ଆମ ଉକ୍ରଳୀୟଐତିହ୍ୟ
ଯୁଗେ ଯୁଗେ ଆମ ମହାନ ଓଡ଼ିଶାର ସଂସ୍କୃତି ଠାରୁ ସାହିତ୍ୟ, ଐତିହ୍ୟ ଠାରୁ ଇତିହାସ, ପ୍ରାଚୀନତା ଠାରୁ ଭୌଗୋଳିକ, ଆଧ୍ୟାତ୍ମିକତା ଠାରୁ ଭାବ ଆଦାନ ପ୍ରଦାନ ସବୁଠି ଏହା ସୁସମୃଦ୍ଧ । ଓଡ଼ିଶାର ସଂଗୀତ, ନୃତ୍ୟ ଯେମିତି ବିଶ୍ୱକୁ ବିମୋହିତ, ପୁଲକିତ ଓ ଆମୋଦିତ କରିଛି ଠିକ ସେହିପରି ଓଡ଼ିଶାର ପରମ୍ପରା, ଲୋକକଳା, ଖାଦ୍ୟ ଓ ଜୀବନଶୈଳୀ ଏ ସବୁ ଦେଇଛି ସ୍ୱତନ୍ତ୍ର ପରିଚୟ । ଆମ ଉକ୍ରଳୀୟ ଚେତନା ସମ୍ପର୍କରେ ମନେପଡ଼ୁଛି ବୈଦିକ ଆର୍ଯ୍ୟ ସଂସ୍କୃତିରୁ ନେଇ ଆଦିବାସୀ ପରମ୍ପରା ସବୁର ସମ୍ମାନ ରହିଛି ଏ ଜାତିର ଇତିହାସରେ । ବିଶ୍ୱ ଦରବାରରେ ଅନେକ ପରିଚୟ ଥିଲେ ମଧ୍ୟ ଜଗନ୍ନାଥ ଦେଶ ବୋଲାଇବାକୁ ଗର୍ବ ଓ ଗୌରବ ମଣିଥାଏ ଏହି ଜାତି । ଆମ ଜାତିର ଜନକ ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ । ଆଧ୍ୟାତ୍ମର ବଡ଼ଦାଣ୍ଡରେ ଅଧାଗଢ଼ା ତିନି ଠାକୁର ଓଡ଼ିଆ ଜାତିର ଶ୍ରେଷ୍ଠ ସନ୍ତକ । ପ୍ରତିଟି ଓଡ଼ିଆ ପ୍ରାଣର କେନ୍ଦ୍ରବିନ୍ଦୁ ଶ୍ରୀ ଜଗନ୍ନାଥ । ଜାତିର ମାନ ରଖିବାକୁ କାଞ୍ଚô ବିଜୟ ଯାତ୍ରା ସମୟରେ ଧଳା ଘୋଡ଼ା ଚଢ଼ି ସ୍ୱୟଂ ଜଗନ୍ନାଥ, ବଳଭଦ୍ର ଦୁଇ ଭାଇ ରଣଭୂମିରେ ଅବତୀର୍ଣ୍ଣ ହୋଇଥିଲେ ।
ସେହିପରି ଉକ୍ରୃଷ୍ଟ କଳାର ଦେଶ ଉକ୍ରଳ, ଆମ ରାଜ୍ୟ କଳା ସଂସ୍କୃତିର ରାଜ୍ୟ । ଆମ ସଂସ୍କୃତି ଯେତେ ପ୍ରାଚୀନ ଆମ କଳାକାରିଗରୀ ସେତେ ମହାନ । ସ୍ୱତନ୍ତ୍ର କଳାର ସୃଜନ ହେତୁ ପଥର ଦେହରେ ନିହଣ ମୁନରେ ଓଡ଼ିଶାର ଶିଳ୍ପ କିମ୍ବଦନ୍ତୀ ରଚିଛନ୍ତି ବାନ୍ଧକଳା ହେଉ କି ତାରକୋସୀ, ଡୋକ୍ରା ହେଉ କି ଶିଳାଲିପି ଆମ ଉକ୍ରଳୀୟ ମନ୍ଦିର ବି ଗାଏ ଓଡ଼ିଆ ଶିଳ୍ପୀଙ୍କ ଗୌରବ ଗାଥା । ଭାରତର ଗୌରବମୟ ଇତିହାସରେ ଏକ ସ୍ୱର୍ଣ୍ଣିମ ପୃଷ୍ଠା ମଣ୍ଡନ କରେ ଓଡ଼ିଶା । ଏହି ପବିତ୍ର ମାଟିର ସ୍ପର୍ଶରେ ଚଣ୍ଡାଶୋକ ଧର୍ମାଶୋକରେ ପରିଣତ ହୋଇଥିଲେ । ଅନେକ ପୌରାଣିକ କାହାଣୀର ସମ୍ବନ୍ଧ ରହିଛି ଏହି ମାଟି ସହ । ଦ୍ୱାରିକାରୁ ଶାପଗ୍ରସ୍ତ ଶାମ୍ବ ଶାପ ମୁକ୍ତ ହେବାକୁ ଅର୍କ ଭୂମି କୋଣାର୍କରେ ସୂର୍ଯ୍ୟଙ୍କ ଆରାଧନା କରିବା ପରେ ଶାପମୁକ୍ତ ହୋଇଥିଲେ । ସେହିପରି ପୁରାଣରେ ଆହୁରି ବର୍ଣ୍ଣିତ ମହାଭାରତ ଯୁଦ୍ଧ ପରେ ପାପକ୍ଷୟ ପାଇଁ ଏହି ପୂଣ୍ୟ ପାବନ ଭୂମିକୁ ପାଣ୍ଡବମାନେ ଆସିଥିଲେ । ଲୋମଶ ମୁନିଙ୍କ ପରାମର୍ଶ କ୍ରମେ ମହାମାୟାଙ୍କ ନାଭି ପୀଠ ବିରଜା କ୍ଷେତ୍ରକୁ ଆସି ଦେବୀ ଆରାଧନା, ପିତୃ ତର୍ପଣ କରି ପାପଭାରରୁ ମୁକ୍ତ ହୋଇଥିଲେ । ସେହିପରି ମହାଭାରତର ମାୟାକୁ ଡେଇଁ ଏହି ମାଠିର ମହାନତା ରାମାୟଣର ରାମଗାଥାକୁ ମଧ୍ୟ ନିଜ ଅଙ୍କରେ ଧାରଣ କରିଛି । ଋଷିପୁତ୍ର ଉଚ୍ଚ ବ୍ରାହ୍ମଣ ବଂଶରେ ଜନ୍ମିତ ରାବଣକୁ ବଧ କରିଥିଲେ । ଏହାପରେ ରଘୁବୀର ଲିଙ୍ଗରାଜଙ୍କୁ ରାବଣକୁ ବଧ କରିଥିବା ଧନୁ ଅର୍ପଣ ପୂର୍ବକ ନିଜକୁ ସମର୍ପଣ କରିଥିଲେ । ଏ
ମହାନ ଉକ୍ରଳୀୟ ଚେତନା ଭିତରେ ପୌରାଣିକ କଥାବସ୍ତୁ ଅନୁଯାୟୀ ଆଦିକବି ସାରଳା ଦାସ ତାଙ୍କ ରଚିତ ମହାଭାରତର ମଧ୍ୟ ପର୍ବରେ ସୂଚାଇଛନ୍ତି ଯେ, ଦ୍ୱାପର ଯୁଗରେ ଶ୍ରୀକୃଷ୍ଣ ତାଙ୍କ ଗୁରୁ ସନ୍ଦିପନୀଙ୍କ ଠାରୁ ୬୪ଟି ଭାଷା ଶିକ୍ଷା କରିଥିଲେ । ତା ମଧ୍ୟରେ ଥିଲା ଓଡ଼ିଆ । ସାରଳା ଦାସଙ୍କ ନିମ୍ନୋକ୍ତ ପଂକ୍ତି ତାହା ସୂଚାଏ - "ଓଡ଼ିଆ, ତେଲଙ୍ଗୀ ଆଉ ନାଗରୀ ଦକ୍ଷିଣୀ, କନଉଜ ଦ୍ରାବିଡ଼ ଯେ ଆଦି ଭାଷା ଘେନି । ଏହିପରି ଲେକôଲେ ଯେ ଭାଷା ଚଉଷଠି ନବଦିନେ ଲେଖିଲେ ଯେ ତାଳପତ୍ର ଚିଠି ।' କେବଳ ସେତିକି ନୁହେଁ, ବୌଦ୍ଧ ଓ ଜୈନ ଧର୍ମର ଗ୍ରନ୍ଥ ଗୁଡ଼ିକରେ ବି ଏକଥାର ସ୍ପଷ୍ଟ ଉଲ୍ଲେଖ ରହିଛି । ବୌଦ୍ଧ ଧର୍ମଗ୍ରନ୍ଥ "ଲଳିତ ବିସ୍ତର'ରେ କୁହାଯାଇଛି, ବୁଦ୍ଧଦେବ ୬୪ ପ୍ରକାର ଲିପି ଶିକ୍ଷା କରିଥିଲେ । ସେଥିରୁ ଗୋଟିଏ ଥିଲା ଉଡ୍ରଲିପି । ଜୈନ ଧର୍ମଗ୍ରନ୍ଥ "ସମବାୟ ସୂତ୍ର', "ପ୍ରଜ୍ଞାପନୀ ସୂତ୍ର', "ନନ୍ଦୀ ସୂତ୍ର' ଉଡ୍ରଲିପି ଓ ଉଡିୟା ଭାଷାର ଉଲ୍ଲେଖ ଅଛି ।
