ଆନ୍ତଃ କ୍ଲବ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ
କେନ୍ଦୁଝର: ଫୁଟବଲ ଆସୋସିଏସନ୍ ଅଫ୍ ଓଡିଶା ଏବଂ ରାଜ୍ୟ କ୍ରୀଡା, ଯୁବସେବା ବିଭାଗ ଆନୁକୁଲ୍ୟରେ କେନ୍ଦୁଝର ଶଙ୍କରପୁରସ୍ଥିତ ଧରଣୀଧର ସ୍ପୋର୍ଟସ କମ୍ପ୍ଲେକ୍ସରେ ସିଏମ କପ ଆନ୍ତଃ କ୍ଲବ ଫୁଟବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିବସର ଖେଳରେ ଟାଟା ଷ୍ଟିଲ ଫାଉଣ୍ଡେସନ, ମୁର୍ଗା ରାଇଜିଂ ଷ୍ଟାର କ୍ଲବ, ରାଇକଳା ବିପକ୍ଷରେ ୫-୧ଗୋଲରେ ବିଜୟୀ ହୋଇଛି । ଉଭୟ ବିଜୟୀ ଦଳ ଦୁଇ ପଏଣ୍ଟ ଲେଖାଏ ହାସଲ କରିଛନ୍ତି । ଆଜି ଅନୁଷ୍ଠିତ ପ୍ରଥମ ଖେଳରେ ଟାଟା ଷ୍ଟିଲ ଫାଉଣ୍ଡେସନର ଖେଳାଳି ମାନେ ଉନ୍ନତ ମାନର ଖେଳ ପ୍ରଦର୍ଶନ କରି ୭ ନମ୍ବର ଖେଳାଳି ରୋହିତ ଗାଗରାଇଙ୍କ ତିନି ଗୋଟି ବ୍ୟକ୍ତିଗତ ଗୋଲ, ୧୦ନମ୍ବର ଖେଳାଳି କ୍ରିଷ୍ଣା ମହାକୁଡ଼ଙ୍କ ଦୁଇଟି ଗୋଲ ଏବଂ ମେଘନାଦ ନାୟକଙ୍କ ଗୋଟିଏ ଗୋଲ ସହାୟତାରେ ରାଇକଳାର ରାଇଜିଂ ଷ୍ଟାର କ୍ଲବ ବିପକ୍ଷରେ ୬-୦ ଗୋଲରେ ଏକ ସହଜସାଧ୍ୟ ବିଜୟ ହାସଲ କରି ଲିଗ ଟେବୁଲରେ ପୁରା ଦୁଇ ପଏଣ୍ଟ ହାସଲ କରିବାରେ ସମର୍ଥ ହୋଇଛି । ସେହିପରି ଦ୍ୱିତୀୟ ଖେଳରେ ଜିନ୍ଦଲ ଫାଉଣ୍ଡେସନ ବଡ଼ବିଲ ‘ଏ' ତାରିଣୀ ଫୁଟବଲ ଏକାଡେମୀ ବିପକ୍ଷରେ ପ୍ରଥମାର୍ଦ୍ଧରେ ୧୬ ମିନିଟରେ ଏବଂ ୨୭ମିନିଟରେ ଅଙ୍କିତ ବେହେରା ଦୁଇଟି ଗୋଲ୍ ସ୍କୋର, ୩୯ତମ ମିନିଟରେ ଅନନ୍ତ ନାୟକ ଦଳ ପକ୍ଷରୁ ତୃତୀୟ ଗୋଲ ସ୍କୋର କରିଥିବା ବେଳେ ତାରିଣୀ ଫୁଟବଲ ଏକାଡେମୀର ରଘୁନାଥ ମାଝୀ ୪୩ତମ ମିନିଟରେ ଗୋଟିଏ ଗୋଲ ପରିଶୋଧ କରିଥିଲେ ଏବଂ ଦ୍ୱିତୀୟାର୍ଦ୍ଧର ୪ ମିନିଟରେ ଅନନ୍ତ ନାୟକ ଜିନ୍ଦଲ ଫାଉଣ୍ଡେସନ ବଡ଼ବିଲ ‘ଏ' ଅନ୍ତିମ ଗୋଲଟି ସ୍କୋର କରି ୫-୧ଗୋଲରେ ବିଜୟୀ ହେବା ସହ ପୁରା ଦୁଇ ପଏଣ୍ଟ ହାସଲ କରିଥିଲେ । ଅନୁଷ୍ଠିତ ପ୍ରଥମ ଖେଳରେ ଯତୀନ ମହାନ୍ତ ରେଫରୀ ଦାୟିତ୍ୱ ତୁଲାଇଥିବା ବେଳେ ଅନନ୍ତ ଚାଟକ୍ଷର ଓ ଖଗେଶ୍ୱର ମୁର୍ମୁ ତାଙ୍କୁ ଲାଇନରେ ସହାୟତା କରିଥିଲେ । ସେହିପରି ଦ୍ୱିତୀୟ ଖେଳରେ ଲମ୍ବୋଦର ମୁର୍ମୁ ରେଫରୀ ଥିବା ବେଳେ ଲାଇନରେ ଥିଲେ ଶଙ୍କର୍ଷଣ ନାଏକ ଏବଂ ବାପୁନ ମାରାଣ୍ଡି । ଚତୁର୍ଥ ରେଫରୀ ଥିଲେ ଯତୀନ ମହାନ୍ତି । ଫୁଟବଲ ଆସୋସିଏସନ ଅଫ୍ ଓଡିଶା ପକ୍ଷରୁ ବୀରେନ୍ଦ୍ର ମହାନ୍ତ ମ୍ୟାଚ୍ କମିଶନର ଭାବେ ନିଯୁକ୍ତି ପାଇଥିବା ବେଳେ ବୀରେନ୍ଦ୍ର ମହାନ୍ତ, କୃଷ୍ଣଚନ୍ଦ୍ର ମହାନ୍ତି ଏବଂ ବାଦଲ ମହାକୁଡ଼ ସିଲେକ୍ଟର ଭାବେ ଦାୟିତ୍ୱ ନିର୍ବାହ କରିଥିଲେ ।
 
 Rasmita Behera
                                    Rasmita Behera                                 
    
             
    
 
    
 
 
 
