ଆର୍ବିଆଇ ପକ୍ଷରୁ ଆର୍ଥିକ ସାକ୍ଷରତା ସପ୍ତାହ

 ଭୁବନେଶ୍ୱର:  ଆରବିଆଇ ଭୁବନେଶ୍ୱର ପକ୍ଷରୁ ଏଫଏଲଡବ୍ଲୁ୍ୟ ୨୦୨୫ର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଛି । ଉତ୍ସବରେ ଆରବିଆଇ ଭୁବନେଶ୍ୱରର କ୍ଷେତ୍ରୀୟ ନିଦେ୍ର୍ଦଶକ ଡ. ସାରଦା ପ୍ରସନ୍ନ ମହାନ୍ତି ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଆର୍ଥିକ ସାକ୍ଷରତାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିବା ସହିତ ଆର୍ଥିକ ଅନ୍ତଭୁକ୍ତିକରଣରେ ମହିଳାଙ୍କ ବହୁମୁଖୀ ଭୂମିକାକୁ ଦୃଷ୍ଟିରେ ରଖି ସେମାନଙ୍କ ଆର୍ଥିକ ସାକ୍ଷରତାର ପ୍ରାଥମିକତା ଉପରେ ଆଲୋକପାତ କରିଥିଲେ । ଆରବିଆଇର ମହାପ୍ରବନ୍ଧକ ଅନିତା ପଟ୍ଟନାୟକ ସମାବେଶକୁ ସ୍ୱାଗତ କରିଥିବା ବେଳେ ନାବାର୍ଡର ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ଏସ୍ କେ ତାଲୁକଦାର; ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗର ଡିଆଇଏଫ୍ ଡ. ପ୍ରଜ୍ଞାସ୍ମିତା ସାହୁ ଏବଂ ମହାପ୍ରବନ୍ଧକ ତଥା ଏସଏଲବିସି ଆବାହକ ଗୌତମ ପାତ୍ର ମଧ୍ୟ ଉପସ୍ଥିତ ଥିଲେ । ଉଦଘାଟନୀ ଉତ୍ସବରେ ରିଜର୍ଭ ବ୍ୟାଙ୍କ, ରାଜ୍ୟ ସରକାର, ନାବାର୍ଡ, ସିଡ଼ବି ଏବଂ ବିଭିନ୍ନ ବ୍ୟାଙ୍କର ବରିଷ୍ଠ ଅଧିକାରୀ ତଥା ପ୍ରତ୍ୟେକ ଟାର୍ଗେଟ୍ ଗ୍ରୁପ (ଗୃହିଣୀ, କର୍ମଜୀବୀ ମହିଳା ଓ ମହିଳା ଉଦ୍ୟୋଗୀ)ର ପ୍ରତିନିଧିମାନେ ଉପସ୍ଥିତ ଥିଲେ । ଏଫଏଲଡବ୍ଲୁ୍ୟ ୨୦୨୫ର ବିଷୟବସ୍ତୁ ଏବଂ ଉପ-ବିଷୟବସ୍ତୁ ଉପରେ ଆଲୋକପାତ କରି ଏକ ନୁକ୍କଡ ନାଟକ ମଧ୍ୟ ପରିବେଷଣ କରାଯାଇଥିଲା । ଏହି ସପ୍ତାହରେ ଆରବିଆଇ ଭୁବନେଶ୍ୱର ବିଭିନ୍ନ ବ୍ୟାଙ୍କ ଏବଂ ଅନ୍ୟ ଅଂଶୀଦାରଙ୍କ ସହଯୋଗରେ ଓଡ଼ିଶାର ସମସ୍ତ ୩୦ଟି ଜିଲ୍ଲାରେ ଆର୍ଥିକ ସାକ୍ଷରତା ଏବଂ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବ ।
ସୂଚନା ଯୋଗ୍ୟ ଭାରତୀୟ ରିଜର୍ଭ ବ୍ୟାଙ୍କ ୨୦୧୬ ମସିହାରୁ ପ୍ରତିବର୍ଷ ଏକ ନିର୍ଦ୍ଦିଷ୍ଟ ବିଷୟବସ୍ତୁ ଉପରେ ଆର୍ଥିକ ସାକ୍ଷରତା ସପ୍ତାହ (ଏଫଏଲଡବ୍ଲୁ୍ୟ) ପାଳନ କରିଆସୁଛି । ଏହି ଅଭିଯାନର ଦଶମ ସଂସ୍କରଣ ସ୍ୱରୂପ ଚଳିତ ବର୍ଷ ଆର୍ଥିକ ସାକ୍ଷରତା ସପ୍ତାହ ଫେବ୍ରୁଆରି ୨୪ ରୁ ୨୮ ତାରିଖ ପର୍ଯ୍ୟନ୍ତ ଏହା ପାଳନ କରାଯାଉଛି । ଆର୍ଥିକ ଅନ୍ତର୍ଭୁକ୍ତୀକରଣରେ ମହିଳାମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ବିଚାରକୁ ନେଇ ଏଫଏଲଡବ୍ଲୁ୍ୟ ୨୦୨୫ର ବିଷୟବସ୍ତୁ ରଖାଯାଇଛି "ଆର୍ଥିକ ବୁଦ୍ଧିମତା ଯାହାରି, ସେ ସମୃଦ୍ଧ ନାରୀ’ । ଏହି ଅଭିଯାନରେ ଗୃହିଣୀ, କର୍ମଜୀବୀ ମହିଳା ଏବଂ ମହିଳା ଉଦ୍ୟୋଗୀଙ୍କ ଉପରେ ବିଶେଷ ଧ୍ୟାନ ଦେଇ "ଆର୍ଥିକ ଯୋଜନା’, "ସଞ୍ଚୟ ଏବଂ ରିସ୍କ ପରିଚାଳନା’ ଏବଂ "ଅଭିବୃଦ୍ଧି ପାଇଁ ଋଣ ନେବା’ ଉପରେ ଗୁରୁତ୍ୱ ଦିଆଯାଇଛି ।