ଉକ୍ରଳୀୟ ଭାଷା, ଆଧ୍ୟାତ୍ମିକତା, ବିଭବ, ସଂସ୍କୃତି ଓ ପରମ୍ପରା ଭିତରେ ଜାନିଯାତ, ରଙ୍ଗମଞ୍ଚ ମଧ୍ୟ ଗୌରବମୟ ଜାତିର ଚିର ଗର୍ବ । ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ରୂପେ ଗିନିଜ ବୁକ୍ ଅଫ ୱାର୍ଲ୍ଡ ରେକର୍ଡସରେ ସ୍ଥାନିତ ଧନୁ ଯାତ୍ରା ହେଉଛି ଲୋକପରମ୍ପରା, ଆଧ୍ୟାତ୍ମିକ ଲୀଳା ଓ ଲୋକନାଟକର ଏକ ଅନନ୍ୟ ପରିକଳ୍ପନା । ପ୍ରତିବର୍ଷ ପୌଷ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରୁ ଏହି ଯାତ୍ରା ଆରମ୍ଭ ହୋଇଥାଏ । ସେହିପରି ଉକ୍ରଳୀୟ ମହାନ ଜାତିର ପରିଚୟ ପ୍ରଭୁ ଜଗନ୍ନାଥ ନବ ଦିନାତ୍ମକ ପତିତପାବନ ଯାତ୍ରାରେ ରଥଯାତ୍ରା ନିମିତ୍ତ ରାଜା ହୋଇ ପ୍ରଜା ପାଳନ କରୁଥିବାରୁ ଭକ୍ତ ସ୍ୱରୂପ ପ୍ରଜାଙ୍କର ଦୁଃଖ ଶୁଣିବା ସହ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ଦର୍ଶନ ଦେବା ପାଇଁ ନୀଳକନ୍ଦରରୁ ବାହାରକୁ ଆସିଥାନ୍ତି । ଓଡ଼ିଶାର ରସଗୋଲା ହେଉ ବା ପୋଡ ପିଠା, ପଖାଳ କଂସା ହେଉ ବା ଓଡ଼ିଶା ହସ୍ତତନ୍ତ । ଅନେକ କିଛି ଉକ୍ରଳୀୟ ସ୍ୱାଭିମାନ ଓ ସମ୍ମାନର ଗର୍ବ ଓ ଗୌରବ । ସେହିପରି ଓଡ଼ିଶା ଏହାର ଜୀବନ୍ତ ସାଂସ୍କୃତିକ ଐତିହ୍ୟ, ମନୋରମ ବେଳାଭୂମି ଓ ସ୍ୱାଦିଷ୍ଟ ଖାଦ୍ୟ ପାଇଁ ମଧ୍ୟ ପ୍ରସିଦ୍ଧ । ଓଡ଼ିଶାର ଏହି ସ୍ୱତନ୍ତ୍ରତା ପାଇଁ ଅନେକ ଜିଆଇ ଟ୍ୟାଗ ମାନ୍ୟତା ପାଇଛି । ବିଶ୍ୱ ନୃତ୍ୟ ମାନସରେ ଓଡ଼ିଶାର ନୃତ୍ୟକଳା ଏକ ଚମକ ସଦୃଶ । ନୃତ୍ୟର ଛନ୍ଦରେ ପ୍ରାଣ ଈଶ୍ୱରୀକରଣକୁ ଦର୍ଶାଏ ଓଡ଼ିଶୀ ଓ ଗୋଟିପୁଅ ପରି ନୃତ୍ୟ କଳା । ଆମ ଭାଷା, ପ୍ରାଣ, ଭାବନା ଓ ଆତ୍ମା ସବୁଥିରେ ହିଁ ଓଡ଼ିଆର ଆବେଗ ଓ ବାସ୍ନା ।