ଆଜି ପୁରୀରୁ ‘ବିକଶିତ କୃଷି ସଂକଳ୍ପ ଅଭିଯାନ’ ଆରମ୍ଭ
ଭୁବନେଶ୍ୱର : କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଆସନ୍ତାକାଲି ପୁରୀରୁ ‘ବିକଶିତ କୃଷି ସଂକଳ୍ପ ଅଭିଯାନ’ର ଶୁଭାରମ୍ଭ କରିବେ । ଏହି ୧୫ ଦିନିଆ ଅଭିଯାନରେ ଶ୍ରୀ ଚୌହାନ ପ୍ରାୟ ୨୦ଟି ରାଜ୍ୟ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଅଭିଯାନକୁ ସାକାର କରିବାରେ ରାଜ୍ୟ ସରକାରମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ । ସମସ୍ତ ରାଜ୍ୟ ସାମୂହିକ ମାଲିକାନା ଏବଂ ସମର୍ପଣ ମାଧ୍ୟମରେ ଏହି ଅଭିଯାନକୁ ସଫଳ କରିବେ ବୋଲି ଆଶା କରାଯାଉଛି ।
ଶ୍ରୀ ଚୌହାନ କହିଥିଲେ ଯେ ଆସନ୍ତାକାଲି ଠାରୁ ଏକ ବ୍ୟାପକ ଅଭିଯାନ ଆରମ୍ଭ ହେବାକୁ ଯାଉଛି । ଭାରତୀୟ କୃଷି ଗବେଷଣା ପରିଷଦ ଏବଂ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକମାନେ ‘ଲ୍ୟାବ୍ ଟୁ ଲ୍ୟାଣ୍ଡ’ ବା ପରୀକ୍ଷାଗାରରୁ ଚାଷ ଜମିକୁ ଯୋଡ଼ିବା ପାଇଁ ଏକ ଅଭିଯାନ ଆରମ୍ଭ କରିବେ । ୧୬ ହଜାର ବୈଜ୍ଞାନିକଙ୍କୁ ନେଇ ସଂଖ୍ୟାଧିକ ଦଳ ଗଠନ କରାଯାଇଛି, ଯେଉଁମାନେ ଗାଁକୁ ଗାଁ ଯାଇ କୃଷକମାନଙ୍କ ସହ ଭାବ ବିନିମୟ କରିବେ । ୨୧୭୦ଟି ଦଳ ଗଠନ କରାଯାଇଛି, ଯେଉଁମାନଙ୍କ ସହ ଯୋଗାଯୋଗ କରାଯିବ । ଗୋଟିଏ ଦଳ ଗୋଟିଏ ଦିନରେ ୨ଟି ଗ୍ରାମ ପରିଦର୍ଶନ କରିବ । ଏହି ଅଭିଯାନ ୧୫ ଦିନ ଧରି ଚାଲିବ ଏବଂ କୃଷକମାନଙ୍କ ମଧ୍ୟରେ ସିଧାସଳଖ ଆଲୋଚନା ହେବ । ସ୍ଥାନୀୟ ଅଞ୍ଚଳର ଜଳବାୟୁ, ଜଳ, ମୃତ୍ତିକାର ପୋଷକ ତତ୍ତ୍ୱ ଏବଂ ଅନ୍ୟାନ୍ୟ କାରକ, କେଉଁ ଫସଲ ବୁଣାଯିବା ଉଚିତ, କେଉଁ ପ୍ରକାର ରହିବା ଉଚିତ, ସାରର କେତେ ସନ୍ତୁଳିତ ବ୍ୟବହାର କରାଯିବା ଉଚିତ, ପ୍ରାକୃତିକ ଚାଷ ସହିତ ଡାଲି ଏବଂ ତୈଳବୀଜ ଚାଷ ଉପରେ କୃଷକମାନଙ୍କ ସହ ଆଲୋଚନା କରାଯିବ ।