ଅବିଭକ୍ତ କୋରାପୁଟ ଜିଲ୍ଲାକୁ ନୂତନ ରାଜ୍ୟ ଗଠନ ଦାବି

 ନବରଙ୍ଗପୁର : ମାଲକାନଗିରି ଜିଲ୍ଲା ସବୁ କ୍ଷେତ୍ରରେ ଅବିଭକ୍ତ କୋରାପୁଟ ଜିଲ୍ଲାକୁ ନୂତନ ରାଜ୍ୟ ଘୋଷଣା ଦାବିରେ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ନବରଙ୍ଗପୁର ଅମଲା ଭବନରେ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଲଳିତ ମୋହନ ନାୟକଙ୍କ ସଭାପତିତ୍ୱରେ ଏହି ବୈଠକ କରାଯାଇଥିଲା । କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ମାଲକାନଗିରି ଜିଲ୍ଲାକୁ ଅଲଗା କରି ସ୍ୱତନ୍ତ୍ର ରାଜ୍ୟ ଗଠନ କରିବା ନେଇ ଆଲୋଚନା ହୋଇଥିଲା । 
ଅବିଭକ୍ତ କୋରାପୁଟ ଜିଲ୍ଲାର ଅନେକ ସ୍ୱାଧୀନତା ସଂଗ୍ରାମୀ ଦେଶ ପାଇଁ ଲଢ଼ି ଶହୀଦ ହୋଇଛନ୍ତି । ଓଡ଼ିଶା ରାଜ୍ୟ ଗଠନ ୮୯ ବର୍ଷ ବିତି ଯାଇଛି । ଭାରତ ସ୍ୱାଧନ ହୋଇ ୭୮ ବର୍ଷ ହେଲାଣି । ତଥାପି ମଧ୍ୟ ବର୍ତ୍ତମାନ ସୁଧା କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ପଛୁଆ । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଜଳସେଚନ, କଳ କାରଖାନା, ନିଯୁକ୍ତି, ଭାଷା,ସଂସ୍କୃତି ଇତ୍ୟାଦିର ଉନ୍ନତି ପାଇଁ ବାରମ୍ବାର ସରକାରଙ୍କୁ ଦାବି ଜଣାଯାଇଥିଲେ ମଧ୍ୟ ଅବହେଳା କରାଯାଇଥିବା ବୈଠକରେ ଅଭିଯୋଗ ହୋଇଛି । ନୂତନ ସରକାର ଜିଲ୍ଲାଭିଭିକ ନିଯୁକ୍ତି ପ୍ରତିଶ୍ରୁତି ଦେଇ ତାହାକୁ କାର୍ଯ୍ୟକାରୀ କଲେ ନାହିଁ । ଏବେ ଅବିଭକ୍ତ କୋରାପୁଟ ଜିଲ୍ଲା ମାଟିର ଉନ୍ନତି ଓ ଭବିଷ୍ୟତ ପାଇଁ ସତନ୍ତ୍ର ରାଜ୍ୟ ଗଠନ ଜରୁରୀ ବୋଲି ବୈଠକରେ କୁହାଯାଇଛି । ନୂତନ ରାଜ୍ୟ ଗଠନ ପାଇଁ ସଙ୍ଗଠନକୁ ସୁଦୃଢ଼ କରିବା ଓ ଆଗାମୀ ଦିନରେ ଆନେ୍ଦାଳନ କରି ସରକାରଙ୍କ ପାଖରେ ଦାବି କରାଯିବ । ନୂତନ ଅଲଗା ରାଜ୍ୟ ଗଠନ ନିମନ୍ତେ ୪ ଜିଲ୍ଲାକୁ ନେଇ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ଓ ଜିଲ୍ଲା କମିଟି ଗଠନ କରାଯାଇଛି । ଆଗାମୀ ଦିନରେ ୪ ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ବୈଠକ କରାଯାଇ ଏହି ଅଭିଯାନରେ ଲୋକଙ୍କୁ ସାମିଲ୍ କରାଯିବ । ସାମ୍ବାଦିକ ସମ୍ମିଳନୀରେ ଲଳିତ ମୋହନ ନାୟକ, ଭଗବାନ ବୈରାଗୀ ବରିଷ୍ଠ ନାଗରିକ ମଞ୍ଚ ସଭାପତି ରାଧାନାଥ ବେହେରା, ଜେମାମଣି ବିଷୋୟୀ, ଆଇନଜୀବୀ ରାମ ପ୍ରସାଦ ପାତ୍ର, ଅବିଭକ୍ତ କୋରାପୁଟ ଜିଲ୍ଲା ମୂଳ ନିବାସୀ ବିକାଶ ପରିଷଦ ଅଧ୍ୟକ୍ଷ ଚନ୍ଦ୍ରଧ୍ୱଜ ମାଝୀ, ଭତରା ବିକାଶ ପରିଷଦ ଉପଦେଷ୍ଟା ଅର୍ଜୁନ ଭତରା, ଖ୍ରୀଷ୍ଟିଆନ ମାଇନରିଟି କାଉନ୍ସିଲରର ସଭାପତି ସୁଧୀର ପାତ୍ର, କମିଟିର ଦିବାକର ପୂଜାରୀ, ମହିଳା ସାମୁଖ୍ୟ ଅଧ୍ୟକ୍ଷା ମନଶ୍ୱିନୀ ଟାକରି, ସଂଯୋଜକ ସନାତନ ଦାଶ୍, ଉପସଭାପତି ପ୍ରଦୀପ୍ତ ଟାକରି, ସଙ୍ଗଠନ ସମ୍ପାଦକ ପ୍ରବୀର ପାତ୍ର, ଉପଦେଷ୍ଟା ଶିଶିର ପରିଛା ପ୍ରମୁଖ ଉପସ୍ଥିତ ଥିଲେ ।