ଗଣପର୍ବ ନୂଆଁଖାଇ ଜୁହାର     

ଗଣପର୍ବ ନୂଆଁଖାଇ ଜୁହାର     

ଡକ୍ଟର ଲକ୍ଷ୍ମଣ ସାହୁ : ନୂଆଖାଇ ବିଶେଷତଃ ଓଡ଼ିଶାର ପଶ୍ଚିମାଞ୍ଚଳର ଏକ ପାରମ୍ପରିକ ପର୍ବ । ଏହା ମଧ୍ୟ ନୂଆଁଖାଇ ବା ନବାନ୍ନ ଭାବେ ମଧ୍ୟ ଜଣା । ନୂଆଖାଇ ଅର୍ଥାତ୍‌ ଧାନ ଅମଳର ଖୁସିର ପାଳନ କରିବା ନିମନ୍ତେ କରାଯାଉଥିବା ଏକ ଗଣପର୍ବ । ପାଞ୍ଜି ଅନୁସାରେ ଏହା ଭାଦ୍ରବ ମାସର ଶୁକ୍ଳ ପଞ୍ଚମୀ ତିଥିରେ ପାଳିତ ହୋଇଥାଏ । ଗଣେଶ ଚତୁର୍ଥୀର ପରଦିନ ପାଳନ କରାଯାଏ ।
ନୂଆଁଖାଇ ଦିନ ବଡି ଭୋରରୁ  ଗାଁ ମାନଙ୍କରେ ପିଢ଼ି ପିଢି ଧରି ନିର୍ଦ୍ଧିଷ୍ଟ ପରିବାର ନୂଆ ଧାନ ଗ୍ରାମବାସୀମାନଙ୍କୁ ପ୍ରଦାନ କରିଥାନ୍ତି । ଏପଟେ ଗୃହିଣୀମାନେ ମଧ୍ୟ ଘର ଲିପା ପୋଛା କରି ନୂଆଁଖାଇକୁ ସ୍ୱାଗତ କରିବାକୁ ଅନେଇ ବସନ୍ତି । ଘର ଲିପାପୋଛା କରି ନୂଆ ରଂଗ ଲଗାଇ ନୂଆଁଖାଇକୁ ସ୍ୱାଗତ କରନ୍ତି । ପୁଣି କିଏ ନୂଆଁଖାଇ ପାଇଁ ପତ୍ର ତୋଳିବାରେ ଲାଗି ଥିବାବେଳେ ଆଉ କିଏ ନୂଆଁ ଧାନ ସଂଗ୍ରହ କରିବାରେ ବ୍ୟସ୍ତ ରୁହନ୍ତି । ବିଶେଷ କରି ଗୃହିଣୀମାନେ ଘରକୁ ନୂଆ କରି ସଜାଡିବାରେ ଲାଗି ପଡ଼ନ୍ତି । ଏହି ଦିନ ପ୍ରତ୍ୟେକ ପରିବାରମାନେ ନିଜ ନିଜ ଘରେ ଅକାଣ୍ଡିଆ ଚାଉଳର କ୍ଷୀରି ରାନ୍ଧିବା ସହ ଯୁଗ୍ମ ପରିବାରରେ ତଥା ସମଗ୍ର ଗ୍ରାମରେ ସାମୁହିକ ଭାବେ ମଧ୍ୟ ରାନ୍ଧିଥାନ୍ତି । ଏହି କ୍ଷୀରକୁ "ନବାନ୍ନ" ବା "ନବାର୍ଣ୍ଣ" କୁହାଯାଏ  । ଗ୍ରାମର ଦେହୁରୀ ସେହି ନବାନ୍ନକୁ ପ୍ରଥମେ ପୂର୍ବଜମାନଙ୍କୁ ଅର୍ପଣ କରି ପରେ ଭୋଗ ରୂପେ ସମସ୍ତଙ୍କୁ ବାଣ୍ଟିଥାନ୍ତି । ନୂଆଖାଇ ପାଳନ ପରଦିନ "ନୂଆଖାଇ ବାସି’ ପାଳନ ହୁଏ । ସେଦିନ ବଳକା ନୂଆନ୍ନ, କ୍ଷୀରି-ପିଠା ଖିଆହେବା ସହ ମାଂସ ରନ୍ଧାଯାଇଥାଏ । ବାସି ପରଦିନ "ତିଆସି’ ପାଳନ ହୁଏ । ସେଦିନ ମଧ୍ୟ ଗ୍ରାମବାସୀମାନେ ମାଂସ ସମେତ ବିଭିନ୍ନ ଖାଦ୍ୟ ଓ ମଦ ଖିଆପିଆ କରନ୍ତି । ପରେ ପାରମ୍ପରିକ ଖେଳ ଯଥା ଡୁଡୁ, ଖୋଖୋ, ବାଡ଼ି-ଖିଚା, କୁସ୍ତି ଖେଳି ସମୟ ଅତିବାହିତ କରିଥାନ୍ତି ।
ନୂଆଁଖାଇ ଗଣପର୍ବର ବିଶେଷତ୍ୱ ହେଉଛି ବର୍ଷ ପ୍ରାରମ୍ଭରେ ଉତ୍ପାଦିତ ଶସ୍ୟର ଅନ୍ନକୁ ବିଶେଷ କରି ବର୍ଷର ଅମଳ ପ୍ରାରମ୍ଭରୁ ଉତ୍ପାଦିତ ହେଉଥିବା ଧାନରୁ ଯେଉଁ ଅନ୍ନ ବାହାରେ ସେହି ଅନ୍ନକୁ ନିଜ ଇଷ୍ଟ ଦେବାଦେବୀଙ୍କ ଅର୍ପଣ କରି ସେହି ପ୍ରସାଦ ନିଜେ ଗ୍ରହଣ କରିବା ସଙ୍ଗେସଙ୍ଗେ ଅନ୍ୟ ମାନଙ୍କୁ ପଂକ୍ତି ଭୋଜନରେ ଆପ୍ୟାୟିତ କରିବାର ଆନନ୍ଦ ଉଲ୍ଲାସର ଧାରା । ଧାନ ବିଲରେ କାମ କରିବାକୁ ଯାଉଥିବା ଚାଷୀଗଣ ଧାନ ଅମଳର ଖୁସିରେ ଚାଷୀମାନେ ଏହାକୁ ପାଳନ କରିଥାନ୍ତି । ବର୍ଷା ଶେଷ ହେବାପରେ ଶରତ ଋତୁ ଧରାପୃଷ୍ଠରେ ଅବତରଣ କରେ । ସେହି ସମୟରେ ଚାଷୀ ଜମିରେ ବେଉଷଣ କାର୍ଯ୍ୟ ଆରମ୍ଭ କରିଥାଏ । ପରେ ସହଳ ଅମଳକ୍ଷମ ଧାନ ଗର୍ଭଧାରଣ କରି କେଣ୍ଡା ପକେଇବାର କାର୍ଯ୍ୟ କରିଥାଏ । ଚାଷୀଭାଇ ପ୍ରଥମକରି ମହାନନ୍ଦରେ ଅମଳକ୍ଷମ ଧାନକୁ ଇଷ୍ଟ ଦେବୀଙ୍କ ଠାରେ ସମର୍ପଣ କରିବା ହିଁ ନବାନ୍ନ ଭକ୍ଷଣ । ଏହାକୁ ପଶ୍ଚିମ ଓଡ଼ିଶାର ଆଞ୍ଚଳିକ ଭାଷାରେ  ନୂଆଁଖାଇ କୁହନ୍ତି  । ନୂଆଖାଇ ପାଳନ ନିମନ୍ତେ ସେମାନେ ଆଗରୁ "ଲଗ୍ନ’ ବା "ତିଥି‘ ନିର୍ଣ୍ଣୟ କରି ପୂଜା ଆଦି ସହ ଆରିସା ପିଠା ଭୋଗ କରିଥାନ୍ତି ।
