ଆନନ୍ଦର ମୁହୂର୍ତ୍ତ

ଦେବଦତ୍ତ ବିଶ୍ୱାଳ : ଆନନ୍ଦ ସତରେ ଧନୀ ବା କ୍ଷମତାଶାଳୀ ଲୋକମାନଙ୍କ ପାଇଁ । ଆମ୍ଭମାନଙ୍କ ପରି ଗରିବ ଲୋକମାନଙ୍କ ନିମିତ୍ତ ଆନନ୍ଦର ମୂଲ୍ୟ ହିଁ କିଛି ନାହିଁ । ଥରେ ଏହିପରି ଏକ ଆତ୍ମ ଦୁଃଖର କଥାଟି ଶୁଣିବାକୁ ମିଳିଲା ମୋର ଜଣେ ଘନିଷ୍ଠ ସହଯୋଗୀଙ୍କ ଠାରୁ । ମୁଁ ତାଙ୍କ ଭିତରୁ ଏହି ଭାବନାକୁ ଦୂରେଇବା ପାଇଁ ଏକ ଛୋଟିଆ ଆଧ୍ୟାତ୍ମିକ ଘଟଣାଟି ତାଙ୍କୁ କହିଲି । ନଦୀ କୂଳରେ ଥାଏ ଝଙ୍କାଳିଆ ବରଗଛଟିଏ । ଜଣେ ଧୀବର ଗଛ ତଳେ ବସି ଆରାମ କରୁଥାଏ । ମଝିରେ ମଝିରେ ବିଡି ଟାଣୁଥାଏ । ଅଜଣା ଗୀତର ସ୍ୱର ବି ତା ମୁହଁରୁ ଶୁଭୁଥାଏ । ସେହି ବାଟ ଦେଇ ଯାଉଥିଲେ ଜଣେ ଧନୀ ବଣିକ । ଧୀବରର ବେପରୁଆ ହାବଭାବ ଦେଖି ଅଟକି ପଚାରିଲେ, ଏଠାରେ ବସି ଅଯଥାରେ ସମୟ ନଷ୍ଟ କରୁଛ କାହିଁକି ? ଧୀବର କହିଲା, ଆଜି ପାଇଁ ମାଛ ମାରିବା ସରିଗଲାଣି । ବିଶ୍ରାମ ନେଉଛି । ବେଳ ବୁଡିଲେ ଘରକୁ ଫେରିବି । ବଣିକ କହିଲେ, ଅଧିକ ମାଛ ଧର । ଧୀବର କହିଲା, ଏଥିରେ ମୋର ଲାଭ କ'ଣ ହେବ ? ବଣିକ କହିଲେ, ଅଧିକ ରୋଜଗାର କରିପାରିବ । ଟଙ୍କା ଜମା ରଖି ବଡ଼ ମାଛମରା ଡଙ୍ଗାଟିଏ କିଣିପାରିବ । ଆଉ ଛୋଟ ଜାଲରେ ମାଛ ମାରିବାକୁ ପଡ଼ିବ ନାହିଁ । କାମ କରିବା ପାଇଁ କିଛି ଲୋକ ରଖିବ । ଆଉ ଆରାମ କରିବ । ଧୀବର ପଚାରିଲା, ତୁମେ କ'ଣ ଦେଖିପାରୁନ କି ଏବେ ମୁଁ କ'ଣ କରୁଛି । ବଣିକ ନିରୁତ୍ତର ରହିଲେ । 

       ପ୍ରକୃତରେ ଅଧିକ ଧନସମ୍ପତ୍ତି ରୋଜଗାର ପାଇଁ ଉଦ୍ୟମ ଅପେକ୍ଷା ଯେତିକି ଦରକାର ରୋଜଗାର କରି ସୁଖରେ ରହିବା ଭଲ । ଅଧିକ ଧନ ସମ୍ପତ୍ତି ମଣିଷକୁ କେବେ ଶାନ୍ତି ଦେଇପାରେନାହିଁ । ବର୍ତ୍ତମାନର ମୁହୂର୍ତ୍ତକୁ ନେଇ ଆନନ୍ଦରେ ବଞ୍ôଚପାରିଲେ ଜୀବନ ଉପଭୋଗ୍ୟ ହେବା ସହ ଶାନ୍ତି ମିଳିପାରିବ । ବର୍ତ୍ତମାନର ଜୀବନରେ ଭଗବାନ ଯାହା ଦେଇଛନ୍ତି ତାହା ହିଁ ଆମର ପ୍ରାପ୍ୟ ଏହାକୁ ମନେରଖିବା ଉଚିତ । ଅଧିକ ସମ୍ପତ୍ତି, ପ୍ରତିପତ୍ତି, କ୍ଷମତା, ସୌନ୍ଦର୍ଯ୍ୟ ପ୍ରମୁଖ ଏସବୁ ଚିର ଦିନ ପାଇଁ ଆତ୍ମଗୁଣ ନୁହେଁ । ବର୍ତ୍ତମାନ ଯାହାହିଁ ଘଟୁଛି ତାହା ସ୍ରଷ୍ଟାଙ୍କ ଇଙ୍ଗିତରେ ପରିଚାଳିତ ହେଉଛି । ଆମ ସମୟରେ ଅନେକ ଉଦାହରଣ ଅଛି ପ୍ରଚୁର ଅର୍ଥ, କ୍ଷମତା ଥିବା ଲୋକ ପରବର୍ତ୍ତୀ ସମୟରେ କିପରି ଜୀବନ ବିତାଉଛନ୍ତି । ଆସନ୍ତୁ ଭଗବାନଙ୍କ ନାମ ଚିନ୍ତନ କରି ବର୍ତ୍ତମାନ ତାଙ୍କରି ଆଶୀର୍ବାଦ ଓ କୃପାକୁ ନେଇ ଦିବ୍ୟ ଜୀବନଟି ଗଢ଼ିତୋଳିବା ଓ ଯଥାସମ୍ଭବ ଏକ ସାଧୁ ଜୀବନ ସହ ଅନ୍ୟମାନଙ୍କ ପାଇଁ ପରୋପକାର କରି ଭଗବାନଙ୍କ ପ୍ରଦତ୍ତ ଦିବ୍ୟପଥରେ ନିଜକୁ ଆଗେଇନେବା । 

ମୋ : ୯୮୬୧୯୪୪୫୯୪