ଆବାସିକ ପ୍ଲଟରେ ବ୍ୟବସାୟ ପ୍ରତିଷ୍ଠାନ

କଟକ : ସିଡ଼ିଏର ବହୁ ଆବାସିକ ପ୍ଲଟରେ ବ୍ୟବସାୟ ପ୍ରତିଷ୍ଠାନ ଗଢ଼ି ଉଠିଛି । ବିଶେଷ କରି ସେକ୍ଟର ୬ରୁ ୧୧ ମଧ୍ୟରେ ଥିବା ମୁଖ୍ୟ ରାସ୍ତା ପାଶ୍ୱର୍ରେ ୩୦୦ରୁ ଅଧିକ ପ୍ଲଟରେ ଏହି ବେନିୟମ କାର୍ଯ୍ୟ ହେଉଥିବା ଅଭିଯୋଗ ହେଉଛି । ନିୟମ ଅନୁସାରେ ଆବାସିକ ପ୍ଲଟରେ ବ୍ୟବସାୟ ପ୍ରତିଷ୍ଠାନ ହୋଇପାରିବ ନାହିଁ । ଯଦି ଏପରି ହୋଇଥିବ, ତେବେ ଓଡ଼ିଏ ଆକ୍ଟ ୟୁ/ଏସ-୯୧ (୧)ରେ ବେଆଇନ ନିର୍ମାଣ ଉଚ୍ଛେଦ କରାଯିବାର ନିୟମ ରହିଛି । ମାତ୍ର ଉକ୍ତ ନିୟମକୁ ବହୁ ଜମି ମାଲିକ ମାନୁନଥିବା ଅଭିଯୋଗ ହେଉଛି । 

  • ନିୟମକୁ ଫୁ’, ହେଉନି କାର୍ଯ୍ୟାନୁଷ୍ଠାନ
  • ଯୋଜନାରେ ଅଟକିଛି ଟାସ୍କ ଫୋର୍ସ ଗଠନ

ସିଡ଼ିଏ ପକ୍ଷରୁ ସିଡ଼ିଏ ସେକ୍ଟର ୬ରୁ ୧୩ ମଧ୍ୟରେ ବହୁ ପ୍ଲଟ ଆବଣ୍ଟନ କରାଯାଇଛି । ସେଥିମଧ୍ୟରେ ୨ ପ୍ରକାର ପ୍ଲଟ ଯଥା ଆବାସିକ ଓ ବ୍ୟବସାୟିକ ରହିଛି । ହେଲେ ବହୁ ଆବାସିକ ପ୍ଲଟ ମାଲିକ ସେମାନଙ୍କ ଘରକୁ ବ୍ୟବସାୟ ପ୍ରତିଷ୍ଠାନ ପାଇଁ ଭଡ଼ାରେ ଦେଇଛନ୍ତି ବୋଲି ଅଭିଯୋଗ ହୋଇଛି । ଯାହା ସରକାରୀ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରୁଛି । କଟକ ଉନ୍ନୟନ କର୍ତ୍ତୃପକ୍ଷ ଏଭଳି ବିଷୟର ତଦାରଖ କରିବା କଥା । ମାତ୍ର ସିଡ଼ିଏ ପକ୍ଷରୁ ସେଥିପ୍ରତି ଦୃଷ୍ଟି ଦିଆଯାଉନଥିବା ଅଭିଯୋଗ ହୋଇଛି । ଅପରପକ୍ଷରେ ସହର ମଧ୍ୟରେ ବ୍ୟବସାୟ ପ୍ରତିଷ୍ଠାନ କରିବା ପାଇଁ ପୌର ନିଗମରୁ ଫୁଡ଼ ଓ ଟ୍ରେଡ଼ ଲାଇସେନ୍ସ କରିବା ସହ ୟୁଜର ଫି’ ଦେବାର ନିୟମ ରହିଛି । ତେବେ ବେଆଇନ ଭାବେ ସିଡ଼ିଏର ଆବାସିକ ପ୍ଲଟରେ ବ୍ୟବସାୟ ପ୍ରତିଷ୍ଠାନ ଗଢ଼ି ଉଠିଥିବାବେଳେ ଏହାର ଯାଞ୍ଚ କରାନଯାଇ ପୌର ନିଗମ ପକ୍ଷରୁ ଫୁଡ଼ ଓ ଟ୍ରେଡ଼ ଲାଇସେନ୍ସ ପ୍ରଦାନ କରାଯାଉଥିବା ଅଭିଯୋଗ ହେଉଛି । ଏହାର ତଦାରକ ଦାୟିତ୍ୱ କଟକ ଉନ୍ନୟନ କର୍ତ୍ତୃପକ୍ଷ ହାତରେ ଥିବାବେଳେ ସଂପୃକ୍ତ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଉ ନଥିବା ଅଭିଯୋଗ ହେଉଛି । ଯାହା ଫଳରେ ପୌର ନିଗମ ବ୍ୟବସାୟିକ ପ୍ଲଟରୁ ହୋଲ୍ଡିଂ ଟିକସ ଓ ୟୁଜର ଫି ଆଦାୟରେ ବିଫଳ ହେଉଛି । ଅପରପକ୍ଷରେ ସିଡ଼ିଏ ଅଞ୍ଚଳରେ କେତେକ ଆବାସିକ ପ୍ଲଟରେ ବ୍ୟବସାୟ ପ୍ରତିଷ୍ଠାନ ହୋଇଛି । ଏହାର ଯାଞ୍ଚ କରିବାକୁ ପୌର ନିଗମ ପକ୍ଷରୁ ଗତବର୍ଷ ଡିସେମ୍ବରରେ ଏକ ଟାସ୍କ ଫୋର୍ସ ଗଠନ କରିବାକୁ କୁହାଯାଇଥିଲା। ଏପରିକି କାଉନସିଲ ବୈଠକରେ ଏହାକୁ ଅନୁମୋଦନ କରାଯାଇଥିଲା। ମାତ୍ର ଏହା ମଧ୍ୟରେ ୭ ମାସରୁ ଅଧିକ ସମୟ ବିତି ଯାଇଥିଲେ ବି ଅଦ୍ୟାବଧି ଟାକ୍ସ ଫୋର୍ସ ଗଠନ ହୋଇପାରିନାହିଁ । ନିଗମ ପକ୍ଷରୁ ଉକ୍ତ ଟାସ୍କ ଫୋର୍ସ ଗଠନ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।