ଅସରାଏ ବର୍ଷାରେ ଲୁଣା ଘେରୀବନ୍ଧରୁ ଧସୁଛି ମାଟି, ବିପଦରେ ଲୋକେ
ରାଜନଗରରୁ ବସନ୍ତ କୁମାର ହାତି : ବର୍ଷାଋତୁ ଆସିଥିଲେ ମଧ୍ୟ ଏଯାବତ୍ ବର୍ଷାର ପ୍ରଭାବ ଦେଖିବାକୁ ମିଳିନାହିଁ । ବିଶେଷକରି ଉପକୂଳ ଓଡିଶାରେ ଲଘୁଚାପଜନିତ ଲଗାଣ ବର୍ଷା ଏପର୍ଯ୍ୟନ୍ତ ହୋଇନାହିଁ । ଏହାସତ୍ତ୍ୱେ ରାଜନଗର ବ୍ଲକର ଅନ୍ୟତମ ଜୀବନରେଖା ଭାବେ ପରିଚିତ ରାଜନଗର-ଗୋପାଳପୁର ଲୁଣାଘେରୀବନ୍ଧରୁ ସାମାନ୍ୟ ବର୍ଷାରେ ମାଟି ଧସିବା ଆରମ୍ଭ କଲାଣି । ପେଣ୍ଠ ସମୁଦ୍ରକୂଳ ଦେଇ ଯାଇଥିବା ଏହି ରାସ୍ତାରେ ଲଘୁଚାପ ସମୟରେ ଉଚ୍ଚ ଜୁଆର ପିଟି ହୋଇ ରାସ୍ତା ଅତିକ୍ରମ କରି ସମୁଦ୍ରର ଲୁଣାପାଣି ଭେଡା ମଧ୍ୟକୁ ପ୍ରବେଶ କରିବାର ନଜିର ରହିଛି । ଏଠାରେ ଘାଇ ହେଲେ ୧୧ଟି ପଞ୍ଚାୟତର ଗାଁଗୁଡିକ ପ୍ରଭାବିତ ହେବାର ସମ୍ଭାବନା ରହିଛି । ସରକାରଙ୍କ ପକ୍ଷରୁ ଏହି ଲୁଣାଘେରୀବନ୍ଧର ସୁଦୃଢୀକରଣ ପାଇଁ ୧୦.୩୦କି.ମି.ଠାରୁ ୧୭.୧୪କି.ମି. ପର୍ଯ୍ୟନ୍ତ ୫କୋଟି ୫୭ଲକ୍ଷ ୨୪ହଜାର ୪୭୪ ଟଙ୍କା ବ୍ୟୟ ଅଟକଳରେ ଏହାର ପୁନଃନିର୍ମାଣ କରାଯାଉଛି । ମାଟିକାମ ସରିବାର ଦିନ କେତେଟା ପରେ ରାସ୍ତା କଡରୁ ମାଟି ଧସିବା ଆରମ୍ଭ କରିଛି । ସ୍ଥାନୀୟ ଲୋକେ ଏହି ରାସ୍ତା ନିର୍ମାଣରେ ପଙ୍କୁଆ ମାଟି ବ୍ୟବହାର ହୋଇଥିବାରୁ ସାମାନ୍ୟ ବର୍ଷାରେ ଅତଡା ଧସୁଛି ବୋଲି ଅଭିଯୋଗ କରିଛନ୍ତି । ଏପରି ଏକ ସମ୍ବେଦନଶୀଳ ରାସ୍ତାରେ ମାଟି ଧସିବା ଘଟଣା ରାସ୍ତାର ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଆଗକୁ ଲଘୁଚାପଜନିତ ବର୍ଷା ଅନେକ ସମୟରେ ହେବାର ସମ୍ଭାବନା ରହିଛି । ଲଗାଣ ବର୍ଷା ସାଙ୍ଗକୁ ସମୁଦ୍ରର ଉଚ୍ଚ ଜୁଆର ମାଟି ଧୋଇ ନେଇପାରେ । ଠିକାସଂସ୍ଥା କାମସାରି ଟଙ୍କା ଉଠାଇ ଚାଲିଯିବ । ୧୧ଟି ପଚାଂୟତକୁ ସମୁଦ୍ରର ଉଚ୍ଚ ଜୁଆରରୁ ସୁରକ୍ଷା ଦେଉଥିବା ଏହି ଘେରୀବନ୍ଧ ରାସ୍ତା ସୁଦୃଢୀକରଣ ନହେଲେ ସେମାନଙ୍କର ଜୀବନ ଜୀବିକା ଦୁର୍ବିସହ ହୋଇପଡିବ । ଏହି ସମ୍ବେଦନଶୀଳ ରାସ୍ତା ପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି । ଏନେଇ ଆଳି ତଟବନ୍ଧ ବିଭାଜନର ଅଧିକ୍ଷଣ ଯନ୍ତ୍ରୀ ସୁବ୍ରତ ଦାଶଙ୍କୁ ପଚାରିବାରୁ ରାସ୍ତାରେ ମାଟି ଫାଟି ଅତଡା ଧସିବା କଥା ଜାଣିଛି । ନୂଆ କାମ ଆରମ୍ଭ ହୋଇଛି । ଆହୁରି ଆଠମାସ ସମୟ ରହିଛି । ରାସ୍ତା ନିଶ୍ଚିତ ସଜଡା ଯିବ ବୋଲି କହିଛନ୍ତି ।