ଛତୁଆ ଦୁର୍ନୀତିକୁ ଘଣ୍ଟ ଘୋଡାଉଛି କି ଜିଲ୍ଲା ପ୍ରଶାସନ!


 ରାଜନଗରରୁ ବସନ୍ତ କୁମାର ହାତୀ :  ରାଜନଗର ବ୍ଲକରେ ଛତୁଆ ଯୋଗାଣରେ ଦୁର୍ନିତୀର ଫର୍ଦ୍ଦ ଲମ୍ବିବାରେ ଲାଗିଛି । ଛତୁଆ ଯୋଗାଣ ନହୋଇ ସୁପରଭାଇଜରଙ୍କ ଅନୁମୋଦନ ପରେ ସିଡିପିଓ ବିଲ କରି ଜିଲ୍ଲାକୁ ପଠାଇଥିବା ଅଭିଯୋଗ ହୋଇଛି । ସାନବଡଗୋପାଳପୁର ସେକ୍ଟର, ବାଲିକଣା ସେକ୍ଟର, ହାତିନା ସେକ୍ଟର ଓ ଇଶ୍ୱରପୁର ସେକ୍ଟରର ଅକେକ କେନ୍ଦ୍ରରେ ଅଗଷ୍ଟ ଓ ସେପ୍ଟେମ୍ବର ମାସର ଛତୁଆ ହିତାଧିକାରୀ ପାଇନଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଏପରିକି ରାଜନଗର ସେକ୍ଟରର ଅନେକ କେନ୍ଦ୍ରରେ ଜୁନ ମାସର ଛତୁଆ ହିତାଧିକାରୀଙ୍କୁ ଦିଆଯାଇନଥିବା ଅଭିଯୋଗ ହୋଇଛି । ଛତୁଆ ଯୋଗାଣରେ ଅନିୟମିତତା ହୋଇଥିବା ସତ୍ୟ ପଦାକୁ ଆସିବା ପରେ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ତଦନ୍ତ କରିବା ବଦଳରେ ନୀରବ ରହିବା ଘଟଣା ସାଧାରଣରେ ସନେ୍ଦହ ସୃଷ୍ଟି କରିଛି । ଛତୁଆ ଯୋଗାଉଥିବା ମା’ ବୁଢୀ ମଙ୍ଗଳା ସ୍ୱୟଂ ସହାୟକ ଗୋଷ୍ଠୀ ବାଲିଚନ୍ଦ୍ରପୁର ବିରୁଦ୍ଧରେ ବାରମ୍ବର ଛତୁଆ ଯୋଗାଣରେ ଅନିୟମିତତା କରୁଥିବା ଅଭିଯୋଗ ହେଉଥିଲେ ମଧ୍ୟ ପ୍ରଶାସନ ତଦନ୍ତ ବଦଳରେ ନିଜ କାର୍ଯ୍ୟାଳୟ ପଦସ୍ତ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ ନକରି ଯାଞ୍ଚ କରୁଥିବା ଅଭିଯୋଗ ହେଉଛି । ନାମଗୋପନ ସର୍ତ୍ତରେ ଜଣେ ସୁପରଭାଇଜରଙ୍କ କହିବାନୁଯାୟୀ, ସୋମବାର ଦିନ ଆମ୍ଭ ସୁପରଭାଇଜରମାନଙ୍କୁ ଜିଲ୍ଲା କାର୍ଯ୍ୟାଳୟକୁ ଡକାଯାଇଥିଲା । ସେଠାରେ ଘଟଣାକୁ ଚପାଇ ଦେବା ପାଇଁ ବିଧିବଦ୍ଧ ଯୋଜନା କରାଯାଇଥିଲା । ତଦନ୍ତ କରାଗଲେ ବ୍ଲକଠାରୁ ଜିଲ୍ଲା ପର୍ଯ୍ୟନ୍ତ ସମସ୍ତେ ଏହି ଜାଲବିଲରେ ଫସିବେ ବୋଲି ଆଲୋଚନା ହୋଇଥିଲା । ଛତୁଆ ଯୋଗାଣକାରୀ ସଂସ୍ଥା ୭ତାରିଖ ଗୁରୁବାର ସୁଦ୍ଧା ସମସ୍ତ କେନ୍ଦ୍ରକୁ ଛତୁଆ ଯୋଗାଇବା ସହ ରସିଦ ଆଣି ଆମକୁ ଦେବା ପରେ ନାଁକୁ ମାତ୍ର ତଦନ୍ତ କରାଯିବ । ଯାହାଫଳରେ ଛତୁଆ ଯୋଗାଣକାରୀ ଗୋଷ୍ଠୀ ସହ ଆମ୍ଭେମାନେ ରକ୍ଷା ପାଇବୁ ବୋଲି ପ୍ରକାଶ କରିଛନ୍ତି । ଗର୍ଭବତୀ, ପ୍ରସୂତୀ ଓ ଶିଶୁମାନଙ୍କ ପାଇଁ ସରକାର ଯୋଗାଉଥିବା ପୃଷ୍ଟିକର ଛତୁଆ କାଗଜକଲମରେ ଯୋଗାଣ ହୋଇ ବହୁ ଲକ୍ଷ ଟଙ୍କା ହରିଲୁଟ କରାଯିବା ଘଟଣା ପଛରେ ଜିଲ୍ଲା ପ୍ରଶାସନର ହାତ ନାହିଁ ତ ! ଏସଂପର୍କରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ମନୋରମା ସ୍ୱାଇଁଙ୍କ ପ୍ରତିକ୍ରିୟା ଜାଣିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇନଥିଲା । କାହିଁକି ଜିଲ୍ଲା ପ୍ରଶାସନ ଛତୁଆ ଯୋଗାଣକାରୀଙ୍କୁ ଘଂଟ ଘୋଡାଉଛି, ତାହା ରହସ୍ୟାବୃତ ହୋଇ ରହିଛି । କେବେ ତଦନ୍ତ ହୋଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଦେଖିବାକୁ ବାକି ରହିଲା । ସୂଚନା ଥାଉକି, ଏହି ବ୍ଲକରେ ୨୭୪ଟି ଅଙ୍ଗନବାଡି କେନ୍ଦ୍ର ରହିଛି । ଏହି କେନ୍ଦ୍ରଗୁଡିକୁ ଛତୁଆ ଯୋଗାଇବା ପାଇଁ ମା ବୁଢୀ ମଙ୍ଗଳା ସ୍ୱୟଂସହାୟକ ଗୋଷ୍ଠୀ ବାଲିଚନ୍ଦ୍ରପୁର ଓ ମା ବିଶାଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠୀ ଉଦ୍ୟାନକୁ ଦାୟିତ୍ୱ ଦିଆଯାଇଛି । ମା ବୁଢୀ ମଙ୍ଗଳା ସ୍ୱୟଂ ସହାୟକ ଗୋଷ୍ଠୀ ୨୦ଟି ପଚାଂୟତର ୧୯୧ଟି ଅଙ୍ଗନବାଡି କେନ୍ଦ୍ର ଓ ମା ବିଶାଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠୀ ୯ଟି ପଚାଂୟତର ୮୩ଟି ଅଙ୍ଗନବାଡି କେନ୍ଦ୍ରକୁ ଛତୁଆ ଯୋଗାଇବାକୁ ଦାୟିତ୍ୱ ଦିଆଯାଇଛି ।