ଅଲେଖ ଚନ୍ଦ୍ର ସାମଲ : ପ୍ରତିବର୍ଷ ଡିସେମ୍ବର ଦୁଇ ତାରିଖକୁ ଆନ୍ତର୍ଜାତିକ ଦାସତ୍ୱ ଉଚ୍ଛେଦ ଦିବସ ଭାବେ ପାଳନ କରାଯାଇଥାଏ । ମାନବ ଚାଲାଣ ରୋକିବା, ଶ୍ରମ, ବେଶ୍ୟାବୃତ୍ତି ଆଦି କାର୍ଯ୍ୟ ନିମନ୍ତେ ଲୋକମାନଙ୍କୁ ଗୋଲାମ କରି ରଖିବାର କୁପ୍ରଥା ବିରୋଧରେ ସଚେତନତା ସୃଷ୍ଟି କରିବା ହେଉଛି ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ । ପ୍ରଥମ ଥର ପାଇଁ ୧୯୮୬ରେ ମିଳିତ ଜାତସଂଘର ସାଧାରଣ ପରିଷଦରେ ଆନ୍ତର୍ଜାତିକ ଦାସତ୍ୱ ଉଚ୍ଛେଦ ଦିବସ ଅନୁମୋଦନ ଲାଭ କରିଥିଲା । ସେବେଠାରୁ ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ ଏହି ଦିବସ ଉପଲକ୍ଷେ ଦାସତ୍ୱ ପ୍ରଥାର ବିଲୋପ ନିମନ୍ତେ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ହାତକୁ ନିଆଯାଉଛି । ଆନ୍ତର୍ଜାତିକ ସ୍ତରରେ ଦାସତ୍ୱକୁ ବେଆଇନ ଘୋଷଣା କରାଯାଇଛି ।
କ୍ରୀତଦାସ ପ୍ରଥା ସମ୍ପୂର୍ଣ୍ଣ ଲୋପ କରିବାକୁ ଅନେକ ଆଇନ କାନୁନ୍ ବ୍ୟବସ୍ଥା କରାଯାଇଥିଲେ ବି ଏବେ ବି ସାରା ବିଶ୍ୱରେ ୩କୋଟିରୁ ଅଧିକ କ୍ରୀତଦାସ ଥିବାବେଳେ ସେମାନଙ୍କ ମଧ୍ୟରୁ ଅର୍ଦ୍ଧାଧିକ କେବଳ ଭାରତରେ ଅଛନ୍ତି । ଭାରତରେ ଏବେବି ୧କୋଟି ୪୦ ଲକ୍ଷ କ୍ରୀତଦାସ ଅଛନ୍ତି । ଦାଦନ ଓ ଗୋତି ଶ୍ରମିକପରି ଘୃଣ୍ୟ ପ୍ରଥା ମାଧ୍ୟମରେ ଭାରତରେ କ୍ରୀତଦାସ ପ୍ରଥା ଜୀବିତ ରହିଛି । କ୍ରୀତଦାସ ପ୍ରଥା ବିରୋଧରେ କାର୍ଯ୍ୟ କରୁଥିବା "ୱାକ୍ ଫ୍ରି ଫାଉଣ୍ଡେସନ' ନିକଟରେ ରିପୋର୍ଟରେ ପ୍ରକାଶ କରିଥିବାବେଳେ ସାରା ବିଶ୍ୱରେ କେତେ କ୍ରୀତଦାସ ଅଛନ୍ତି ତାର ତାଲିକା ପ୍ରଦାନ କରିଛି । ଏଥିରେ ୧୬୨ଟି ଦେଶରେ କେତେ କ୍ରୀତଦାସ ରହୁଛନ୍ତି, କ୍ରୀତଦାସ ପ୍ରଥାର ପ୍ରମୁଖ କାରଣ ତଥା ଏହାକୁ ରୋକିବାରେ ସରକାରଙ୍କ ସାମର୍ଥ୍ୟ ଉପରେ ସବିଶେଷ ଅଧ୍ୟୟନ କରାଯାଇଛି । ଯୌନକର୍ମୀ କିମ୍ବା ଶ୍ରମିକ ଭାବେ କାର୍ଯ୍ୟ କରିବାକୁ ଅନେକ ସମୟରେ ହେଉଥିବା ମାନବ ଚାଲାଣ ଏହାର ମୁଖ୍ୟ କାରଣ ବୋଲି ଜଣାପଡ଼ିଛି । ସାରା ବିଶ୍ୱରେ ୨.