ଆଶା ଓ ବିଶ୍ୱାସର ପ୍ରତୀକ ଜଳେଶ୍ୱର ଶୈବପୀଠ: ପଖାନ୍ଦର ନାଳଠାରେ ପୂଜା ପାଉଛନ୍ତି ମହାଦେବ
ଗୋଲାମୁଣ୍ଡା : କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ବ୍ଲକ ମଧ୍ୟରେ ଥିବା ଅନେକ ଶୈବପୀଠ ମଧ୍ୟରେ ଚପ୍ରିଆ ଠାରେ ଥିବା ଜଳେଶ୍ୱର ମହାଦେବ ଶୈବପୀଠ ଅନ୍ୟତମ । ଏହି ଶିବ ମନ୍ଦିର ଏକ ଦର୍ଶନୀୟ ସ୍ଥାନ ହୋଇଥିବା ବେଳେ ଏଠାରେ ସବୁବେଳେ ଲୋକଙ୍କ ଭିଡ଼ ରହିଥାଏ । ବର୍ଷ ଶେଷ ଓ ବର୍ଷ ଆରମ୍ଭରେ ହଜାର ହଜାର ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ । କିଏ ମନ୍ଦିର ଆସି ଶିବଙ୍କ ଦର୍ଶନ କରନ୍ତି ତ ଆଉ କିଏ ବଣଭୋଜି କରିବା ଆଉ କିଏ ଫଟୋ ଉଠାଇବା ପାଇଁ ଆସିଥାନ୍ତି । ଏବେବି ଲୋକଙ୍କ ବିଶ୍ୱାସ ଅଛି ଯେ, ଏହି ମନ୍ଦିରକୁ ଯିଏ ଆସି ଉପାସନା କରେ ତାହାର ମନସ୍କାମନା ପୂର୍ଣ୍ଣ ହୁଏ ବୋଲି । ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଚପ୍ରିୟା ଓ ଖଲିଆପାଲି ଗ୍ରାମ ମଧ୍ୟରେ ଜଳେଶ୍ୱର ଶୈବପୀଠ ଅଛି । ଏହି ପୀଠରେ ପୂଜା ପାଆନ୍ତି ଶ୍ରୀ ଶ୍ରୀ ଜଳେଶ୍ୱର ମହାଦେବ । ଏହି ମନ୍ଦିର ଚାରିପଟେ ପାଣି ଘେରି ରହିଥିବା ବେଳେ ପ୍ରତିଦିନ ଲୋକଙ୍କ ଭିଡ ଜମି ଥାଏ । ଏହି ମନ୍ଦିରରେ ବିବାହ, ବ୍ରତ ଠାରୁ ଆରମ୍ଭ କରି ବାର ମାସରେ ତେର ପର୍ବ ଅନୁଷ୍ଠିତ ହୋଇଥାଏ । ବିଶ୍ୱାସ ରହିଛି ଏହି ମନ୍ଦିରକୁ ଆସି ପୂଜା କରିବା ସହ ଉପାସନା କଲେ ଲୋକଙ୍କ ମନସ୍କାମନା ପୂର୍ଣ୍ଣ ହୁଏ । ସେହିଭଳି ନିପୁତ୍ରିକ ଲୋକ ଯଦି ଥରେ ଆସନ୍ତି ତାହେଲେ ସନ୍ତାନ ପ୍ରାପ୍ତି ହୁଏ ବୋଲି ଲୋକେ ବିଶ୍ୱାସ କରନ୍ତି । ସେଥିପାଇଁ ତ ମନ୍ଦିର ଦର୍ଶନ କରିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁ ଏଠାକୁ ଛୁଟି ଆସିଥାନ୍ତି । ହେଲେ ମନ୍ଦିର ଅନେକ ସମସ୍ୟା ଦେଇ ଗତି କରୁଛି । ଲୋକଙ୍କ ରହିବା ପାଇଁ କୌଣସି ସୁବିଧା ନାହିଁ । ନଳକୂପ ନ ଥିବା ଯୋଗୁଁ ଶ୍ରଦ୍ଧାଳୁ ପାଣି ପାଇଁ ହନ୍ତସନ୍ତ ହୋଇଥାନ୍ତି । ଜଳେଶ୍ୱର ମନ୍ଦିର ଏହି ଅଞ୍ଚଳର ଏକ ପ୍ରମୁଖ ମନ୍ଦିର ହୋଇଥିବା ବେଳେ ସରକାର ଯଦି ଏହାକୁ ପର୍ଯ୍ୟଟନ ସ୍ଥଳିର ମାନ୍ୟତା ଦେଲେ ଆହରି ଅନେକ ପର୍ଯ୍ୟଟକ ଆସିବା ସହିତ ଅଞ୍ଚଳର ବିକାଶ ହେବା ସହିତ ଲୋକଙ୍କ ମଧ୍ୟ ଆର୍ଥିକ ଅବସ୍ଥାରେ ସୁଦୃଢ ହେବ ବୋଲି ଦାବି ହେଉଛି ।