେ ପଟିଦିଅଁ ପ୍ରସ୍ତୁତ କରିବାରେ ଲାଗିଛନ୍ତି । ଚଳିତ ବର୍ଷ ଚିତ୍ରକାର ସାହିର ଅନନ୍ତ ମହାରଣାଙ୍କ ଦ୍ୱାରା ପ୍ରସ୍ତୁତ କରାଯାଉଛି ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପଟି ଚିତ୍ର । ସେହିଭଳି ବାସେଳୀ ସାହି ପଣାପ୍ରିୟା ଲେନ୍ର ଋତୁରାଜ ମହାରଣା ଶ୍ରୀ ଜଗନ୍ନାଥଙ୍କ ପଟି ଚିତ୍ର ଅଙ୍କନ କରୁଛନ୍ତି । ୪ଫୁଟ୍ ଲମ୍ବ ଓ ୪ଫୁଟ୍ ଓସାର ବିଶିଷ୍ଟ କନାରେ ତେନ୍ତୁଳି ମଞ୍ଜି ଅଠା ଓ ପଥର ଖଡ଼ିର ପ୍ରଲେପ ଦିଆଯାଇ ପ୍ରଥମେ ଖଦଡ଼ ବରଡ଼ା ଓ ପରେ ଚିକ୍କଣ ବରଡ଼ାରେ ପଟିକୁ ଘସାଯାଇ ପଟି ଉପରେ ପ୍ରଭୁ ବଳଭଦ୍ରଙ୍କୁ ଅନନ୍ତ ବାସୁଦେବ ଓ ଦେବୀ ସୁଭଦ୍ରାଙ୍କୁ ମା ଭୁବନେଶ୍ୱରୀ ରୂପେ ଚିତ୍ରିତ କରାଯାଏ । ୫ଫୁଟ୍ ୪ଇଞ୍ଚ ଲମ୍ବ ଓ ସାଢେ ୬ଇଞ୍ଚ ଓସାର ବିଶିଷ୍ଟ କପଡ଼ାରେ ଚିତ୍ରିତ ହୁଅନ୍ତି ଶ୍ରୀ ଜଗନ୍ନାଥ । ଦେଢ ଫୁଟ ଲମ୍ବ ଓ ୧ଫୁଟ୍ ଓସାର ବିଶିଷ୍ଟ କନାରେ ଶ୍ରୀ ସୁଦର୍ଶନଙ୍କୁ ପତିତପାବନ ରୂପେ ଚିତି୍ରତ କରାଯଏ । ପଟି ଦି÷ଅଁଙ୍କ ଚିତ୍ର ଅଙ୍କନ ପାଇଁ ବ୍ୟବହୃତ ହୁଏ ହରତାଳ, ଗେରୁ, ଦୀପକଳା ଓ ହିଙ୍ଗୁଳ ଆଦି ପ୍ରାକୃତିକ ରଂଗ । ଚିତ୍ରକର ପରିବାରର ମହିଳାମାନେ ମଧ୍ୟ ପଟି ଦିଅଁ ପ୍ରସ୍ତୁତିରେ ସହାୟତା କରିଥାନ୍ତି । ଦେବସ୍ନାନ ପୂର୍ଣ୍ଣମୀ ରାତିର ବିଳମ୍ବିତ ପ୍ରହରରେ ଶ୍ରୀଜୀଉମାନେ ସ୍ନାନ ବେଦୀରୁ ପହଣ୍ଡି ହୋଇ ଅଣସର ପିଣ୍ଡିକୁ ଆସିବା ପରେ ଚିତ୍ରକର ସେବକମାନଙ୍କ ଘରୁ ଶ୍ରୀମନ୍ଦିରକୁ ପଟି ଦିଅଁମାନଙ୍କୁ ଅଣାଯାଇଥାଏ ।