ଇତିହାସ ରଚିଲା ଇସ୍ରୋ : ମହାକାଶ ଗଲା ସିଏମଏସ-୩
ଶ୍ରୀହରିକୋଟା : ପୁଣି ଇତିହାସ ରଚିଲା ଇସ୍ରୋ । ସବୁଠୁ ଓଜନିଆ ଯୋଗାଯୋଗ ଉପଗ୍ରହ ସଫଳତାର ସହ ପ୍ରେରଣ କରି ଆଜି ନୂତନ ମାଇଲଖୁଣ୍ଟ ପ୍ରତିଷ୍ଠା କରିଛି ଭାରତ । ରବିବାର ଅପରାହ୍ଣ ୫ଟା ୨୬ ମିନିଟରେ ଶ୍ରୀହରିକୋଟାର ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ ଲଞ୍ଚ ଯାନ ମାର୍କ-୩ (ଏଲଭିଏମ୩-ଏମ୫)ରେ ଇସ୍ରୋ ଏହାର ସବୁଠାରୁ ଭାରୀ ଯୋଗାଯୋଗ ଉପଗ୍ରହ ସିଏମଏସ-୦୩କୁ ସଫଳତାର ସହ ଉତ୍କ୍ଷେପଣ କରିଥିଲା ।
୨୪ ଘଣ୍ଟାର କାଉଣ୍ଟଡାଉନ୍ ସମାପ୍ତ ହେବା ପରେ ଚେନ୍ନାଇରୁ ପ୍ରାୟ ୧୩୫ କିଲୋମିଟର ଦୂରରେ ଥିବା ସ୍ପେସ୍ପପୋର୍ଟର ଦ୍ୱିତୀୟ ଲଞ୍ଚ ପ୍ୟାଡ୍ରୁ ୪୩.୫ ମିଟର ଉଚ୍ଚ ରକେଟ୍ ଆକାଶକୁ ଉଡ଼ାଣ କରିଥିଲା । ପ୍ରାୟ ୧୬-୨୦ ମିନିଟ୍ର ଉଡ଼ାଣ ଯାତ୍ରା ପରେ, ପ୍ରାୟ ୧୮୦ କିଲୋମିଟର ଉଚ୍ଚତାରେ ପହଞ୍ଚିବା ପରେ ଉପଗ୍ରହଟି ପୃଥକ ହୋଇଯିବ ବୋଲି ଇସ୍ରୋ କହିଛି । ୪୪୧୦ କିଲୋଗ୍ରାମ ଓଜନର ଏହି ମଲ୍ଟି-ବ୍ୟାଣ୍ଡ ଯୋଗାଯୋଗ ଉପଗ୍ରହକୁ ଜିଏସଏଟି-୭ଆର ମଧ୍ୟ କୁହାଯାଉଛି । ଏହି ଉପଗ୍ରହ ମୁଖ୍ୟତଃ ଭାରତୀୟ ନୌସେନା ପାଇଁ ନିର୍ମିତ ହୋଇଛି । ଜାହାଜ ଓ ବୁଡାଜାହାଜକୁ ସୁରକ୍ଷିତ ସେବା ଯୋଗାଇବ । ସାମୁଦ୍ରିକ ଓ ରଣନୈତିକ ସଂଯୋଗ ବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଲିଭାଇବ । ଦୁର୍ଗମ ଉପକୂଳବର୍ତ୍ତୀ ସ୍ଥାନଗୁଡ଼ିକରେ ମଧ୍ୟ ବିପର୍ଯ୍ୟୟ ପ୍ରଶମନ କ୍ଷମତାକୁ ବୃଦ୍ଧି କରିବ ଏବଂ ସ୍ୱଦେଶୀ ନିର୍ମିତ ଭାରୀ ଉପଗ୍ରହ ଉତ୍କ୍ଷେପଣ କରିବାରେ ଏହାର ମହାକାଶ ସ୍ୱାଧୀନତାକୁ ସୁଦୃଢ଼ କରିବା ଲକ୍ଷ୍ୟ ରଖିଛି । ଇସ୍ରୋ ୨୦୧୯ ରେ ନୌସେନା ପାଇଁ ଏପରି ଉପଗ୍ରହ ବିକଶିତ କରିବା ପାଇଁ ୧,୫୮୯ କୋଟି ଟଙ୍କାର ଚୁକ୍ତି ସ୍ୱାକ୍ଷର କରିଥିଲା ।