ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ଲୋକସଭା ବାଚସ୍ପତି ଓ ରାଜ୍ୟସଭା ଉପାଧ୍ୟକ୍ଷ

ଭୁବନେଶ୍ବର : ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ଲୋକସଭା ବାଚସ୍ପତି ଓମ୍ ବିର୍ଲା ଓ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂହ । ଲୋକସଭା ବାଚସ୍ପତି ଓମ୍ ବିର୍ଲା ୨୯ ଅଗଷ୍ଟ ୨୦୨୫ରେ ଭୁବନେଶ୍ୱରଠାରେ ସଂସଦ ଏବଂ ରାଜ୍ୟ ବିଧାନସଭାର ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ଉପରେ ଗଠିତ ସମିତିର ଅଧ୍ୟକ୍ଷମାନଙ୍କ ଜାତୀୟ ସମ୍ମିଳନୀକୁ ଉଦଘାଟନ କରିବେ। ଶ୍ରୀ ବିର୍ଲା ଏହି ଅବସରରେ ଏକ ପ୍ରଦର୍ଶନୀକୁ ଉଦଘାଟନ କରିବେ ଏବଂ ଏକ ସ୍ମରଣିକାକୁ ମଧ୍ୟ ଉନ୍ମୋଚନ କରିବେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂହ ଏବଂ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ସଂସଦୀୟ ସମିତିର ଅଧ୍ୟକ୍ଷ ଡ. ଫଗନ ସିଂହ କୁଲସ୍ତେ ଯୋଗ ଦେବା ସହିତ ଉପସ୍ଥିତ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ସମ୍ବୋଧିତ କରିବେ। ସଂସଦ ଏବଂ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶ ବିଧାନସଭାରେ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ସମିତିର ଅଧ୍ୟକ୍ଷ ଓ ସଦସ୍ୟ, ଓଡ଼ିଶା ସରକାରଙ୍କ ମନ୍ତ୍ରୀ ଏବଂ ଓଡ଼ିଶା ବିଧାନସଭାର ସଦସ୍ୟମାନେ ଉଦଘାଟନୀ ସମାରୋହରେ ଯୋଗଦେବେ। ଏହି ଦୁଇ ଦିନିଆ ସମ୍ମିଳନୀରେ ସଂସଦ ଏବଂ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶ ବିଧାନସଭାର ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ସମିତିର ଅଧ୍ୟକ୍ଷ ଏବଂ ସଦସ୍ୟଙ୍କ ସମେତ ୧୨୦ ରୁ ଅଧିକ ପ୍ରତିନିଧି ଅଂଶଗ୍ରହଣ କରିବେ ।

ଆସନ୍ତା ୩୦ରେ ଓଡ଼ିଶାର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟିଙ୍କ ଉଦଯାପନୀ ଅଭିଭାଷଣ ସହିତ ଉଦଯାପିତ ହେବ। ଲୋକସଭା ବାଚସ୍ପତି ଶ୍ରୀ ଓମ୍ ବିର୍ଲା, ରାଜ୍ୟସଭା ଉପାଧ୍ୟକ୍ଷ ଶ୍ରୀ ହରିବଂଶ, ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ପାଇଁ ଗଠିତ ସଂସଦୀୟ ସମିତିର ଅଧ୍ୟକ୍ଷ ଡକ୍ଟର ଫଗନ ସିଂ କୁଲସ୍ତେ, ଓଡ଼ିଶା ବିଧାନସଭା ବାଚସ୍ପତି ସୁରମା ପାଢ଼ୀ, ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ପ୍ରଭାତୀ ପରିଡ଼ା ମଧ୍ୟ ଉଦଯାପନୀ ଅଧିବେଶନରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଓଡ଼ିଶା ବିଧାନସଭାର ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ପାଇଁ ଗଠିତ ସମିତିର ଅଧ୍ୟକ୍ଷ ଭାଷ୍କର ମଢ଼େଇ ଧନ୍ୟବାଦ ଅର୍ପଣ କରିବେ।