ଆଜି ଖୋଲିବ ନୂଆପଡ଼ା ପେଡ଼ି : ରାଜ୍ୟ ରାଜନୀତିକୁ ଦେବ ନୂଆ ଦିଶା
ବାସ୍ ସବୁ ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି । ନିଶ୍ଚିତ ବିଜୟର ଯୋଶରେ ବିଜେପି କୁରୁଳି ଉଠୁଛି । ସେପଟେ କେତେ ଭୋଟ୍ ପାଇବେ, ଦୁଇ ରହିବେ ନା ତିନି, ସେନେଇ ଦୁଇ ବିରୋଧୀଙ୍କ ମନରେ ଛନକା ପଶିଯାଇଛି । ଇଭିଏମକୁ ନେଇ ବିରୋଧୀ ସନ୍ଦେହ ପ୍ରକାଶ କରିବା ସହ ନକଲି ଭୋଟର ପ୍ରସଙ୍ଗ ବି ଉଠାଇବାକୁ ଭୁଲିନାହିଁ । ଏସବୁ ଭିତରେ ବଡ଼ କଥାଟି ହେଉଛି ଆସନ୍ତାକାଲିର ଫଳାଫଳ ରାଜ୍ୟ ରାଜନୀତିକୁ ନୂଆ ଦିଶା ଦେବ ।
ପ୍ରଥମତଃ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଏବେଠାରୁ ବିଜୟର ବାସ୍ନା ବାରି ନୂଆପଡ଼ାବାସୀଙ୍କୁ ଧନ୍ୟବାଦ ଦେଇ ସାରିଛନ୍ତି । ତେବେ ସେ କେତେ ଭୋଟ୍ ପାଇବେ, କେତେ ଭୋଟ୍ ବ୍ୟବଧାନରେ ଜିତିବେ ? ବିରୋଧୀଙ୍କ ଆକଳନ ଅନୁଯାୟୀ, ଯଦି କଡ଼ା ଟକ୍କରରେ ଜୟ ଜିତନ୍ତି ତେବେ ତାହା ବିଜେପି ସରକାର ପାଇଁ ଶୁଭ ସଂକେତ ନୁହେଁ । ହେଲେ ବିଜେପିର ଆକଳନ ଅନୁଯାୟୀ ଦଳ ଯଦି ବିପୁଳ ଭୋଟରେ ବିଜୟ ଲାଭ କରେ ତେବେ ମନମୋହନ-ମୋହନ ଯୋଡ଼ି ପାଇଁ ଏହା ଏକ ବୁଷ୍ଟର ଡୋଜ୍ ହେବ ।
ବିଜୁ ଜନତା ଦଳ ଚଳିତ ଉପନିର୍ବାଚନରେ ପ୍ରଥମରୁ ବ୍ୟାକଫୁଟ୍ରେ ରହିଥିଲା । ବିଜେପି ଓ କଂଗ୍ରେସ ମଧ୍ୟରେ ଲଢେ଼ଇ ହେବବୋଲି ଏକ ବାତାବରଣ ସୃଷ୍ଟି ହୋଇଥିଲା । ଦଳ ପକ୍ଷରୁ ପୂର୍ବରୁ ଯେଭଳି ଉପନିର୍ବାଚନ ପାଇଁ ଆକ୍ରମଣାତ୍ମକ ରଣନୀତି କରାଯାଏ ଏଥର ବି ସେମିତି କରା ଯାଇଥିଲା । ଦଳର ସବୁ ବିଧାୟକ, ଆଗଧାଡ଼ିର ନେତାମାନେ ଡେରା ପକାଇଥିଲେ । ଦିନ ରାତି ପରିଶ୍ରମ କରିଥିଲେ । ଶାରୀରିକ ଅସୁସ୍ଥତା ସତ୍ତେ୍ୱ ନବୀନ ବାବୁ ଦୁଇ ଦୁଇଥର ପ୍ରଚାର ମଇଦାନକୁ ଓହ୍ଲାଇଥିଲେ । ଏସବୁ ସତ୍ତେ୍ୱ ଦଳ ଯଦି ପୂର୍ବର ଭୋଟ୍ ବଜାୟ ନରଖେ ତେବେ ବିଜେଡ଼ି ପାଇଁ ଚିନ୍ତାର କାରଣ ହେବ । ଯଦି ପୂର୍ବ ଭୋଟରୁ ଅଳ୍ପ କମିଯାଏ, କିଛି କଥାନାହିଁ, ଅଧିକ କମିଲେ ଦଳକୁ ଝଟକା ହେବ । ଏମିତିକି ଦଳରେ କମ୍ପନ ସୃଷ୍ଟି ହେଲେ ଆଶ୍ଚର୍ଯ୍ୟ ହେବାର ନାହିଁ । କିନ୍ତୁ ପୂର୍ବଭଳି ସ୍ନେହାଙ୍ଗିନୀ ଛୁରୀଆ ଯଦି ୬୨ ହଜାରରୁ ଅଧିକ ଭୋଟ୍ ପାଇଲେ ବିଜେଡ଼ି ପାଇଁ ଏହା ମୋରାଲ ବୁଷ୍ଟର ହେବବୋଲି କୁହାଯାଇପାରିବ । କଂଗ୍ରେସ ଏଥର ନିଆରା ରଣନୀତି କରିଥିଲା । କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କର ଅନ୍ୟ ପ୍ରାର୍ଥୀଙ୍କ ଠାରୁ ସବୁଠୁ ଅଧିକ ପକେଟ୍ ଭୋଟ୍ ଥିଲା । ଭକ୍ତ ଦାସଙ୍କ କଳାହାଣ୍ଡି ସଂସଦୀୟ କ୍ଷେତ୍ର ହୋଇଥିବାରୁ ନୂଆପଡ଼ା ଗଣିତ ସହ ସେ ପୂର୍ବରୁ ବେଶ୍ ପରିଚିତ ଥିଲେ । ଭକ୍ତ-ଘାସିରାମ୍ ଏକାଠି ହୋଇ ନିର୍ବାଚନ ରଣନୀତି, ନିର୍ବାଚନ ପରିଚାଳନା କରିଥିଲେ । କଂଗ୍ରେସର ତୁଙ୍ଗ ନେତାମାନେ କେବଳ ସାମ୍ବାଦିକ ସମ୍ମିଳନୀରେ ହିଁ ସୀମିତ ଥିଲେ । ବିଜେଡ଼ି ଓ ବିଜେପି ଭଳି କଂଗ୍ରେସ ଜମା ବଡ଼ ରାଲି କରିନଥିଲା । ନିର୍ବାଚନ ପୂର୍ବରୁ ଘାସିରାମଙ୍କୁ ନେଇ ଯେତିକି ଚର୍ଚ୍ଚା ହେଉଥିଲା ନିର୍ବାଚନ ଶେଷ ବେଳକୁ ସେ ଚର୍ଚ୍ଚାରେ ବିରାମ୍ ଲାଗିଥିଲା । ଉଭୟ ବିଜେପି ଓ ବିଜେଡ଼ି ଘାସିରାମଙ୍କ ଭୋଟରେ କତୁରୀ ମାରି ଦେଇଛନ୍ତି । ଏସବୁ ଭିତରେ କଂଗ୍ରେସ କେତେ ଭୋଟ୍ ପାଇବ ? ନିକଟ ଅତୀତରେ ହୋଇଥିବା ଉପନିର୍ବାଚନ ମଧ୍ୟରୁ ବ୍ରଜରାଜନଗରକୁ ଛାଡ଼ିଦେଲେ ବାକି ସବୁ ସ୍ଥାନରେ କଂଗ୍ରେସ ଅମାନତ ହରାଉଥିଲା । କଂଗ୍ରେସ ଭୋଟ୍ ଅତ୍ୟନ୍ତ ଲଜ୍ଜାଜନକ ଥିଲା କହିଲେ ଭୁଲ୍ ହେବନାହିଁ । କଂଗ୍ରେସ ଯଦି ୪୦ ହଜାର ଭୋଟ୍ ପାଏ ତେବେ ଭକ୍ତଙ୍କ ଦବଦବା ଆହୁରି ବଢ଼ିବା ନିଶ୍ଚିତ । ଯଦି ବହୁତ୍ କମିଯାଏ ତେବେ ଦଳରେ ଭକ୍ତ ବିରୋଧୀ ସ୍ୱର ଉଠିବାର ଆଶଙ୍କା ରହିଛି ।
ଅପରପକ୍ଷରେ ନୂଆପଡ଼ା ଗଣତି ନେଇ ବ୍ୟାପକ ପ୍ରସ୍ତୁତି, ପ୍ରସ୍ତୁତି ଚୂଡାନ୍ତ ହୋଇଥିବା ବେଳେ ପୋଲିସ ଅଧିକାରୀ ଏବଂ ସୁରକ୍ଷା କର୍ମୀଙ୍କୁ ପୋଲିସ ଏସପି ସୁରକ୍ଷା ଦାୟିତ୍ୱ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏସପି ଅମୃତ ପାଲ ସିଂଙ୍କ ତତ୍ତ୍ୱାବଧାନରେ ନିର୍ବାଚନ ଗଣତି ନେଇ ବ୍ୟାପକ ପ୍ରସ୍ତୁତି ରହିଅଛି । ମୋଟ ୧୪ଟି ଟେବୁଲ୍ ରହିଥିବାବେଳେ ୨୬ ରାଉଣ୍ଡ ଗଣତି ହେବା ନେଇ ପ୍ରଶାସନ ପ୍ରସ୍ତୁତ ରହିଥିବା ଜଣାପଡିଛି । ଆଜିଠାରୁ ଭୋଟ ଗଣତି କେନ୍ଦ୍ରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଅପରପକ୍ଷରେ ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ, ଗଣତିରେ ନିୟୋଜିତ ହୋଇଥିବା କର୍ମଚାରୀମାନେ ସକାଳ ୬ଟାରୁ ଗଣତି କେନ୍ଦ୍ରରେ ପ୍ରବେଶ କରିବେ । ସକାଳ ୮ଟାରେ ପୋଷ୍ଟାଲ ବାଲାଟ ଗଣତି ପରେ ସାଢେ଼ ୮ଟାରେ ଇଭିଏମ୍ ଭୋଟ ଗଣତି ନେଇ ନିଷ୍ପତ୍ତି ହୋଇଛି । ନାସନାଲ କଲେଜ୍ ପରିସର ମଧ୍ୟରେ ହେବ ଭୋଟ ଗଣତି । ଗଣତି କେନ୍ଦ୍ର ପରିସରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ରହିଥିବା ବେଳେ ବାହାରେ ୧୪୪ ଧାରା ଗଣତି ପର୍ଯ୍ୟନ୍ତ ବଳବତ୍ତର ରହିବ । ତେଣୁ ଗଣତି କେନ୍ଦ୍ର ବାହାରେ ୫ରୁ ଅଧିକ ବ୍ୟକ୍ତି ରୁଣ୍ଡ ନହେବା ପାଇଁ ଜିଲ୍ଲାପାଳ ସମସ୍ତଙ୍କୁ ନିବେଦନ କରିଛନ୍ତି । ଭୋଟ ଗଣତି ପରେ ପରିସ୍ଥିତି ସ୍ୱାଭାବିକ ହେବ ବୋଲି ପ୍ରକାଶ କରିଛନ୍ତି ।