୯୮ କୋଟି କ୍ରୀତଦାସ ରହୁଥିବାବେଳେ ଏଥିରୁ ପ୍ରାୟ ୭୬ ପ୍ରତିଶତ କେବଳ ୧୦ଟି ଦେଶରେ ରହୁଛନ୍ତି । ସେଗୁଡ଼ିକ ହେଲା ଭାରତ (୧କୋଟି ୩୯ ଲକ୍ଷ), ଚୀନ (୨୯ଲକ୍ଷ), ପାକିସ୍ତାନ (୨୧ଲକ୍ଷ), ନାଇଜେରିଆ (୭ଲକ୍ଷ), ଇଥିଓପିଆ (୬ଲକ୍ଷ ୫୧ ହଜାର), ଋଷିଆ (୫ଲକ୍ଷ ୧୬ ହଜାର), ଥାଇଲ୍ୟାଣ୍ଡ (୪ଲକ୍ଷ ୭୨ ହଜାର), ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋ (୪ଲକ୍ଷ ୬୨ ହଜାର), ମିଆଁମାର (୩ଲକ୍ଷ ୮୪ ହଜାର) ଓ ବାଙ୍ଗାଲାଦେଶରେ ୩ଲକ୍ଷ ୪୩ ହଜାର । ଆଧୁନିକ ସମୟରେ କ୍ରୀତଦାସର ଅର୍ଥ ବଦଳି ଯାଇଥିବାବେଳେ ମାନବ ଚାଲାଣ, ଗୋତି ଶ୍ରମିକ ପ୍ରଥା, ଶିଶୁ ନିର୍ଯାତନା ଓ ଜୋରଜବରଦସ୍ତ ବିବାହ ଆଦିକୁ ମଧ୍ୟ ଏଥିରେ ସାମିଲ କରାଯାଇଛି । ବିଶ୍ୱସ୍ତରରେ କ୍ରୀତଦାସଙ୍କ ତାଲିକା ପ୍ରକାଶ କରିବା ଉଦ୍ଦେଶ୍ୟ ହେଉଛି ଏହା ବିରୋଧ ପଦକ୍ଷେପ ଗ୍ରହଣ କରିବାକୁ ବିଭିନ୍ନ ଦେଶର ସରକାରଙ୍କ ଉପରେ ଚାପ ପକାଇବା । କାରଣ ସାରା ବିଶ୍ୱରେ ଏବେ ଯେତିକି ସଂଖ୍ୟକ କ୍ରୀତଦାସ ଅଛନ୍ତି ନିଶ୍ଚିତ ଭାବେ ଚିନ୍ତାଜନକ ବୋଲି ଗବେଷକ କେଭିନ୍ ବେଲ୍ସ ପ୍ରକାଶ କରିଛନ୍ତି । ଦାରିଦ୍ର୍ୟ କ୍ରୀତଦାସ ପ୍ରଥାର ପ୍ରମୁଖ କାରଣ ହୋଇଥିବାବେଳେ ଦୁର୍ନୀତି ଏହାର ଅନ୍ୟ ଏକ କାରଣ । ଆଉ କେତେକ ଅଞ୍ଚଳରେ ସେମାନଙ୍କ ପରମ୍ପରା ଏପରି ପ୍ରଥା ସୃଷ୍ଟି କରିଥାଏ । ଯେପରିକି ପଶ୍ଚିମ ଆଫ୍ରିକାର ମରିଟାନିଆର ଜନସଂଖ୍ୟା ମାତ୍ର ୩୮ ଲକ୍ଷ ହୋଇଥିବାବେଳେ ଏଥିରୁ ୧୬୦,୦୦୦ କେବଳ କ୍ରୀତଦାସ । ବାଲ୍ୟ ବିବାହ ଓ ଗୁଲାମଗିରି ଯୋଗୁଁ ଏଠାରେ ଏପରି ପ୍ରଥା ବଞ୍ଚ ରହିଛି ।
ଚୀନରେ ମଧ୍ୟ ଘରୋଇ କାର୍ଯ୍ୟ, ଯୌନ ଓ ଭିକ୍ଷାବୃତ୍ତି ପାଇଁ ମହିଳା, ପୁରୁଷ ତଥା ଶିଶୁମାନଙ୍କୁ କ୍ରୀତଦାସ ହେବା ପାଇଁ ବାଧ୍ୟ କରାଯାଉଛି । ଆଇସ୍ଲ୍ୟାଣ୍ଡ, ଆର୍ୟଲ୍ୟାଣ୍ଡ ଓ ବ୍ରିଟେନ ପରି ପାଶ୍ଚାତ୍ୟ ଦେଶ ମଧ୍ୟ କ୍ରୀତଦାସ ମୁକ୍ତ ନୁହଁନ୍ତି ବୋଲି ବେଲ୍ସ ପ୍ରକାଶ କରିଛନ୍ତି । ଏବେବି ୪୪୦୦ ଲୋକ ବ୍ରିଟେନ୍ରେ କ୍ରୀତଦାସ ଭାବେ ଅଛନ୍ତି । ଏମାନଙ୍କ ମଧ୍ୟରୁ ଅଧିକାଂଶ ଆଫ୍ରିକା, ଏସିଆ ଓ ପୂର୍ବ ୟୁରୋପର । ଏମାନଙ୍କୁ ଯୌନକର୍ମୀ, ଘରୋଇ କାର୍ଯ୍ୟ, କୃଷି, ନିର୍ମାଣ, ରେସ୍ତୋରାଁ ପରି ସ୍ୱଳ୍ପ ପାରିଶ୍ରମିକ ଦିଆଯାଉଥିବା କାର୍ଯ୍ୟରେ ନିୟୋଜିତ କରାଯାଉଛି । ଏହି ରିପୋର୍ଟ ଧନୀ ରାଷ୍ଟ୍ରମାନଙ୍କ ପାଇଁ ମଧ୍ୟ ଚେତାବନୀ ସଦୃଶ ହୋଇଛି । ସୂଚନା ପ୍ରଯୁକ୍ତିରେ ଆଜି ଚନ୍ଦ୍ରପୃଷ୍ଠରେ ପାଦ ଥାପୁଥିବା ଆମ ପରି ଗୁଣୀଜ୍ଞାନୀ ଓ କୋଟି କୋଟି ଧନୀ ଅମିର୍ଙ୍କ ଭିତରେ ଯେ, ନିଜ ଜୀବନକୁ ପଣ୍ୟ କରୁଥିବା କ୍ରୀତଦାସମାନେ ବି ଅଛନ୍ତି ତାହା ଭାବିଲେ ଯେତିକି ଦୁଃଖଦାୟକ ତତୋଧିକ ନିନ୍ଦନୀୟ ।