ଠିକ୍‌ ସେହିପରି ଜଣାଯାଏ ଶ୍ରାବଣ ମାସରେ ମାଣ୍ଡିଆ ନୂଆଖିଆ ଓ ଗୁର୍ଜୀ ନୂଆଖିଆ, ଦଶହରା ଶୁକ୍ଳ ଦଶମୀ ଦିନ ବାଲିଗଜା ସମୟରେ ମକା ମଞ୍ଜିର ଗଜାକରି ପୂଜା କରିବା ପରେ ମକା ଖାଇବା ପରମ୍ପରା ଥିଲା । ଦଶହରା ଅଷ୍ଟମୀ ଦିନ ପୁଅ ଜିଉନ୍ତିଆ ଓଷା କରିସାରିବା ପରେ କମଳା ଜାତୀୟ ଫଳ ପୂଜା କରେ । ପରେ ସେହି ଫଳସବୁ ଖାଇବା ପଶ୍ଚିମ ଓଡିଶାର ଏକ ମୁଖ୍ୟ ପ୍ରଥା ଅଟେ । ମାର୍ଗଶୀର ମାସର କୃଷ୍ଣପକ୍ଷ ଅଷ୍ଟମୀ ଦିନ ଶିମ୍ବ, କଖାରୁ, ବିରି, ଝୁଡଙ୍ଗ, ମୂଳା ଇତ୍ୟାଦିକୁ ପ୍ରଥମେ ଦେବତାଙ୍କୁ ଅର୍ପଣ କରିସାରିବା ପରେ ଖିଆଯାଇଥାଏ । ଫାଲଗୁନ ପୂର୍ଣ୍ଣିମା ଦିନ ଆମ୍ବକୁ ଦେବତାଙ୍କ ପାଖରେ ପୂଜା କରି ସେହିଦିନ ଠାରୁ ଖିଆଯାଏ । ଏତେସବୁ ଘଟଣା ପରେ ମଧ୍ୟ ମୁଖ୍ୟତଃ ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ ହୋଇଥିବାରୁ ଧାନଚାଷକୁ ପ୍ରାଧାନ୍ୟ ଦିଆଯାଇଛି । ପରମ୍ପରା ଅନୁଯାୟୀ ସେହି  ଅଂଚଳବାସୀ ଭାଦ୍ରବ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ନୂଆଖାଇ ପର୍ବ ମହା ଧୂମଧାମରେ ପାଳନକରି ଆସୁଛନ୍ତି । ତେଣୁ ଏହା ହିଁ ପଶ୍ଚିମ ଓଡିଶାର ମୁଖ୍ୟପର୍ବ ବା ଗଣପର୍ବ କହିଲେ କୌଣସି ପ୍ରକାର ଅତ୍ୟୁକ୍ତି ହେବନାହିଁ ।
ପଶ୍ଚିମାଞ୍ଚଳରେ ଗ୍ରାମ ବା ସହରର ପଡ଼ା ଅଞ୍ଚଳରେ ନୂଆଖାଇ ଦିନ ପରମ୍ପରା ଅନୁସାରେ ନବାନ୍ନ ଦେଇ ପୂଜା ବିଧି ସମାପ୍ତ ହେବା ପରେ ପରିବାରର ମୁଖ୍ୟଙ୍କ ହାତରୁ ସମସ୍ତେ ନବାନ୍ନ ଭୋଗ ଗ୍ରହଣ କରନ୍ତି  । ତାହା ଖାଇ ସାରି ପରିବାରର ସମସ୍ତ ବ୍ୟକ୍ତି ନିଜର ବୟସ୍କମାନଙ୍କୁ ଭୂମିଷ୍ଠ ପ୍ରଣାମ ସହ ଆଶୀର୍ବାଦ ଗ୍ରହଣ କରନ୍ତି । ପରେ ପିଠା ପଣା ସହ ନବାନ୍ନ ଭୋଜି ଖାଇ ସାରି ଗ୍ରାମ ବା ପଡେ଼ଶୀରେ ଥିବା ସମସ୍ତ ବୟୋଜ୍ୟେଷ୍ଠ ମାନଙ୍କୁ ଭେଟି ପ୍ରଣାମ କରି ଆଶୀର୍ବାଦ ନେଇଥାନ୍ତି । ଏହି ସମୟରେ ଗ୍ରାମ ବା ପଡ଼ାର ଲୋକମାନେ ପରସ୍ପର ଭିତରେ  