ଇ-ଆବର୍ଜନାର ସଙ୍କଟ

ଇ-ଆବର୍ଜନାର ସଙ୍କଟ

ବିକ୍ରମ ମହାପାତ୍ର : ଦିନକୁ ଦିନ ପରିବେଶ ପ୍ରଦୂଷିତ ହେବାରେ ଲାଗିଛି । ମାଟି, ପାଣି ଓ ପବନ ଏହି ପ୍ରଦୂଷଣ ମଧ୍ୟରେ ଅନ୍ତର୍ଭୁକ୍ତ । ବିଭିନ୍ନ ପ୍ରକାର କୀଟନାଶକ ଦ୍ରବ୍ୟ ସାର ଆକାରରେ ମାଟିରେ ଓ କଳାକାରଖାନାରୁ ବିଷାକ୍ତ ଜଳ ବାହାରି ନଦୀ ଇତ୍ୟାଦିରେ ମିଶି ପାଣିକୁ ବିଷାକ୍ତ କରୁଛି । କାରଖାନାରୁ ନିର୍ଗତ ଧୂଆଁ ବାୟୁକୁ ପ୍ରଦୂଷିତ କରିବା ସହ ଶବ୍ଦ ପ୍ରଦୂଷଣ ମଧ୍ୟ ଘଟୁଛି । ପ୍ରତିଦିନ ବିଶ୍ୱରେ ପ୍ରାୟ ଚଉଦ ହଜାର ଲୋକ ଦୂଷିତ ପାଣି ପିଇ ମରୁଛନ୍ତି । ସାତଶହ ନିୟୁତ ଭାରତୀୟଙ୍କର ଉପଯୁକ୍ତ ଶୌଚାଳୟ ନାହିଁ । ଏହାଛଡ଼ା ଭାରତରେ ପ୍ରତିଦିନ ଏକ ହଜାର ଲୋକ ହଇଜାରେ ମରୁଛନ୍ତି । ଚୀନରେ ପ୍ରତିବର୍ଷ ପାଞ୍ଚ ନିୟୁତ ଲୋକ ଉପଯୁକ୍ତ ପାନୀୟ ଜଳ ପାଆନ୍ତି ନାହିଁ ଓ ବାୟୁ ପ୍ରଦୂଷିତ ହେବା ଯୋଗୁଁ ଏଠାରେ ପ୍ରତି ବର୍ଷ ପ୍ରାୟ ୬୫୬ ହଜାର ଲୋକ ମରନ୍ତି । ତେଣୁ ବିଶ୍ୱବାସୀଙ୍କୁ ଏହି ପ୍ରଦୂଷଣ ବିଷୟରେ ସଚେତନ କରିବା ଓ ଏହାର ନିରାକରଣ ପାଇଁ ପ୍ରତିବର୍ଷ ଡିସେମ୍ବର ୨ରେ ବିଶ୍ୱ ପ୍ରଦୂଷଣ ନିରାକରଣ ଦିବସ ପାଳନ କରାଯାଏ । ତେବେ ଉଦ୍‌ବେଗଜନକ ଭାବେ ଦିନକୁ ଦିନ ଇ-ଆବର୍ଜନାର ପାହାଡ଼ ଆମ ଆଖପାଖର ପରିବେଶକୁ ଅସ୍ତବ୍ୟସ୍ତ କରୁଛି । 

