ବିଜେଡିରୁ ବହିସ୍କୃତ ହେଲେ କାଳିଆ

 ଯାଜପୁର: ଏକଦା ସୁକିନ୍ଦାର ପ୍ରାକ୍ତନ ବିଧାୟକ ପ୍ରୀତିରଂଜନ ଘଡାଇଙ୍କ ଅନୁଗତ ଥିବା କାଳିଆ ଓରଫ ପ୍ରତାପ କେଶରୀ ପଟ୍ଟନାୟକଙ୍କୁ ଦଳ ବିରୋଧି କାର୍ଯ୍ୟ ପାଇଁ ବିଜେଡିରୁ ବହିସ୍କୃତ ହେବାକୁ ପଡିଛି । ସୁକିନ୍ଦା ବ୍ଲକ ଅନ୍ତର୍ଗତ ୩୯ନଂ ଜୋନର ଜିଲା ପରିଷଦ ସଭ୍ୟଥିବା କାଳିଆ ନିର୍ବାଚନ ପରେ ପରେ ବିଜେପିର ନିକଟତର ହୋଇଥିଲେ । ବିଭିନ୍ନ ପ୍ରକାରର ଠିକାଦାର କାର୍ଯ୍ୟରେ ନିୟୋଜିତ କାଳିଆ ନିର୍ବାଚନ ପୂର୍ବରୁ ବିଜେଡି ଛାଡି ବିଜେପିରେ ମିଶିବେ ବୋଲି ଚର୍ଚ୍ଚା ଆଲୋଚନା ହୋଇଥିଲା । କିନ୍ତୁ ବିଜେଡିର ଅନ୍ୟଜଣେ ଜିଲା ପରିଷଦ ସଭ୍ୟ ବିଜେପିରେ ଯୋଗ ଦେଇଥିଲେ ହେଁ କାଳିଆ ଲମ୍ପ ମାରିନଥିଲେ । ହେଲେ ସୁକିନ୍ଦାରୁ ପ୍ରୀତିରଂଜନଙ୍କ ପରାଜୟ ଏବଂ ରାଜ୍ୟରେ ବିଜେପି ସରକାର ଗଠନ ପରେ ସେ ବିଜେଡିରୁ ନିଜକୁ ଦୂରେଇ ରଖିଥିଲେ । ପ୍ରୀତିଙ୍କ ବଦଳରେ କାଳିଆ ସୁକିନ୍ଦା ବିଧାୟକ ବା ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ନିକଟତର ହୋଇଥିଲେ । ବିଜେପିରେ ବିଧିବଦ୍ଧ ଭାବେ ସାମିଲ ହୋଇନଥିଲେ ହେଁ ବିଜେଡି ଠାରୁ ଦୂରେଇ ରହିଥିଲେ । ପ୍ରାକ୍ତନ ମନ୍ତ୍ରୀ ପ୍ରଫୁଲ ଚନ୍ଦ୍ର ଘଡାଇଙ୍କ ସହ ସାମିଲ ହୋଇ ରାଜନୀତିରେ ପ୍ରବେଶ କରିଥିବା କାଳିଆ ୨୨ ପଞ୍ଚାୟତ ନିର୍ବାଚନରେ ୩୯ନଂ ଜୋନରୁ ନିର୍ବାଚନ ଲଢି ବିଜେପିର କୁଳମଣି ଦାସଙ୍କ ଠାରୁ ୪ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଥିଲେ ।