ଆତଙ୍କୀ ଆକ୍ରମଣରେ କଂଗ୍ରେସର ବିବାଦୀୟ ବୟାନ, ରାଜ୍ୟବାସୀଙ୍କୁ କ୍ଷମା ମାଗନ୍ତୁ ଭକ୍ତ: ବିଜେପି
ଭୁବନେଶ୍ୱର : ପହଲଗାମରେ ହୋଇଥିବା ଇସ୍ଲାମୀ ଆତଙ୍କବାଦୀ ଆକ୍ରମଣକୁ ନେଇ ପିସିସି ସଭାପତି ଭକ୍ତଚରଣ ଦାସଙ୍କ ବୟାନ ଅତ୍ୟନ୍ତ ନିନ୍ଦନୀୟ । ଏହା ଆଦୌ ଗ୍ରହଣଯୋଗ୍ୟ ନୁହେଁ । କେନ୍ଦ୍ର ସରକାର ନାଟକ କରୁଛନ୍ତି ଏବଂ ଦୁଇଟି ରାଜ୍ୟରେ ଆଗାମୀ ଦିନରେ ନିର୍ବାଚନ ହେବାକୁ ଯାଉଥିବାରୁ ଆତଙ୍କବାଦୀ ଆକ୍ରମଣ କରାଗଲା ବୋଲି ଭକ୍ତ ଦାସ କହିଥିବାରୁ ଏହାକୁ ଦୃଢ଼ ନିନ୍ଦା କରିଛି ରାଜ୍ୟ ବିଜେପି । ବିଜେପି ପକ୍ଷରୁ କୁହାଯାଇଛି ଯେ, ସେ (ଭକ୍ତ) ଆତଙ୍କବାଦୀମାନଙ୍କୁ ବଞ୍ଚାଇବା ଓ ସେମାନଙ୍କୁ ଦୋଷ ମୁକ୍ତ କରିବା ପାଇଁ ଚାହୁଁଛନ୍ତି ବୋଲି ବିଜେପି ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ କହିଛନ୍ତି ।
ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, ସାରା ବିଶ୍ୱ ଜାଣିଛି ଯେ ପାକିସ୍ତାନ ହେଉଛି ଆତଙ୍କବାଦର କେନ୍ଦ୍ର ଓ ପହଲଗାମରେ ଇସ୍ଲାମୀ ଆତଙ୍କବାଦୀମାନେ ଧର୍ମ ପଚାରି ଓ କଲମା ପଢ଼ିବାକୁ କହି ନୀରିହ ଲୋକଙ୍କୁ ହତ୍ୟା କରିଛନ୍ତି । କେବଳ ଭକ୍ତ ଦାସ ଓ କଂଗ୍ରେସର କେତେଜଣ ନେତାଙ୍କୁ ଆତଙ୍କବାଦୀଙ୍କ ଉଦେ୍ଦଶ୍ୟ ଓ ସେମାନଙ୍କର ବର୍ବରତା ଦେଖାଯାଉ ନାହିଁ ବୋଲି କହି କଂଗ୍ରେସକୁ ସମାଲୋଚନା କରିଛନ୍ତି । ଆମେ କେବ ବି ଏହି ଦୁଃଖଦ ଘଟଣାରେ ରାଜନୀତି କରିନାହୁଁ କି ପ୍ରଶ୍ନ କରିନାହୁଁ । ଭକ୍ତ ଦାସ ତୁରନ୍ତ ନିଜର ବକ୍ତବ୍ୟକୁ ପ୍ରତ୍ୟାହାର କରନ୍ତୁ ଓ ରାଜ୍ୟବାସୀଙ୍କ ଆଗରେ ନିଃସର୍ତ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବି କରିଛନ୍ତି । କଂଗ୍ରେସ ଶାସନରେ ଥିବା ସମୟରେ ଦେଶରେ ମହାତ୍ମାଗାନ୍ଧୀଙ୍କ ହତ୍ୟା ହୋଇଛି । ପୂବର୍ତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଅସ୍ୱାଭାବିକ ମୃତୁ୍ୟ ହୋଇଛି । ଦୁଇ ଦୁଇ ଜଣ ପ୍ରଧାନମନ୍ତ୍ରୀଙ୍କ ହତ୍ୟା ହୋଇଛି । ଏ ସବୁର ଉତର ଦାୟିତ୍ୱ କଂଗ୍ରେସ କାହିଁକି ନେଉନାହିଁ ବୋଲି ଶ୍ରୀ ବିଶ୍ୱାଳ ପ୍ରଶ୍ନ କରିଛନ୍ତି ।