     ଆମେ ହାତରେ ଧରୁଥିବା ଜୀବନ୍ତ ମୋବାଇଲ୍‌ ଫୋନ, ଆଇପ୍ୟାଡ଼୍‌ ବା ଆଇପଡ଼୍‌ ଅଥବା ଘରେ ନିତି ଦିନ ଗହଳ ଚହଳ କରୁଥିବା ଜୀବନ୍ତ ଟେଲିଭିଜନ ବା ଆମର ଘନିଷ୍ଠ ମିତ୍ର ସାଜିଥିବା କମ୍ପ୍ୟୁଟର ଅବଶ୍ୟ ଦିନେ ମରିବେ । କିନ୍ତୁ ଏହି ମୃତକମାନଙ୍କ ଦେହାବଶେଷ ମାଟିରେ ମିଶିଯିବ ନାହିଁ । ଏହା ପଡ଼ି ରହିବ ଏବଂ ଆବର୍ଜନାର ପାହାଡ଼ ସୃଷ୍ଟି କରିବ ଏ ପୃଥିବୀ ଉପରେ । ଏଭଳି ଆବର୍ଜନାର ପାହାଡ଼ ଯେ କି ବିଶାଳ ହୋଇପାରେ ତାର ଏକ ଚିତ୍ର ଏବେ ଆମକୁ ଜାଣିବାକୁ ମିଳିଛି । ଏଇ ନିକଟରେ ଜାତିସଂଘ ପକ୍ଷରୁ ଉପସ୍ଥାପନ କରାଯାଇଥିବା ଇଲେକ୍ଟ୍ରୋନିକ୍‌ ଏବଂ ଇଲେକ୍ଟ୍ରିକାଲ୍‌ ଆବର୍ଜନାର (ଗୋଟିଏ ବ୍ୟାଟେରି ଠାରୁ ଆରମ୍ଭ କରି ମୋବାଇଲ, କମ୍ପ୍ୟୁଟର, ଫୋନ ଦେଇ ଛୋଟ କଡର଼୍ ପର୍ଯ୍ୟନ୍ତ) ମାନଚିତ୍ରରେ ଏହି ଆବର୍ଜନା ସ୍ତୂପର ଆକାର ଓ ବିଶାଳତା ସଂପର୍କରେ ସମ୍ୟକ ସୂଚନା ମିଳିଛି । ସେଥିରେ କୁହାଯାଇଛି ଯେ ଯୁକ୍ତରାଷ୍ଟ୍ର ଆମେରିକାରେ ମୁଣ୍ଡପିଛା ଇ-ଆବର୍ଜନା ସୃଷ୍ଟିର ପରିମାଣ ସର୍ବାଧିକ । ଏହା ହେଉଛି ମୁଣ୍ଡ ପିଛା ୨୯.୮ କେଜି. । ଚୀନ୍‌ରେ ଏହି ପରିମାଣ ହେଉଛି ମୁଣ୍ଡ ପିଛା ୫.୪ କେ.ଜି । ବ୍ରିଟେନ୍‌ରେ ଏହି ପରିମାଣ ହେଉଛି ମୁଣ୍ଡ ପିଛା ୨୨ କିଲୋ ।

   

     ଏହି ମାନଚିତ୍ରରୁ ଜଣାପଡ଼ିଛି ଯେ ପୃଥିବୀରେ ପ୍ରତି ବର୍ଷ ସୃଷ୍ଟି ହେଉଛି ୪୮.୯ ନିୟୁତ ଟନ୍‌ ଓଜନର ଇ-ଆବର୍ଜନା । ତା ଅର୍ଥ ପୃଥିବୀର ୭୦୦ କୋଟି ଲୋକଙ୍କ ମୁଣ୍ଡ ପିଛା ଇ-ଆବର୍ଜନାର ପରିମାଣ ହେଉଛି ୭ କେଜି । ଏହି ଆବର୍ଜନା ଭିତରୁ ସବୁଠାରୁ ଅଧିକ ହେଉଛି ମୋବାଇଲ ଫୋନ୍‌ ଯାହାର ପରିମାଣ ହେଲା ୧୨୦ ନିୟୁତ ଟନ୍‌ । ଏଥିରେ ଭବିଷ୍ୟବାଣୀ କରାଯାଇଛି ଯେ ୨୦୨୭ ବେଳକୁ ଏହା ୩୩ ପ୍ରତିଶତ ହାରରେ ବୃଦ୍ଧି ପାଇ ପହଞ୍ôଚଥିବ  ୬୫.୯ ନିୟୁତ ମେଟ୍ରିକ୍‌ ଟନ୍‌ରେ । ଏହି ଆବର୍ଜନାର ଓଜନ ୨୦୦ଟି ଏମ୍ପାୟାର ଷ୍ଟେଟ୍‌ ବିଲଡିଂ ବା ଇଜିପ୍ଟର ୧୧ଟି ଅତିକାୟ ଗିଜା ପିରାମିଡ଼୍‌ର ଓଜନ ସହିତ ସମାନ ହେବ । ଯଦି ଏହି ଆବର୍ଜନାକୁ କେଉଁଠାକୁ ନେବାକୁ ପଡେ଼ ତେବେ ୪୦ଟନ୍‌ ମାଲ୍‌ ବୋହିବାକୁ ସକ୍ଷମ ଥିବା ବିଶାଳ ଟ୍ରକ ଗୁଡ଼ିକର ଯେଉଁ ଲମ୍ବାଧାଡ଼ି ଲାଗିବ ତାହା ପୃଥିବୀର ବିଷୁବ ରେଖା ଦୈର୍ଘ୍ୟର ତିନି ଚତୁର୍ଥାଂଶ ହେବ । ୨୦୨୨ରେ ଚୀନ ସବୁଠାରୁ ଅଧିକ ଇ-ଆବର୍ଜନା ସୃଷ୍ଟି କରିଥିଲା । ତାର ପରିମାଣ ଥିଲା ୧୧.୧ ନିୟୁତ ଟନ୍‌ । ଯୁକ୍ତରାଷ୍ଟ୍ର ଆମେରିକା ଥିଲା ଦ୍ୱିତୀୟ ସ୍ଥାନରେ । ଏବେ ଏ କ୍ରମ ବଦଳି ଯାଇଛି । ଏବେ ଯୁକ୍ତରାଷ୍ଟ୍ର ଆମେରିକା ୯.୪ ନିୟୁତ ଟନ୍‌ ଇ-ଆବର୍ଜନ ସୃଷ୍ଟି କରି ପ୍ରଥମ ସ୍ଥାନରେ ରହିଛି । ତେବେ ଆମେରିକା ଓ ଚୀନର ଜନସଂଖ୍ୟା ଭିତରେ ବହୁତ ତାରତମ୍ୟ ଥିବାରୁ ମୁଣ୍ଡପିଛା ଇ-ଆବର୍ଜନା ସୃଷ୍ଟିରେ ଆମେରିକା ଚୀନର ପ୍ରାୟ ପାଞ୍ଚଗୁଣ । 

