ଆଦର ହରାଉଛି ବାଉଁଶ ତିଆରି ସାମଗ୍ରୀ : ନୟାଗଡ଼ରୁ ସ୍ୱତନ୍ତ୍ର ପ୍ରତିନିଧି ରବୀନ୍ଦ୍ର କୁମାର ପଟ୍ଟନାୟକ
ବାଉଁଶ ନିର୍ମିତ ସାମଗ୍ରୀ ବ୍ୟବସାୟ ବଂଶାନୁକ୍ରମେ ଚାଲିଥିବାବେଳେ ଏହି ବ୍ୟବସାୟ ୮୦ ଭାଗ ବନ୍ଦ ହୋଇଯାଇଥିବାର ଦେଖିବାକୁ ମିଳିଛି । ବାଉଁଶରୁ ତାଆରି ହେଉଥିବା ସାମଗ୍ରୀ କୁଲା, ବାଉଁଶିଆ, ଡ଼ାଲା, ପାଛିଆ, ବୋଝ, ଚାଙ୍ଗୁଡିÿ, ଗାଣ୍ଡୁଆ ପ୍ରଭୃତି ସାମଗ୍ରୀ ଏବେ ବଜାରରୁ ଧିରେ ଧିରେ ଲୋପ ହେବାକୁ ବସିଲାଣି । ଏହି ଘରକରଣା ଜିନିଷ ଦୈନନ୍ଦିନ ଜୀବନରେ ବ୍ୟବହୃତ ହେଉଥିବା ବେଳେ ଏହାକୁ ବର୍ତ୍ତମାନ ସହଜରେ ଉପଭୋକ୍ତା ପାଇ ପାରୁନାହାଁନ୍ତି । ଏହି ବାଉଁଶ ସାମଗ୍ରୀ ତିଆରି କରୁଥିବା କାରିଗରମାନେ ସେମାନଙ୍କର କୌଳିକ ବୃତ୍ତି ଛାଡି ଏବେ ଅନ୍ୟ ବ୍ୟବସାୟକୁ ଆପଣାଉଥିବା ଦେଖିବାକୁ ମିଳୁଛି । କୌଳିକ ବୃତ୍ତି ଭାବେ ଗ୍ରହଣ କରିଥିବା ଏହି ବାଉଁଶ ନିର୍ମିତ ସାମଗ୍ରୀ ବ୍ୟବସାୟ ବଂଶାନୁକ୍ରମେ ଚାଲିଥିବା ବେଳେ ହଠାତ୍ କେତେ ବର୍ଷ ହେଲା ଏହି ବ୍ୟବସାୟ ୮୦ ଭାଗ ବନ୍ଦ ହୋଇଯାଇଥିବାର ଦେଖିବାକୁ ମିଳିଛି । ଏହାର କାରଣ ସମ୍ପର୍କରେ ଅନୁଧ୍ୟାନ କରିବାରେ ଜଣାପଡ଼ିଛି ଯେ, ବାଉଁଶ ନିର୍ମିତ ଜିନିଷ କରୁଥିବା କାରିଗର ବିଭିନ୍ନ ପ୍ରକାର ଉତ୍ତର ଦେଉଛନ୍ତି । ବାଉଁଶର ଘୋର ଅଭାବ, ବାଉଁଶ ଉପରେ ବନ ବିଭାଗର କଟକଣା, ଘରୋଇ ବାଉଁଶ ଗଛ ଲଗାଇଥିବା ବ୍ୟକ୍ତିଙ୍କ ଚଢା ଦର କାରଣରୁ ବାଉଁଶ କାରିଗର ଆଉ ବାଉଁଶ ନିର୍ମିତ ଜିନିଷ ତିଆରି କରିବାକୁ ସକ୍ଷମ ହେଉନାହାଁନ୍ତି । ହେଲେ କାଁ ଭାଁ ବାଉଁଶ ମିଳିଲେ ଏପରି ଘରକରଣା ଜିନିଷ ଯେଉଁମାନେ ତିଆରି କରୁଛନ୍ତି, ତାହା ଆକାଶଛୁଆଁ ଦରରେ ବିକ୍ରି କରୁଛନ୍ତି । ବିଶେଷ କରି ବାହାଘର, ବ୍ରତଘର ଭଳି କାର୍ଯ୍ୟରେ ଡ଼ାଲା, କୁଲାର ବ୍ୟବହାର ବେଦୀରେ ଦରକାର