ଆଉ ୨ଟି ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ଦାବି
ବୁଗୁଡ଼ା : ବୁଗୁଡ଼ା ଏନଏସି ଅଧୀନ ୫ନଂ ୱାର୍ଡରେ ଜନସଂଖ୍ୟା ଅଢେଇ ହଜାରରୁ ଊର୍ଦ୍ଧ୍ୱ ହୋଇଥିଲେ ମଧ୍ୟ ଗୋଟିଏ ମାତ୍ର ଅଙ୍ଗନୱାଡି କେନ୍ଦ୍ର ରହିଛି । ଏହା ମଧ୍ୟ ଚାଲୁଛି ୬ନଂ ୱାର୍ଡରେ । ୫ନଂ ୱାର୍ଡରେ ଅଙ୍ଗନବାଡି କେନ୍ଦ୍ର ପାଇଁ ଲକ୍ଷାଧିକ ଟଙ୍କା ବ୍ୟୟରେ ନୂତନ କୋଠା ନିର୍ମାଣ ହୋଇଛି । କିନ୍ତୁ ସେଠାରେ ପାଣି କି ଶୌଚାଳୟ ବ୍ୟବସ୍ଥା ନାହିଁ । କେବଳ ବାହାର କବାଟ ଛଡ଼ା ଭିତରେ କୌଣସି କବାଟ କି ଝରକା ଲାଗିନି । ଆନୁଷଙ୍ଗିକ ବ୍ୟବସ୍ଥା ନ ଥିବାରୁ ୫ନଂ ୱାର୍ଡରେ ଅଙ୍ଗନବାଡି କେନ୍ଦ୍ର ନୂଆଁ କୋଠାରେ ଚାଲି ନ ପାରି ୬ନଂ ୱାର୍ଡରେ ଥିବା ମୁଖ୍ୟ ସଡକ ପ୍ରାଥମିକ ବିଦ୍ୟାଳୟର ଉପର ମହଲାରେ ଚାଲୁଛି । ୫ନଂ ୱାର୍ଡରୁ ୬ନଂ ୱାର୍ଡକୁ ଆସିବାକୁ ହେଲେ ମୁଖ୍ୟ ସଡକ ପାରି ହୋଇ ଆସିବାକୁ ପଡୁଥିବାରୁ ଅଧିକାଂଶ ଅଭିଭାବକ ଶିଶୁଙ୍କୁ କେନ୍ଦ୍ରକୁ ଛାଡିବାକୁ ପଛଘୁଞ୍ଚା ଦେଉଛନ୍ତି । ୫ନଂ ୱାର୍ଡର ଜନସଂଖ୍ୟା ୨୫୦୦ରୁ ଉର୍ଦ୍ଧ ରହିଛି । ବର୍ତ୍ତମାନ ପୁରୁଣା ବାଲିପିଣ୍ଡି ସାହି କେନ୍ଦ୍ର ଅଧୀନରେ ଆସୁଥିବା ଏହି ୱାର୍ଡରେ ଅଙ୍ଗନୱାଡି କର୍ମୀ ସେବା ଯୋଗାଇବା କଷ୍ଟକର ହୋଇ ପଡୁଛି । ଏଣୁ, ଆଉ ଦୁଇଟି ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବା ପାଇଁ ୱାର୍ଡ ବାସିନ୍ଦାଙ୍କ ପକ୍ଷରୁ ଦାବି ହେଉଛି ।