ଆଇଏଏସ୍ସ୍ତରରେ ବଡ଼ ଅଦଳବଦଳ
- ଗିରୀଶଙ୍କୁ ମିଶନ ଶକ୍ତି, ଥିରୁମାଲାଙ୍କୁ ଗଣଶିକ୍ଷା
- ହଟିଲେ ଉପମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ
- ଦାୟିତ୍ୱମୁକ୍ତ ହେଲେ ଶାଳିନୀ, ସମର୍ଥ ଓ ସ୍ୱାଧା ଦେବ ସିଂ
ଭୁବନେଶ୍ୱର : ରାଜ୍ୟ ସରକାର ଆଇଏଏସ ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି । ଅପରପକ୍ଷରେ ତିନି ବରିଷ୍ଠ ଆଇଏଏସ ୨୦୦୧ ବ୍ୟାଚର ଶାଳିନୀ ପଣ୍ଡିତ, ୨୦୧୧ ବ୍ୟାଚର ସମର୍ଥ ବର୍ମା ଓ ୨୦୧୪ ବ୍ୟାଚର ସ୍ୱାଦା ଦେବ ସିଂ କେନ୍ଦ୍ରୀୟ ଡେପୁଟେସନରେ ଯିବେ । ଏଥିପାଇଁ ରାଜ୍ୟ ସରକାର ସେମାନଙ୍କୁ କାର୍ଯ୍ୟମୁକ୍ତ କରିଛନ୍ତି । ଅପରପକ୍ଷରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବ୍ୟକ୍ତିଗତ ସଚିବ ତଥା ବରିଷ୍ଠ ଓଏଏସ ଅଫିସର କାହ୍ନୁଚରଣ ଧିରଙ୍କୁ ହଟାଇ ଦିଆଯାଇଛି ।
୨୦୦୨ ବ୍ୟାଚ୍ ଆଇଏଏସ ଗିରୀଶ ଏସଏନ ସମ୍ପ୍ରତି ପଞ୍ଚାୟତିରାଜ ବିଭାଗର କମିଶନର-ସଚିବ ଥିବାବେଳେ ତାଙ୍କୁ ଅତିରିକ୍ତ ଭାବେ ମିଶନ ଶକ୍ତିର କମିଶନର-ସଚିବ ଦାୟିତ୍ୱ ଦିଆଯାଇଛି । ୨୦୦୯ ବ୍ୟାଚ୍ ଆଇଏଏସ ଅଫିସର ଡକ୍ଟର ନୁନସାବତ ଥିରୁମାଲା ନାୟକ ଏବେ ବିଡ଼ିଏର ଉପାଧ୍ୟକ୍ଷ ସହ ଭୁବନେଶ୍ୱର ସ୍ମାର୍ଟ ସିଟିର ପରିଚାଳନା ନିର୍ଦ୍ଦେଶକ ଥିବାବେଳେ ତାଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି । ୨୦୧୦ ବ୍ୟାଚ ଆଇଏଏସ ମାନସି ନିମ୍ଭାଲ ଏବେ ପର୍ଯ୍ୟଟନ ନିର୍ଦ୍ଦେଶକ ସହ ଓଟିଡ଼ିସିର ପରିଚାଳନା ନିର୍ଦ୍ଦେଶକ ଏବଂ ଏସଟି ନିର୍ଦ୍ଦେଶକ ଥିବାବେଳେ ତାଙ୍କୁ ଓଡ଼ିଶା ଉଠା ଜଳସେଚନ ନିଗମର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି । ତେବେ ପୂର୍ବଭଳି ସେ ଜଳ ସମ୍ପଦ ବିଭାଗର ଅତିରିକ୍ତ ସଚିବ ଦାୟିତ୍ୱରେ ରହିବେ ।
୨୦୧୨ ବ୍ୟାଚ୍ ଆଇଏଏସ ସୁରେନ୍ଦ୍ର କୁମାର ମୀନା ଏବେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଅତିରକ୍ତି ସଚିବ ସହ ଏସଆଇଆରଡ଼ିର ନିର୍ଦ୍ଦେଶକ ଥିବାବେଳେ ତାଙ୍କୁ ଏସଟିଏସି ବିବାଶ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ମିଳିଛି । ୨୦୧୩ ବ୍ୟାଚ୍ ଆଇଏଏସ ଶୁଭଶ୍ରୀ ନନ୍ଦ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ଥିବାବେଳେ ତାଙ୍କୁ ଯୋଜନା ଓ ସଂଯୋଜନା ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ୨୦୧୪ ବ୍ୟାଚ୍ ଆଇଏଏସ ଚଞ୍ଚଳ ରାଣା ବିଏମସିର କମିଶନର ଥିବାବେଳେ ତାଙ୍କୁ ଅତିରିକ୍ତ ଭାବେ ବିଡ଼ିଏର ଉପାଧ୍ୟକ୍ଷ ଓ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ଼ର ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି । ସେହି ବ୍ୟାଚର ଆଇଏଏସ ପ୍ରେମଜିତ ନାୟକଙ୍କ ଏସଟି ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି । ଆଇଏଏସ ଦୀପଙ୍କର ମହାପାତ୍ର ଏବେ ହକି ପ୍ରମୋସନ କାଉନସିଲର ସିଇଓ ଥିବାବେଳେ ତାଙ୍କୁ ପର୍ଯ୍ୟଟନ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ମିଳିଛି । ସେହିପରି ଓଟିଡ଼ିସିର ଏମଡ଼ି ଭାବେ ସେ ଅତିରିକ୍ତ ଦାୟିତ୍ୱରେ ମଧ୍ୟ ରହିବେ । ୨୦୧୪ ବ୍ୟାଚ୍ ଆଇଏଏସ ପ୍ରଣତି ଛୋଟରାୟ ସମ୍ପ୍ରତି ବୟନିକାର ଏମଡ଼ି ଓ ହସ୍ତକଳାର ନିର୍ଦ୍ଦେଶକ ଥିବାବେଳେ ତାଙ୍କୁ ଗୃହ ବିଭାଗର ଅତିରିକ୍ତ ସଚିବଭାବେ ନିଯୁକ୍ତି ପ୍ରଦାନ କରାଯାଇଛି । ଅପରପକ୍ଷରେ ଆଇଏଏସ ନିବେଦିତା ପୃଷ୍ଟିଙ୍କୁ ବୟନିକାର ପରିଚାଳନା ନିର୍ଦ୍ଦେଶକ ଓ ଅତିରିକ୍ତ ଭାବେ ହସ୍ତକଳା ନିର୍ଦ୍ଦେଶକଭାବେ ନିଯୁକ୍ତି ମିଳିଛି । ୨୦୧୫ ବ୍ୟାଚ୍ ଆଇଏଏସ ମଧୁସ୍ମିତା ସାମଲଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଅତିରିକ୍ତ ସଚିବ ସହ ଏସଆଇଆରଡ଼ିର ନିର୍ଦ୍ଦେଶକ ଦାୟିତ୍ୱ ଦିଆଯାଇଛି । ଆଇଏଏସ ସଂଜୟ କୁମାର ବିଶ୍ୱାଳଙ୍କୁ ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ସଚିବ ଏବଂ କାହ୍ନୁଚରଣ ଧିରଙ୍କୁ ଲଘୁ ଖଣିଜ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି ।