ସମସ୍ୟା ଘେରରେ ରାଙ୍କି ସରକାରୀ ୟୁପି ସ୍କୁଲ
କେନ୍ଦୁଝର : କେନ୍ଦୁଝର ସଦର ବ୍ଲକ ରାଙ୍କି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି । ଶ୍ରେଣୀ ଗୃହ ସମସ୍ୟା ଯୋଗୁଁ ଶିକ୍ଷାଦାନରେ ସମସ୍ୟା ଦେଖାଦେଇଛି । ଏହି ବିଦ୍ୟାଳୟରେ ଷଷ୍ଠ ରୁ ଅଷ୍ଟମ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । କେନ୍ଦୁଝର ଆଇଟିଡିଏ ତରଫରୁ ନିର୍ମାଣ ହୋଇଥିବା ଏକ ଶ୍ରେଣୀ ଗୃହ ଦୀର୍ଘ ବର୍ଷ ଧରି ଅସମ୍ପୂର୍ଣ୍ଣ ହୋଇ ପଡିରହିଛି । ଗତ ୧୫ ବର୍ଷ ହେବ ବିଦ୍ୟାଳୟର ନିର୍ମାଣଧିନ କୋଠା ସଂପୂର୍ଣ୍ଣ ହୋଇପାରୁନାହିଁ । ସ୍ଥାନୀୟ ଲୋକ ଏ ନେଇ ବାରମ୍ବାର ସମସ୍ୟା ନେଇ ଜିଲ୍ଲାପାଳ,ଜିଲ୍ଲା ଶିକ୍ଷା ଅଧିକାରୀ,ବ୍ଲକ ଶିକ୍ଷା ଅଧିକାରୀ,ସଦର ବିଡିଓଙ୍କୁ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନାହିଁ । ଆଜି ଏ ସମ୍ପର୍କରେ ରାଙ୍କି ଗ୍ରାମର ମନୋଜ କୁମାର ବାରିକ ଜିଲ୍ଲପାଳଙ୍କୁ ଏ ସମ୍ପର୍କରେ ଜଣାଇ ତୁରନ୍ତ ପଦକ୍ଷେପ ନେବାକୁ ଦାବି ଜଣାଇଛନ୍ତି । ସ୍କୁଲ ପରିସରରେ ଅନ୍ୟ ଏକ ଅସୁରକ୍ଷିତ ଘର ମଧ୍ୟ ଦୀର୍ଘ ବର୍ଷ ଧରି ରହିଥିଲେ ମଧ୍ୟ ଭଙ୍ଗା ଯାଉନଥିବାରୁ ଛାତ୍ରଛାତ୍ରୀଙ୍କ ପାଇଁ ବିପଦ ଆଶଙ୍କା ରହିଛି । ସେହିପରି ବିଦ୍ୟାଳୟର ପାଚେରୀ ଗୁଡିକ ଜରାଜୀର୍ଣ୍ଣ ଅବସ୍ଥାରେ ଥିବାରୁ ନୂତନ ପାଚେରୀ କରିବାକୁ ସେ ଅନୁରୋଧ କରିଛନ୍ତି । ସୂଚନାଯୋଗ୍ୟଯେ, କେନ୍ଦୁଝର ଜିଲାରେ ୨୦୭ଟି ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀ ଗୃହ ସମସ୍ୟା ରହିଛି । କେଉଁଠି ଗୋଟିଏ ଶ୍ରେଣୀ ଗୃହରେ ପାଠ ପଢା ଚାଲିଛି ତ କେଉଁଠି ସ୍କୁଲ ଅଗଣାରେ ପାଠ ପଢା ଚାଲିଛି । ପୂର୍ବରୁ ସମଗ୍ର ଶିକ୍ଷା ଅଭିଯାନରେ ନୂତନ ଶ୍ରେଣୀ ଗୃହ ନିର୍ମାଣ କରାଯାଉଥିବାବେଳେ, ଏବେ ଏହା ପଂଚାୟତରାଜ ବିଭାଗ ଅଧିନକୁ ଆସିଛି । ସରକାର ହାଇସ୍କୁଲକୁ ୫-ଟି ଅଧିନରେ ରୂପାନ୍ତରୀକରଣ କରିଛନ୍ତି । ମାତ୍ର ସରକାର ପ୍ରାଥମିକ ବିଦ୍ୟାଳୟ ପ୍ରତି ଦୃଷ୍ଟି ଦେଉନଥିବାରୁ ଅନେକ ପ୍ରାଥମିକ ବିଦ୍ୟାଳୟଗୁଡିକରେ ଶ୍ରେଣୀ ଗୃହ ସମସ୍ୟା ଦେଖାଦେଇଛି । ଅନେକ ବିଦ୍ୟାଳୟର ମାତ୍ର ଗୋଟିଏ ଗୋଟିଏ ଶ୍ରେଣୀ କକ୍ଷରେ ପାଠ ପଢା ହେଉଛି । ବିଦ୍ୟାଳୟ ପରିସରରେ ଥିବା ବିପଦପୂର୍ଣ୍ଣ ଜରାଜୀର୍ଣ୍ଣ ଓ ପୁରୁଣା କୋଠାଗୁଡିକ ଭଙ୍ଗାଯାଇ ନୂତନ ଶ୍ରେଣୀ ଗୃହ ନିର୍ମାଣ କରାଯାଉନାହିଁ । ବିଦ୍ୟାଳୟ ପରିସରରେ ଥିବା ଅସୁରକ୍ଷିତ ଘର ଭଙ୍ଗାଯାଇ ନୂତନ ଘର ନିର୍ମାଣ ପାଇଁ ପଦକ୍ଷେପ ଗ୍ରହଣ କରାଯାଉନଥିବାରୁ ଅନେକ ସମୟରେ ଅଘଟଣ ଘଟୁଛି । ତୁରନ୍ତ ବିପଦସଙ୍କୁଳ ଘର ଗୁଡିକୁ ଚିହ୍ନଟ କରି ଏହାକୁ ଭାଙ୍ଗି ନୂତନ ଘର ନିର୍ମାଣ କରିବାକୁ ଦାବି ହେଉଛି ।