ଥିବା ଭେଦ ଭାବ ଭୁଲି ଯାଆନ୍ତି । ପରିବାରମଧ୍ୟରେ ଥିବା ମତଭେଦ ମଧ୍ୟ ଏହି ସମୟରେ ସମାଧାନ ହୋଇଥାଏ । ସମସ୍ତେ ପୁଣି ଏକଜୁଟ ହୋଇ ରହନ୍ତି । ଏହା ନୂଆଖାଇ ପର୍ବର ଏକ ବିଶେଷତ୍ୱ । ପାରିବାରିକ ସଂହତି ରକ୍ଷା, ସାମାଜିକ କ୍ଷେତ୍ରରେ ଏକତ୍ରିତ ହୋଇ ଗୋଟିଏ ସୂତ୍ରରେ ବାନ୍ଧି ହୋଇ ରହିବବାର ଏହା ଏକ ମାଧ୍ୟମ ।
କହିବାକୁ ଗଲେ ପୁରା କାଳରୁ ନବାନ୍ନ ସମୟରେ ପରିବାରର ସମସ୍ତେ ଏକାଠି ନବାନ୍ନ ଗ୍ରହଣ କରିବାର ପରମ୍ପରା ଥିଲା  । ତେଣୁ ନବାନ୍ନ ଆଗରୁ ଯିଏ ଯେଉଁଠି ଦୂର ବିଦେଶରେ ରହୁଥିଲେ ମଧ୍ୟ ନବାନ୍ନ ସମୟ ଆଗରୁ ନିଜ ପୈତୃକ ଗୃହକୁ ଫେରି ଆସୁଥିଲେ । ଯଦିଓ ଆଗ କାଳରେ ପୁଅ ଝିଅମାନେ ପ୍ରାୟତଃ ବେଶୀ ଦୂରରେ ରହୁନଥିବାରୁ ଏହା ସମ୍ଭବ ହୋଇ ପାରୁଥିଲା  । କିନ୍ତୁ ଆଜିର ଯୁଗ ପରିବର୍ତ୍ତନ ସହ ଅନେକ ଘରେ ପୁଅ, ବୋହୂ , ଝିଅମାନେ ବହୁ ଦୂର ଦୂରାନ୍ତରେ ନିଜର ଜୀବିକା ସ୍ଥଳୀରେ ରହିଥାନ୍ତି । ତେଣୁ ଅନେକ କ୍ଷେତ୍ରରେ ନବାନ୍ନ ସମୟରେ ସେମାନେ ଏବେ ଗୃହକୁ ଫେରି ଆସିବା ସମ୍ଭବ ହେଉନାହିଁ  । ଏହି ଦୃଷ୍ଟିରୁ ଏକ ପରମ୍ପରା ଅନୁସାରେ ସେହି କ୍ଷେତ୍ରରେ କେତେକ ପରିବାର ଦଶହରାର ଅଷ୍ଟମୀ ତିଥିରେ ନବାନ୍ନ ଯଥାରିତ ପାଳନ କରୁଥିବା ଦେଖାଯାଏ । ଏପରିକି ଯେଉଁମାନେ ନିଜ ଭିଟାମାଟିକୁ ଆସି ନ ପାରନ୍ତି, ସେମାନେ ନିଜେ ରହୁଥିବା ଜାଗାରେ ନୂଆଖାଇ ପାଳନ କରିଥାନ୍ତି  ।
ଜଣାପଡିଛି ଆଗକାଳରେ ରାଜାମାନେ ନିଜ ରାଜ୍ୟର ଇଷ୍ଟଦେବୀଙ୍କ ନାମ ଅନୁସାରେ ନୂଆଖାଇବାର ଲଗ୍ନ ଧାର୍ଯ୍ୟ କରି ଭିନ୍ନ ଭିନ୍ନ ଦିନ ନୂଆ ଖାଉଥିଲେ । ରାଜାରାଜୁଡ଼ା ଶାସନ ପରେ ମଧ୍ୟ ରାଜାଙ୍କ ଇଷ୍ଟଦେବୀଙ୍କ ନାମ ଅନୁସାରେ ପଣ୍ଡିତମାନେ ନବାନ୍ନ ଭକ୍ଷଣ ତିଥି ବାହାର କରୁଥିଲେ । ସେହି ଦୃଷ୍ଟିରୁ ୧୯୯୧ ମସିହା ପର୍ଯ୍ୟନ୍ତ ନୂଆଖାଇ ପର୍ବ ପ୍ରତ୍ୟେକ ବର୍ଷ ଗୋଟିଏ ନିର୍ଦ୍ଦିଷ୍ଟ ତିଥିରେ ପାଳିତ ନ ହୋଇ ଭାଦ୍ରବ ଶୁକ୍ଳପକ୍ଷର ଯେକୌଣସି ଏକ ତିଥିରେ ପାଳିତ ହେଉଥିଲା । ପ୍ରଥମ କରି ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ସାରା ଓଡ଼ିଶାରେ ଗୋଟିଏ ଦିନରେ ନୂଆଖାଇ ପର୍ବ ପାଳନ କରାଯିବା ପାଇଁ ଘୋଷଣା କରି ସାରା ଓଡ଼ିଶା ସରକାରୀ ଛୁଟି କରିବା ପାଇଁ ମଧ୍ୟ ଘୋଷଣା କରିଥିଲେ । ଏହି ପଦକ୍ଷେପକୁ ପଶ୍ଚିମ ଓଡ଼ିଶାର ସବୁ ମହଲରେ ଚିନ୍ତାକରାଯାଇ ସର୍ବସମ୍ମତ କ୍ରମେ ଗଣେଶ ପୂଜାର ପରଦିନ ଅର୍ଥାତ୍‌ ଋଷି ପଞ୍ଚମୀ ଦିନଟି ସ୍ଥିର କରାଯାଇଛି । ସେହି ବର୍ଷଠାରୁ ପ୍ରତ୍ୟେକ ବର୍ଷ ପଶ୍ଚିମାଞ୍ଚଳରେ ଗୋଟିଏ ଦିନରେ ନୂଆଖାଇ ପର୍ବ ତିଥି ଅନୁସାରେ ପାଳିତ ହୋଇ ଆସୁଛି ।
ଅବଶ୍ୟ କଳାହାଣ୍ଡି ଜିଲ୍ଲାର କିଛି ଅଞ୍ଚଳରେ ଏହା ଭାଦ୍ରବ ଶୁକ୍ଳ ଦଶମୀ ତିଥିରେ ପାଳନ କରାଯାଇଥାଏ । ପୂର୍ବାଞ୍ଚଳରେ ଏହା ଆଶ୍ୱିନ ମାସର ମହାଳୟା ତିଥି ଭିତରେ ସମ୍ପନ୍ନ ହେବାର ବିଧାନ ରହିଅଛି  । ଓଡ଼ିଶାର ସାଂସ୍କୃତିକ ପରମ୍ପରାରେ ଅପରପକ୍ଷ ମହାଳୟା ପରଠାରୁ ପିତୃ ପୁରୁଷ ପିଣ୍ଡଦାନ ଶ୍ରାଦ୍ଧରେ ଏହି ନବାନ୍ନ ଦେବାର ବ୍ୟବସ୍ଥା ଅଛି । ପଶ୍ଚିମ ଓଡ଼ିଶାର ବିଭିନ୍ନ ପ୍ରାନ୍ତର ପ୍ରସିଦ୍ଧ ପୂଜ୍ୟ ଦେବତା ଯଥା ସମ୍ବଲପୁରର ସମଲେଶ୍ୱରୀ, ବଲାଙ୍ଗିରର ପାଟଣେଶ୍ୱରୀ, ସୋନପୁରର ସୋନେଶ୍ୱରୀ, କଳାହାଣ୍ଡିର ମାଣିକେଶ୍ୱରୀ ଆଦିଙ୍କ ପୀଠରେ ନୂଆଖାଇ ଅବସରରେ ନୂଆ ଧାନକୁ କ୍ଷୀର ସହ ମିଶାଇ ପୂଜା କରାଯାଏ । ଘରର ବୟୋଜ୍ୟେଷ୍ଠ ବ୍ୟକ୍ତି ବା ମହିଳା ଏହି ପ୍ରଥମ ଧାନରେ ତିଆରି