କଂଗ୍ରେସର ସମ୍ବିଧାନ ବଞ୍ଚାଅ ସମାବେଶରେ ଧସ୍ତାଧସ୍ତି

 ଦେବଗଡ : କଂଗ୍ରେସ ପକ୍ଷରୁ ଦେବଗଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ସମ୍ବିଧାନ ବଞ୍ଚାଅ ସମାବେଶ ଅନୁଷ୍ଠିତ ହୋଇଯାଇଛି  । ଜିଲ୍ଲା କଂଗ୍ରେସ କମିଟି ସଭାପତି ସେମ୍ ହେମ୍ବ୍ରମଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ଯୋଗଦେଇ ସମାବେଶକୁ ସମ୍ବୋଧିତ କରିଥିଲେ  । ଦେଶର ସମ୍ବିଧାନ ଆଜି ସଙ୍କଟରେ ଦର୍ଶାଇ ଏହାର ସୁରକ୍ଷା ପାଇଁ ପ୍ରତ୍ୟେକ ରାଜନୈତିକ ଦଳ ଏବଂ ଜନସାଧାରଣ ଲଢେଇ କରିବାର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିବାସହ କେନ୍ଦ୍ର ସରକାର ସାମ୍ବିଧାନିକ ଅନୁଷ୍ଠାନ ଗୁଡିକର ଦୁରୂପଯୋଗ କରୁଥିବା ଅଭିଯୋଗ କରିଥିଲେ  । ସେହିପରି ସମ୍ବିଧାନ ସଶକ୍ତ ହେଲେ ଆମ ଗଣତନ୍ତ୍ର ସଶକ୍ତ ହେବ ଓ ଆମ ଅଧିକାର ସୁରକ୍ଷିତ ରହିବ ବୋଲି ପିସିସି ସଭାପତି ଦାସ ପ୍ରକାଶ କରିଥିଲେ  । ରାହୁଲ ଗାନ୍ଧି ଜାତି ଜନଗଣନା ପାଇଁ ସଂସଦରେ ଦାବି ଉପସ୍ଥାପନ କରିଥିବା ବେଳେ ଏହାକୁ ଭାରତୀୟ ଜନତା ପାର୍ଟି ଉପହାସ କରିଥିଲା । ମାତ୍ର ଜନଗଣନା ପାଇଁ କଂଗ୍ରେସ ଯେତେବେଳେ ଆନେ୍ଦାଳନ ଆରମ୍ଭ କଲା ସେହି ଭୟରେ ଜନଗଣନା ପାଇଁ ବିଜେପି ଘୋଷଣା କରିଥିବା ପିସିସି ସଭାପତି ଏହି ସମାବେଶରେ ପ୍ରକାଶ କରିଥିଲେ  । ପିସିସି ସଭାପତିଙ୍କ ଦେବଗଡ ଗସ୍ତ ସମୟରେ ଜିଲା କଂଗ୍ରେସ ସଂଗଠନରେ ଥିବା କନ୍ଦଳ ସ୍ପଷ୍ଟ ଭାବେ ପଦାକୁ ଆସିଛି । ଜିଲ୍ଲା କଂଗ୍ରେସ ସଭାପତି ସେମ୍ ହେମ୍ବ୍ରମ ପିସିସି ସଭାପତିଙ୍କୁ ସ୍ଥାନୀୟ ଜେଲ ଛକରୁ ଶହଶହ ନେତା ଓ କର୍ମୀଙ୍କ ଗହଣରେ ସ୍ୱାଗତ କରି ଏକ ବିରାଟ ଶୋଭାଯାତ୍ରାରେ ସଭାସ୍ଥଳକୁ ଯାଉଥିବା ବେଳେ ବେଳେ ପୂର୍ବତନ ଜିଲା ଯୁବ କଂଗ୍ରେସ ସଭାପତି ସିଦେ୍ଧଶ୍ୱର ଗୁରୁଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ ନେତା ଓ କର୍ମୀ ଭିନ୍ନ ରାସ୍ତାରେ ଶୋଭାଯାତ୍ରାରେ ଆସି ଘରୋଇ ବସଷ୍ଟାଣ୍ଡ ଛକରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା  । ଏଥିସହ ସିଦେ୍ଧଶ୍ୱର ଏବଂ ତାଙ୍କ ସମର୍ଥକ ମାନେ ପିସିସି ସଭାପତିଙ୍କୁ ପୁଷ୍ପମାଲ୍ୟ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରୁଥିବା ବେଳେ ଉଭୟ ଗୋଷ୍ଠୀ ମଧ୍ୟରେ ଧସ୍ତାଧସ୍ତି ଆରମ୍ଭ ହୋଇଯାଇଥିଲା  । ପୁଲିସ ଏହାକୁ ନିୟନ୍ତ୍ରଣ କରିଥିବା ବେଳେ ସମସ୍ତେ ପୁଣି ଏକାଠି ମିଶି ଶୋଭାଯାତ୍ରାରେ ସମାବେଶ ସ୍ଥଳକୁ ଆସିଥିଲେ  । ତେବେ ଦଳରେ କନ୍ଧଳ ନେଇ ପିସିସି ସଭାପତିଙ୍କୁ ପଚାରିବାରୁ ସେ ଏହାକୁ ସ୍ୱାଗତ କରିବାସହ ଦଳର ଶକ୍ତି ବୃଦ୍ଧି ହେଲେ ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଥାଏ  । ଏହା ତାହାର ପ୍ରତିଫଳନ ବୋଲି ସେ ଉତ୍ତର ଦେଇଥିଲେ  ।