ଅନ୍ଧାରରେ ସରକାରୀ ଯୋଜନା:   ୮୦ରୁ ଊଦ୍ଧ୍ୱର୍ ବୟସ୍କଙ୍କୁ ମିଳୁନି ବର୍ଦ୍ଧିତ ଭତ୍ତା

 ରାଜନଗର :  ୨୪ବର୍ଷର ସରକାର ବଦଳିଲା । ନୂଆ ସରକାର ଭତ୍ତା ହିତାଧିକାରୀମାନଙ୍କ ପାଇଁ ବର୍ଦ୍ଧିତ ଭତ୍ତା ଘୋଷଣା କଲେ । ୮୦ବର୍ଷରୁ ଊଦ୍ଧ୍ୱର୍ ଓ ୮୦ଶତକଡା ଭିନ୍ନକ୍ଷମ ହିତାଧିକାରୀଙ୍କୁ ସରକାର ୧୨ଶହ ଟଙ୍କା ବଦଳରେ ମାସିକ ୩ହଜାର ୫ଶହ ଟଙ୍କା ଦେବେ ବୋଲି ଘୋଷଣା କରିଥିଲେ । ଚଳିତବର୍ଷ ଜାନୁୟାରୀ ମାସରେ ଏହି ଯୋଜନା ଆରମ୍ଭ ହୋଇଥିଲା । ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କେନ୍ଦ୍ରାପଡା ଜିଲ୍ଲାକୁ ଆସି ଏହାର ଶୁଭାରମ୍ଭ କରିଥିଲେ । ଏହା ମଧ୍ୟରେ ୮ମାସ ଚାଲିଲାଣି । ମାତ୍ର ବହୁ ହିତାଧିକାରୀ ବର୍ଦ୍ଧିତ ଭତ୍ତାରୁ ବଞ୍ଚôତ ହୋଇଥିବା ଅଭିଯୋଗ ହୋଇଛି ।
 ରାଜନଗର ବ୍ଲକର ବିଭିନ୍ନ ପଞ୍ଚାୟତରେ ବହୁ ହିତାଧିକାରୀ ସରକାରଙ୍କ ଏହି ଯୋଜନାରୁ ବଂଚିତ ହୋଇଛନ୍ତି । ଏବେବି ସେମାନଙ୍କୁ ୩୫ଶହ ଟଙ୍କା ବଦଳରେ ୧୨ଶହ ଟଙ୍କା ଭତ୍ତା ମିଳୁଛି । ସେମାନେ ବାରମ୍ବାର ପ୍ରଶାସନକୁ ଗୁହାରୀ କଲେ ପ୍ରଶାସନିକ ଅଧିକାରୀମାନେ ଆମେ ଆପଣମାନଙ୍କ ତାଲିକା ପଠାଇଛୁ । ଉପରୁ ମଞ୍ଜୁର ହୋଇ ଆସିଲେ ବର୍ଦ୍ଧିତ ଭତ୍ତା ମିଳିବ ବୋଲି ଆଶ୍ୱାସନା ଦେଇ ଚାଲିଛନ୍ତି । ଏହି ବ୍ଲକ ଗୁପ୍ତି ପଞ୍ଚାୟତର କିଛି ହିତାଧିକାରୀଙ୍କୁ ଉଦାହରଣ ଭାବେ ନିଆଯାଇପାରେ । ଏହି ପଞ୍ଚାୟତର ଲକ୍ଷ୍ମୀପ୍ରସାଦ ଗାଁରେ ଶଙ୍କର ରାଉତ(୮୩), ପଚାଂଳୀ ରାଉତ(୮୩), ଅଜୟ କୁମାର ରାଉତ ଶହେ ପ୍ରତିଶତ ଦିବ୍ୟାଙ୍ଗ ହୋଇଥିବାବେଳେ ବର୍ଦ୍ଧିତ ଭତ୍ତା ପାଇବାରୁ ବଞ୍ଚôତ ହୋଇଛନ୍ତି । ସେହିପରି ଶଙ୍କର୍ଷଣ ପ୍ରଧାନ ଶହେ ପ୍ରତିଶତ ଦିବ୍ୟାଙ୍ଗ, ଗଦାଧର ଗାଁର ମଲୀ ସୂତାର (୮୭), ନଛିପଡା ଗ୍ରାମର ମାୟାଧର ସାମଲ (୮୩), ଗୋପାଳପୁର ଗ୍ରାମର ଗଣେଶ୍ୱର ହାତି (୯୭), ସାବିତ୍ରୀ ହାତି (୮୭) ହୋଇଥିଲେ ମଧ୍ୟ ସେମାନଙ୍କୁ ୩୫ଶହ ଟଙ୍କା ବଦଳରେ ୧୨ଶହ ଟଙ୍କା ଭତ୍ତା ଦିଆଯାଉଛି । ସେମାନେ ଅଭିଯୋଗ କଲେ ମଧ୍ୟ କେହି ଶୁଣୁନଥିବା କହିଛନ୍ତି । ସରକାରଙ୍କ ଘୋଷଣା ଏମାନଙ୍କ ପାଇଁ ଯେମିତି ସାତସପନ ପାଲଟିଛି । ଏ ନେଇ ବିଡିଓ ଅନିରୁଦ୍ଧ ବେହେରାଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ହିତାଧିକାରୀଙ୍କ ତାଲିକା ଆମେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପଠାଇଛୁ । ସେଠାରୁ ମଞ୍ଜୁର ହୋଇ ଆସିଲେ ବୃଦ୍ଧବୃଦ୍ଧାମାନେ ବର୍ଦ୍ଧିତ ଭତ୍ତା ପାଇବେ ବୋଲି କହିଛନ୍ତି ।