ଭୋଗକୁ ପରିବାରର ସମସ୍ତଙ୍କୁ ବାଣ୍ଟିଥାନ୍ତି  । ଏହି ଦିନଟିର ଅମୃତବେଳା ବା ଶୁଭବେଳା ଜ୍ୟୋତିଷମାନଙ୍କ ଦ୍ୱାରା ନିର୍ଣ୍ଣୟ କରାଯାଇ ସେହି ମୁହୂର୍ତ୍ତରେ ନୂଆଭାବରେ ଅମଳ କରାଯାଇଥିବା ଷାଠିଆଧାନରୁ ପ୍ରସ୍ତୁତ ଅନ୍ନକୁ ରାନ୍ଧି ଭକ୍ଷଣ କରିଥାନ୍ତି । ନୂଆଧାନରୁ ପ୍ରସ୍ତୁତ ଚୁଡ଼ା, ଭାତ, କ୍ଷୀରି, ଆରିସା ଓ ମଣ୍ଡାପିଠା ନିଜ ନିଜ ଘରେ ପ୍ରସ୍ତୁତ କରି ନିଜ ନିଜର ଇଷ୍ଟଦେବୀ, ଗ୍ରାମଦେବୀ (ମାଉଳୀ), ଦେବତା, ଆରାଧ୍ୟାଙ୍କ ପାଖରେ ପ୍ରଥମେ ଅର୍ପଣ କରି ସମସ୍ତେ ଏକାଠି ବସି ଖାଇଥାନ୍ତି । ଖାଇସାରିବା ପରେ ପାରସ୍ପରିକ ଭେଟଘାଟ ପର୍ବ ଆରମ୍ଭ ହୋଇଥାଏ ।
ସେହିପରି ଇତିହାସରୁ ଜଣାପଡେ଼ ୧୮୫୩ ମସିହା ବେଳକୁ କଳାହାଣ୍ଡିର ମହାରାଜା ଉଦିତ ପ୍ରତାପ ଦେଓଙ୍କ ଶାସନ କାଳରେ ସମ୍ବଲପୁରର କୁଲତା ସଂପ୍ରଦାୟର ଲୋକମାନଙ୍କୁ ନିମନ୍ତ୍ରଣ କରି କଳାହାଣ୍ଡିରେ ଚାଷର ବିକାଶ କରିଥିଲେ  । ତେଣୁ କଳାହାଣ୍ଡିର ଗଣପର୍ବ ଯେମିତି ନୂଆଖାଇ ଠିକ ସେହିପରି ସାଂସ୍କୃତିକ କାର୍ଯ୍ୟକ୍ରମରେ ଗଣବାଦ୍ୟ ରୂପେ ଘୁମୁରା ବେଶ ପ୍ରଚଳିତ । ନୂଆଖାଇ ଆସିବା ପୂର୍ବରୁ ପୋଏଲ ଉଅ।।ଁସ ଅର୍ଥାତ ଶ୍ରାବଣ ଅମାବାସ୍ୟା ଦିନ ଘୁମୁରା ବାଦ୍ୟ ସବୁକୁ ପୂଜାକରି ଏହି ଗଣବାଦ୍ୟ ଘୁମୁରା ବାଦ୍ୟର ଅଭ୍ୟାସ ଆରମ୍ଭ କରାଯାଉଥିବାର ମଧ୍ୟ ପରଂପରା ରହିଛି । ନୂଆଖାଇ ଦିନ ତାର ଆତ୍ମପ୍ରକାଶ ଘଟି ସମସ୍ତଙ୍କ ଘରକୁ ଘର ବୁଲି ଘୁମୁରାନୃତ୍ୟ ବାଦ୍ୟ ପରିବେଷଣ କରିବାର ପରଂପରା ଆଜି ମଧ୍ୟ ପ୍ରଚଳିତ । ଏପରିକି ବରଗଡ଼ ଜିଲ୍ଲାର ସୋହେଲା ବ୍ଲକର ସମଳେଇଟିକ୍ରା ଗ୍ରାମର ଗ୍ରାମବାସୀମାନେ ଏକ ନିଆରା ଢଙ୍ଗରେ ନୂଆଖାଇ  ପାଳନ କରନ୍ତି । ସେଠାରେ ପାରମ୍ପରିକ ପୂଜା ସହ ଗାଁକୁ ଆମ୍ବ ତୋରଣରେ ସଜାଯାଏ । ସାରା ଗାଁ ଲୋକେ ଭାଇଚାରାର ନୀତିରେ ଗ୍ରାମ ମଝିରେ ଥିବା ମନ୍ଦିର ପଡ଼ିଆରେ ଏକାଠି ମିଶି ନୂଆ ଖାଇଥାନ୍ତି ।
