ଆଜିଠୁ ୨୩ ଯାଏଁ କାଳବୈଶାଖୀ
ଭୁବନେଶ୍ୱର: ଆସନ୍ତାକାଲି ଠାରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଗ୍ରୀଷ୍ମଲହର ସହ କାଳବୈଶାଖୀର ଆଶଙ୍କା ରହିଛି । ଆସନ୍ତା ମାର୍ଚ୍ଚ ୨୩ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗିରହିବ । ଏନେଇ ପାଣିପାଗ ବିଭାଗ ପକ୍ଷରୁ ବିଭିନ୍ନ ଜିଲ୍ଲାପାଇଁ ୱାର୍ଣ୍ଣିଂ ଜାରି କରାଯାଇଛି ।
ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆସନ୍ତାକାଲି ଝାରସୁଗୁଡ଼ା ଓ ବୌଦ୍ଧରେ ଗ୍ରୀଷ୍ମଲହର ଅନୁଭୂତ ହେବ । ଏହି ଜିଲ୍ଲା ଦ୍ୱୟକୁ ଅରେଞ୍ଜ ୱାର୍ଣ୍ଣିଂ ଜାରିହୋଇଛି । ସେହିପରି ବଲାଙ୍ଗୀର, ସୁନ୍ଦରଗଡ଼, ଅନୁଗୁଳ ଓ କଳାହାଣ୍ଡି ଜିଲ୍ଲାକୁ ତାତି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବାବେଳେ କେନ୍ଦୁଝର ଓ ମୟୂରଭଞ୍ଜରେ ଝଡ଼ବର୍ଷାର ଆଶଙ୍କା ରହିଛି ।
ଅପରପକ୍ଷରେ ଆସନ୍ତା ୧୯ରେ ସୁନ୍ଦରଗଡ଼, କେନ୍ଦୁଝରଗଡ଼, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ ଢେଙ୍କାନାଳକୁ କାଳବୈଶାଖୀ ପାଇଁ ୟେଲୋ ୱାର୍ଣ୍ଣିଂ ଜାରିହୋଇଛି । ଯେତେବେଳେକି ତାତି ପାଇଁ ବୌଦ୍ଧକୁ ଅରେଞ୍ଜ ୱାର୍ଣ୍ଣିଂ ଓ ଝାରସୁଗୁଡ଼ାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ମାର୍ଚ୍ଚ ୨୦ରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେଓଗଡ଼, ଅନଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜର କେତେକ ସ୍ଥାନରେ କାଳବୈଶାଖୀ ଜନିତ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି । ମାର୍ଚ୍ଚ ୨୧ରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଓ ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜରେ କାଳବୈଶାଖୀର ସମ୍ଭାବନା ରହିଛି । ଅପରପକ୍ଷରେ ମାର୍ଚ୍ଚ ୨୩ରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତିରେ କାଳବୈଶାଖୀ ନେଇ ସତର୍କ କରାଯାଇଛି ।