ଅସବର୍ଣ୍ଣଙ୍କ ଉପରେ ସଙ୍ଘବଦ୍ଧ ଆକ୍ରମଣ ଅଭିଯୋଗ; ୨ ଗୁରୁତର
କୁଆଖିଆ: ଏହି ଥାନା ଅନ୍ତର୍ଗତ କୃଷ୍ଣପଡା ଗ୍ରାମରେ ଅସବର୍ଣ୍ଣଙ୍କ ଉପରେ ସବର୍ଣ୍ଣଙ୍କ ସଙ୍ଘବଦ୍ଧ ଆକ୍ରମଣ ନେଇଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ଗ୍ରାମର ଇନ୍ଦ୍ରମଣି ମଳିକଙ୍କ ପୁଅ ରାଜେଶ ଆଜି ଦିନ ୧୧ଟା ସମୟରେ ସେହି ଗ୍ରାମର ମନ୍ଦିର ନିକଟକୁ ଯାଉଥିବା ସମୟରେ ଗ୍ରାମର ଦେବାଶିଷ ବିଶ୍ୱାଳ, ଆଶିଷ ବିଶ୍ୱାଳ, ସୁରେଶ ବିଶ୍ୱାଳ, ଭାଗ୍ୟଧର ବିଶ୍ୱାଳ, ଅଜି ବିଶ୍ୱାଳ, ମହେଶ୍ୱର ବିଶ୍ୱାଳ,ରାକେଶ ବିଶ୍ୱାଳ, କୁମାର ଲୁକେଶ୍ ବିଶ୍ୱାଳ, କୁମାର ମୁକେଶ ବିଶ୍ୱାଳ, ପ୍ରଦୀପ ବିଶ୍ୱାଳ, ରାକେଶ ବିଶ୍ୱାଳ ପୂର୍ବ ପ୍ରସ୍ତୁତି ଅନୁଯାୟୀମାରଣାସ୍ତ୍ର ଧରି ସଙ୍ଘବଦ୍ଧ ଆକ୍ରମଣ କରିଥିଲେ । ରାଜେଶ ଉପରେ ହେଉଥିବା ଆକ୍ରମଣରୁ ରକ୍ଷା ପାଇଁ ମାଆ ରଙ୍ଗ ମଳିକ ଗ୍ରାମବାସୀଙ୍କୁ ଡାକିବାରୁ ଆକ୍ରମଣକାରୀ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟି ୨ଜଣ ଗୁରୁତର ହୋଇଥିଲେ । ସେମାନଙ୍କୁ କଟକ ମେଡିକାଲକୁ ପଠା ଯାଇଥିବା ବେଳେ ଅନ୍ୟ ଆହତ ପୁରୁଷ ଓ ମହିଳା ମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଘରକୁ ପଠାଇ ଦିଆଯାଇଛି । ତେବେ ସଙ୍ଘବଦ୍ଧ ଆକ୍ରମଣର ପ୍ରକୃତ କାରଣ ଜଣାପଡି ନଥିଲେ ମଧ୍ୟ ସେହି ଗ୍ରାମର ଝରି ମଳିକଙ୍କ ପୁଅ ପିତାମ୍ବର ଠାରୁ କିଛି ଦିନ ତଳେ ସେହି ଗ୍ରାମର ଗଣେଶ ବିଶ୍ୱାଳଙ୍କ ପୁଅ ଅଭିଷେକ ଧାର୍ ସୁତ୍ରରେ ନେଇଥିବା ଟଙ୍କା ନଫେରାଇବାରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ଘଟଣାକୁ ନେଇଆକ୍ରମଣ ଘଟଣାର ସୂତ୍ରପାତ ହୋଇଛି ବୋଲି କୁହାଯାଉଛି । । ଘଟଣାରେ ଉଭୟ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ପୁଲିସ ଘଟଣା ସ୍ଥଳକୁ ଯାଇ ତଦନ୍ତ କରୁଥିବା ବେଳେ ଖବର ଲେଖା ପର୍ଯ୍ୟନ୍ତ ଉଭୟଙ୍କ ବିରୁଦ୍ଧରେ କୈାଣସି ମାମଲା ରୁଜ୍ଜୁ ହୋଇନି । ତେବେ ଏହାକୁ ନେଇ ଉଭୟ ବସ୍ତି ମଧ୍ୟରେ ଉତେଜନା ଦେଖା ଦେଇପାରେ ବୋଲି ସ୍ଥାନୀୟ ସୂତ୍ରରୁ ଜଣାପଡିଛି ।