ସତରେ ପଶ୍ଚିମ ସହିତ କେଉଁ ଆବହମାନ କାଳରୁ ଏହି ନୂଆଁଖାଇ ପର୍ବ ଓଡିଶାର ଅବିଭକ୍ତ କଳାହାଣ୍ଡି, ବଳାଙ୍ଗୀର, ସମ୍ବଲପୁର, ସୁନ୍ଦରଗଡ ଓ ବଉଦ ଜିଲ୍ଲା ସମେତ କୋରାପୁଟର କେତେକ ଅଂଚଳ ଓ ଛତିଶଗଡ ରାଜ୍ୟର ଦେଓଭୋଗ ସମେତ କେତେକ ଅଂଚଳରେ ନୂଆଖାଇ ପର୍ବ ଖୁବ ଧୂମଧାମରେ ପାଳିତ ହୋଇଆସୁଛି । ଏହା କେବଳ ସମଗ୍ର ଓଡ଼ିଶାରେ ବିଶେଷ କରି ଓଡ଼ିଶାର ପଶ୍ଚିମାଞ୍ଚଳ ଏବେ ଲୋକ ପର୍ବ ହୋଇ ରହିନାହିଁ । ଏବେ ଦେଶର ବିଭିନ୍ନ ଅଞ୍ଚଳରେ ତଥା ବିଦେଶରେ ରହୁଥିବା ପଶ୍ଚିମ ଓଡ଼ିଶାର ଲୋକ ନବାନ୍ନ ଦିନ ଘରେ ଅନୁଉପସ୍ଥିତ ହେଲେ ନିଜେ ରହୁଥିବା ଜାଗାରେ ନୂଆଖାଇ ପାଳନ କରୁଛନ୍ତି । ବିଶେଷକରି ଗୁଜରାଟର ସୁରତ, ଛତିଶଗଡ଼ର ରାୟପୁର, ବିଶାଖାପାଟଣା, ଚେନ୍ନାଇ, ମୁମ୍ବାଇ ଓ ଦିଲ୍ଲୀ ଆଦି ସହରରେ ଏହା ପାଳନ କରାଯାଉଛି ।
ବାସ୍ତବରେ ମାଟି ଓ ମଣିଷର ଯେଉଁ ଅତୁଟ ସଂପର୍କ ରହିଛି ସେହି ସଂପର୍କରୁ ଉଦ୍‌ବୁଦ୍ଧ ଏହି କୃଷିଭିତ୍ତିକ ପର୍ବ ସମାଜରେ ଐକ୍ୟବଦ୍ଧତା, ଭ୍ରାତୃଭାବ ପ୍ରତିଷ୍ଠା କରିବା ଗଣପର୍ବ ନୂଆଖାଇ ପାଳନର ମୁଖ୍ୟ ଉଦେଶ୍ୟ । ନୂଆଖାଇ ଜୁହାର ଅବସରରେ -  ହଳଧର ନାଗଙ୍କ କବିତାରୁ ନୂଅ।।ଖାଇ ଉପରେ ଏକ ଛୋଟ ପଂକ୍ତି ମନେପଡେ" ଜିଇଁଛୁ ବେଲକେ ଆସି ଭାଏ ବନ୍ଧୁହେମା ନୂଆଖାଇ ଭେଟ ସଂସାର ଡୋର୍‌ ଥି ବନ୍ଧା ହୋଇଥିମାଗାଁ ଯାକର ହେଇ ମେଟ୍‌ ! "  ସଭିଙ୍କୁ ମୋର ନୂଆଁଖାଇ ଜୁହାର...
 

ଅଧ୍ୟକ୍ଷ, ମହାନଦୀବିହାର ମହିଳା ସ୍ନାତକ ମହାବିଦ୍ୟାଳୟ, କଟକ -୪

ମୋ : ୯୦୪୦  ୧୫୧୪ ୭୫