     ଭାରତରେ ବର୍ଷକୁ ୨୭୫୧ ମେଟ୍ରିକ୍‌ କିଲୋ ଟନ୍‌ (ଏକ କିଲୋଟନ୍‌ ହେଉଛି ୧୦୦୦ ଟନ୍‌) ଇ ଆବର୍ଜନା ସୃଷ୍ଟି ହେଉଛି । ଏ ସଂକ୍ରାନ୍ତରେ ଗୋଟିଏ ବଡ଼ ସଂକଟଜନକ କଥା ଜାତିସଂଘ ପକ୍ଷରୁ କୁହାଯାଇଛି । ତାହା ହେଲା ପାଶ୍ଚାତ୍ୟର ବିଶାଳ ଇ-ଆବର୍ଜନାର ଗଦା ବୋଝେଇ ହୋଇ ଭାରତରେ ପହଞ୍ôଚବାର ସମ୍ଭାବନା ସବୁଠାରୁ ଅଧିକ । କାରଣ ଇ-ଆବର୍ଜନାକୁ ନଷ୍ଟ କରିବା ଲାଗି ଲୋଡ଼ା ସ୍ୱତନ୍ତ୍ର ପ୍ରକାର ଫର୍ନେସ ଏଇ ବର୍ଷ ଠାରୁ ଚୀନ ଓ ମାଲେସିଆରେ ବନ୍ଦ ହୋଇଯିବ । କେବଳ ଭାରତରେ ଏ ସୁବିଧା ମିଳୁଥିବାରୁ ବିକଶିତ ଦେଶମାନେ ଭାରତକୁ ସେମାନଙ୍କ ଇ-ଆବର୍ଜନା ଡଂପିଙ୍ଗ ଗ୍ରାଉଣ୍ଡରେ ପରିଣତ କରିଦେବେ । ଏହା ଭାରତ ଲାଗି ବିପଜ୍ଜନକ ହୋଇପାରେ । କାରଣ ଇ-ଆବର୍ଜନାରୁ ବିକିରଣ ସହିତ ବିଭିନ୍ନ ମାରାତ୍ମକ ବିଷାକ୍ତ ପଦାର୍ଥ (ସୀସା, ଆର୍ସେନିକ୍‌, ଲିଥିଅମ୍‌ ଆଦି) ମିଶି ରହିଥାଏ ଯାହା ପ୍ରକୃତି ଓ ପରିବେଶକୁ ପ୍ରଦୂଷିତ କରି ଚାଲିଥାଏ । ଏହି ଇ-ଆବର୍ଜନା କେବଳ ସମାଜ ନୁହେଁ ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ  ବିପଦଜ୍ଜନକ, ଘାତକ ଓ ମାରାତ୍ମକ । ତେଣୁ ଏ କ୍ଷେତ୍ରରେ ଆମ୍ଭମାନଙ୍କ ଭିତରେ ସଚେତନତା ଅତ୍ୟନ୍ତ ଜରୁରୀ ।