ପଡୁଥିବାରୁ ଯେତେ ଅଧିକ ଦର ହେଲେ ମଧ୍ୟ ଲୋକେ କିଣିବା ପାଇଁ ବାଧ୍ୟ ହେଉଛନ୍ତି । ଅପରପକ୍ଷେ ବାଉଁଶ ଚିରିବା ଦାୟିତ୍ୱ ପୁରୁଷ ଲୋକ ନେଉଥିବା ବେଳେ ମହିଳା ଲୋକ ଉପକରଣ ବୁଣିଥାନ୍ତି । ହେଲେ କୌଳିକ ବୃତ୍ତିକୁ ଛାଡି ଏବେ ସ୍ତ୍ରୀ ଲୋକ ସ୍ୱୟଂସହାୟକ ଗୋଷ୍ଠୀରେ ମିଶି ଅନ୍ୟ ଧନ୍ଦାମୂଳକ ବ୍ୟବସାୟ ଆରମ୍ଭ କଲେଣି । ଯାହା ଫଳରେ ବାହାର ଜାଗାରୁ ଏହି ସାମଗ୍ରୀ କିଣି ଆଣି କେତେକ ବ୍ୟବସାୟୀ ମନଇଛା ଦରରେ ବିକ୍ରି କରୁଥିବା ଦେଖାଯାଇଛି । ସମୟ ଆସିବ ଏହି ବାଉଁଶ ନିର୍ମିତ ସାମଗ୍ରୀ ବଜାରରୁ ଲୋପ ପାଇଯିବ । ଧୀରେ ଧୀରେ ବାଉଁଶ ନିର୍ମିତ ସାମଗ୍ରୀ ବଦଳରେ ପ୍ଲାଷ୍ଟିକ ଜିନିଷର ପ୍ରଚଳନ ବହୁଳ ଭାବେ ଦେଖାଯାଉଛି । ପ୍ରାୟତଃ ଅଧିକାଂଶ ଲୋକଙ୍କ ଘରେ ଏବେ ପ୍ଲାଷ୍ଟିକ କୁଲା ଠାରୁ ଆରମ୍ଭ କରି ପରିବା ରଖିବା ଡାଲା ପର୍ଯ୍ୟନ୍ତ ପ୍ରତ୍ୟେକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସବୁଠରେ ପ୍ଲାଷ୍ଟିକ ନିର୍ମିତ ଉପକରଣର ବ୍ୟବହାର ହେଉଥିବାର ଦେଖିବାକୁ ମିଳୁଛି । ଅନ୍ୟପକ୍ଷରେ ବାଉଁଶ ଶିଳ୍ପକୁ ବଞ୍ଚାଇ ରଖିବା ପାଇଁ ସରକାରୀସ୍ତରରେ ପ୍ରୋତ୍ସାହନ ଦିଆଗଲେ କାରିଗର ପୂର୍ବଭଳି ଏହି ସାମଗ୍ରୀ ତିଆରି କରିବାକୁ ସକ୍ଷମ ହେବେ ବୋଲି ମତପ୍ରକାଶ ପାଇଛି । ଅନ୍ୟପକ୍ଷରେ ସରକାରଙ୍କ ପକ୍ଷରୁ ମିଶନ ଶକ୍ତି ମାଧ୍ୟମରେ ଲକ୍ଷାଧିକ ଟଙ୍କା ଏସଏସଜି ଗ୍ରୁପ ମାଧ୍ୟମରେ ମହିଳାଙ୍କ ପାଖରେ ପହଞ୍ଚୁଥିଲେ ମଧ୍ୟ ବାଉଁଶ ତିଆରି ସାମଗ୍ରୀ ଆଉ ତିଆରି କରିବାକୁ ସେତେଟା ଆଗ୍ରହ ଦେଖିବାକୁ ମିଳୁନାହିଁ । ସରକାରଙ୍କ ପକ୍ଷରୁ ପ୍ରୋତ୍ସାହନ ରାଶି ଏବଂ ସେମାନଙ୍କ ଦ୍ୱାରା ସାମଗ୍ରୀକୁ ବିକ୍ରି କରିବାକୁ ବଜାର ଯୋଗାଇ ଦିଆଗଲେ ପୁଣି ପୂର୍ବାବସ୍ଥା ଫେରିଆସିବ ବୋଲି ବୁଦ୍ଧିଜୀବୀ ମତବ୍ୟକ୍ତ କରିଛନ୍ତି ।